କାହା ପାଇଁ ସର୍ବନାଶ, କାହା ପାଇଁ ପୁଷମାସ ! କରୋନା କାଳରେ ୧୬ କୋଟି ଲୋକ ଦରିଦ୍ର ପାଲଟିଥିବା ବେଳେ ୧୦ ଧନୀକଙ୍କ ସମ୍ପତ୍ତି ଦ୍ୱିଗୁଣିତ

ନୂଆଦିଲ୍ଲୀ: କରୋନା ବା କୋଭିଡ୍‌-୧୯ ମହାମାରୀ କାରଣରୁ ସମଗ୍ର ବିଶ୍ୱରେ ଦାରିଦ୍ର୍ୟ ଏବଂ ଅସମାନତା ବୃଦ୍ଧି ପାଇଥିବାରୁ ମହାମାରୀର ପ୍ରଥମ ଦୁଇ ବର୍ଷ ମଧ୍ୟରେ ବିଶ୍ୱର ୧୦ ଜଣ ଧନୀ ବ୍ୟକ୍ତି ସେମାନଙ୍କ ସଂପତ୍ତିକୁ ଦ୍ୱିଗୁଣିତ କରିଛନ୍ତି ବୋଲି ସୋମବାର ପ୍ରକାଶ ପାଇଥିବା ଏକ ରିପୋର୍ଟରେ କୁହାଯାଇଛି।
ଅନ୍ତର୍ଜାତିକ ସଂସ୍ଥା ଅକ୍ସଫାମ୍‌ କହିଛି ଯେ ବିଶ୍ୱ ଅର୍ଥନୈତିକ ଫୋରମ୍‌ ଅଧୀନରେ ଅନୁଷ୍ଠିତ ବିଶ୍ୱ ନେତାଙ୍କ ଏକ ଭର୍ଚୁଆଲ୍‌ ମିନି ଶିଖର ସମ୍ମିଳନୀ ପୂର୍ବରୁ ପ୍ରକାଶିତ ଏକ ରିପୋର୍ଟରେ ଏହି ୧୦ ଧନୀକଙ୍କ ସମ୍ପତ୍ତି ଦୈନିକ ହାରାହାରି ୧.୩ ବିଲିୟନ ଡଲାର ହାରରେ ବଢ଼ି ୭୦୦ ବିଲିୟନ ଡଲାରରୁ ୧.୫ ଟ୍ରିଲିୟନ ଡଲାରକୁ ଡେଇଁଛି।

ବିଶ୍ୱରୁ ଦାରିଦ୍ର୍ୟ ଦୂର କରିବା ଉପରେ ଧ୍ୟାନ ଦେଉଥିବା ଅନ୍ତର୍ଜାତିକ ସଂସ୍ଥା ଅକ୍ସଫାମ୍‌ କହିଛି ଯେ ୧୯୨୯ର ୱାଲ୍‌ ଷ୍ଟ୍ରିଟ୍‌ ଦୁର୍ଘଟଣା ପରେ ଏବେ ବିଶ୍ୱ ଅର୍ଥନୀତି ସବୁଠାରୁ ଖରାପ ମାନ୍ଦାବସ୍ଥା ମଧ୍ୟ ଦେଇ ଗତି କରୁଥିବା ବେଳେ ମହାମାରୀ ସମୟରେ କୋଟିପତିଙ୍କ ସମ୍ପତ୍ତି ଅଧିକ ବୃଦ୍ଧି ପାଇଥିଲା।

ଏହି ଅସମାନତାକୁ ଅର୍ଥନୈତିକ ହିଂସା ବୋଲି ଅଭିହିତ କରି ସଂସ୍ଥା କହିଛି ଯେ ସ୍ୱାସ୍ଥ୍ୟ ସେବା, ଲିଙ୍ଗ ଭିତ୍ତିକ ହିଂସା, କ୍ଷୁଧା ଏବଂ ଜଳବାୟୁ ପରିବର୍ତ୍ତନର ଅଭାବ ହେତୁ ଅସମାନତା ପ୍ରତିଦିନ ୨୧,୦୦୦ ଲୋକଙ୍କ ପାଇଁ ମୃତ୍ୟୁର କାରଣ ହେଉଛି। ଅନ୍ୟପକ୍ଷରେ, ଏହି ମହାମାରୀ ୧୬୦ ନିୟୁତ (୧୬ କୋଟି) ଲୋକଙ୍କୁ ଦାରିଦ୍ର୍ୟରେ ବୁଡ଼ାଇ ଦେଇଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଅଣ-ଶ୍ୱେତ ଜାତିଗତ ସଂଖ୍ୟାଲଘୁ ଏବଂ ମହିଳାମାନେ ଅସମାନତା ବୃଦ୍ଧିର କୁପ୍ରଭାବ ଭୋଗ କରୁଛନ୍ତି।

