
ନୂଆଦିଲ୍ଲୀ: ୭୪ ବର୍ଷ ପୂର୍ବେ ଦୁଇ ଦେଶର ସୀମା ବିଭାଜନ ଅଲଗା କରିଦେଇଥିଲା | ଏବେ ନିଜ ରକ୍ତର ସମ୍ପର୍କର ଭାଇକୁ ଫେରିପାଇଛନ୍ତି ଆଉ ଜଣେ ଭାଇ | କର୍ତ୍ତାରପୁର କରିଡର ପୁଣି ଦୁଇଟି ହୃଦୟ ଯୋଡ଼ିଛି | ଏହି କରିଡର ହେତୁ ଏଥର ଦୁଇ ଭାଇ ୭୪ ବର୍ଷ ପରେ ପରସ୍ପରକୁ ଭେଟିପାରିଛନ୍ତି | ଭାରତ-ପାକିସ୍ତାନ ବିଭାଜନ ସମୟରେ ଏହି ଦୁଇ ଭାଇ ପରସ୍ପରଠାରୁ ଅଲଗା ହୋଇଥିଲେ। ଉଭୟ ଭାଇଙ୍କ ନାମ ମହମ୍ମଦ ସିଦ୍ଦିକ ଏବଂ ହବିବ ବୋଲି ଜଣା ପଡିଛି। ରିପୋର୍ଟ ଅନୁଯାୟୀ, ୮୦ ବର୍ଷୀୟ ମହମ୍ମଦ ସିଦ୍ଦିକ ପାକିସ୍ତାନର ଫୈସଲାବାଦ ସହରରେ ରୁହନ୍ତି। ବିଭାଜନ ସମୟରେ ସେ ତାଙ୍କ ପରିବାରଠାରୁ ଅଲଗା ହୋଇଥିଲେ। ତାଙ୍କ ଭାଇ ହବିବ ଓରଫ ଶେଲା ଭାରତର ପଞ୍ଜାବରେ ରୁହନ୍ତି। ତେବେ ଆଜି କର୍ତ୍ତାରପୁର କରିଡରରେ ଦୁହେଁ ପରସ୍ପରକୁ ଭେଟି ଚିହ୍ନିପାରିଥିଲେ | ଆଉ ପରସ୍ପରକୁ ଦେଖି ଉଭୟଙ୍କ ଆଖିରୁ ଲୁହ ଝରିଆସିଥିଲା | ଦୁଇ ଭାଇ ପରସ୍ପରକୁ ଆଲିଙ୍ଗନ କରିବା ସହ ଏତେ ବର୍ଷର ବିଛେଦର ଦୁଃଖ ଆଜି ସମାପ୍ତ ହୋଇଥିଲା |
ଏହି ଦୁଇ ଭାଇଙ୍କ ସାକ୍ଷାତର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ସେୟାର କରାଯାଉଛି | ଏଥିରେ ଉଭୟ ଭାଇଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ଦେଖିବାକୁ ମିଳିଛି | ପରିବାର ବ୍ୟତୀତ ଗୁରୁଦ୍ୱାର ପରିଚାଳନାର ଅଧିକାରୀମାନେ ମଧ୍ୟ ଏହି ଭିଡିଓରେ ନଜର ଆସିଛନ୍ତି। ଗତ ବର୍ଷ ମଧ୍ୟ ଦୁଇ ଜଣ ବନ୍ଧୁ କର୍ତ୍ତାରପୁର କରିଡରରେ ୭୪ ବର୍ଷ ପରେ ସାକ୍ଷାତ କରିପାରିଥିଲେ। ୧୯୪୭ ମସିହାରେ ଭାରତର ସର୍ଦ୍ଦାର ଗୋପାଳ ସିଂ ତାଙ୍କ ପିଲାଦିନର ବନ୍ଧୁ ୯୧ ବର୍ଷ ବୟସ୍କ ମହମ୍ମଦ ବଶୀରଙ୍କଠାରୁ ଅଲଗା ହୋଇଥିଲେ।
ବର୍ତ୍ତମାନ ସର୍ଦ୍ଦାର ଗୋପାଳ ସିଂଙ୍କ ବୟସ ୯୪ ବର୍ଷ ହୋଇଥିବାବେଳେ ମହମ୍ମଦ ବଶୀରଙ୍କୁ ୯୧ ବର୍ଷ ବୟସ ହୋଇଛି। ସୂଚନାଯୋଗ୍ୟ ଯେ ପାକିସ୍ତାନର କର୍ତ୍ତାରପୁରଠାରେ ଥିବା ଗୁରୁଦ୍ୱାରା ଦରବାର ସାହେବରେ ଶିଖଧର୍ମ ପ୍ରତିଷ୍ଠାତା ଗୁରୁନାନକ ନିଜର ଶେଷ ସମୟ କଟାଇଥିଲେ । କର୍ତ୍ତାରପୁର କରିଡର ଭାରତରେ ଥିବା ଡେରା ବାବା ନାନକ ସାହେବ ସହ ପାକିସ୍ତାନରେ ଥିବା ଗୁରୁଦ୍ୱାରା ଦରବାର ସାହେବକୁ ସଂଯୋଗ କରୁଛି । ୨୦୧୯ ନଭେମ୍ବର ୯ ତାରିଖରେ କର୍ତ୍ତାରପୁର କରିଡରକୁ ଖୋଲାଯାଇଥିଲା |
The post ୭୪ ବର୍ଷ ପରେ ମିଳିଲେ ଭାଇ, ଭାରତ-ପାକିସ୍ତାନ ବିଭାଜନ ସମୟରେ ହୋଇଯାଇଥିଲେ ଅଲଗା first appeared on Sambad.from ବିଶେଷ | Sambad https://ift.tt/3rf8ypt
0 Comments