ଏହି ରିପୋର୍ଟ ପ୍ରସ୍ତୁତ କରିଥିବା ଏକ ଗୋଷ୍ଠୀ ଦ୍ୱାରା ଡିସେମ୍ବର ୨୦୨୧ରେ ହୋଇଥିବା ଏକ ଅଧ୍ୟୟନ ପରେ ଜଣାପଡିଛି ଯେ ମହାମାରୀ ସମୟରେ ବିଶ୍ୱର ଧନୀ ଗୋଷ୍ଠୀଙ୍କ ସମ୍ପତ୍ତିର ପରିମାଣ ରେକର୍ଡ ଗତିରେ ବୃଦ୍ଧି ପାଇଛି।

ଏହି ପରିପ୍ରେକ୍ଷୀରେ ଜୀବନ ବଞ୍ଚାଇବାରେ ସାହାଯ୍ୟ କରିବା ପାଇଁ ବିଶ୍ୱବ୍ୟାପୀ ଟିକା ଉତ୍ପାଦନ ସହିତ ସ୍ୱାସ୍ଥ୍ୟସେବା, ଜଳବାୟୁ ଅନୁକୂଳ ପରିବେଶ ଏବଂ ଲିଙ୍ଗ ଆଧାରିତ ହିଂସା ହ୍ରାସ ପାଇଁ ପାଣ୍ଠି ଯୋଗାଇବା ପାଇଁ ଅକ୍ସଫାମ୍‌ ଟିକସ ସଂସ୍କାର ପାଇଁ ପ୍ରସ୍ତାବ ଦେଇଛି। ଏହି ରିପୋର୍ଟ ପ୍ରସ୍ତୁତ କରିଥିବା ଗୋଷ୍ଠୀ ପକ୍ଷରୁ କୁହାଯାଇଛି ଯେ ଏହା ଉପଲବ୍ଧ ଥିବା ସବୁଠାରୁ ଅପ୍‌-ଟୁ-ଡେଟ୍‌ ଏବଂ ବିସ୍ତୃତ ତଥ୍ୟ ଉତ୍ସକୁ ନେଇ ଏହାର ସମ୍ପତ୍ତି ଗଣନାକୁ ଆଧାରିତ କରିଛି ଏବଂ ଆମେରିକାର ପ୍ରତିଷ୍ଠିତ ବ୍ୟବସାୟ ପତ୍ରିକା ଫୋର୍ବସ୍‌ ଦ୍ୱାରା ସଂକଳିତ ୨୦୨୧ ବିଲିୟନେୟାର ତାଲିକାକୁ ବ୍ୟବହାର କରିଛି।

କରୋନା ସମୟରେ ସଂପତ୍ତି ଦ୍ବିଗୁଣିତ ହୋଇଥିବା ଧନୀକଙ୍କ  ତାଲିକାରେ ଫୋର୍ବସ୍‌ ବିଶ୍ୱର ୧୦ ଜଣ ବ୍ୟବସାୟୀଙ୍କ ତାଲିକାଭୁକ୍ତ କରିଛି। ସେମାନେ ହେଲେ- ଟେସଲା ଏବଂ ସ୍ପେସ୍‌ ଏକ୍ସ ମୁଖ୍ୟ ଏଲନ୍‌ ମସ୍କ, ଆମାଜନର ଜେଫ୍‌ ବେଜୋସ୍‌, ଗୁଗୁଲ୍‌ ପ୍ରତିଷ୍ଠାତା ଲ୍ୟାରି ପେଜ୍‌ ଏବଂ ଫେସବୁକର ମାର୍କ ଜୁକରବର୍ଗ, ପୂର୍ବତନ ମାଇକ୍ରୋସଫ୍‌ଟ ସିଇଓ ବିଲ୍‌ ଗେଟ୍‌ସ ଏବଂ ଷ୍ଟିଭ୍‌ ବଲ୍ମର, ପୂର୍ବତନ ଓରାକେଲ୍‌ ସିଇଓ ଲ୍ୟାରି ଏଲିସନ୍‌, ଆମେରିକାର ନିବେଶକ ୱାରେନ୍‌ ବଫେଟ୍‌ ଏବଂ ଫ୍ରାନ୍‌ସ ବିଳାସପୂର୍ଣ୍ଣ ଗୋଷ୍ଠୀ ଏଲଭିଏମଏଚର ମୁଖ୍ୟ ବର୍ନାର୍ଡ ଆର୍ନୋଲ୍‌ଟ।

The post କାହା ପାଇଁ ସର୍ବନାଶ, କାହା ପାଇଁ ପୁଷମାସ ! କରୋନା କାଳରେ ୧୬ କୋଟି ଲୋକ ଦରିଦ୍ର ପାଲଟିଥିବା ବେଳେ ୧୦ ଧନୀକଙ୍କ ସମ୍ପତ୍ତି ଦ୍ୱିଗୁଣିତ first appeared on Sambad.

from ବିଶେଷ | Sambad https://ift.tt/3tEcwL0

Post a Comment

0 Comments