ଯାଜପୁର ଜିଲ୍ଲାର ୨ ପୌରାଧ୍ୟକ୍ଷ ଆସନ ସଂରକ୍ଷିତ: ନେତାଙ୍କ ଚାଲ୍‌ରେ ଆଶାୟୀ ହତବାକ୍

ଯାଜପୁର,(ସଂଗ୍ରାମ ସିଂହ): ପଞ୍ଚାୟତ ନିର୍ବାଚନକୁ ନେଇ ଜିଲ୍ଲାର ରାଜନୀତି ବେଶ୍‌ ସରଗରମ ଥିବା ବେଳେ ଆଜି ପୌରାଧ୍ୟକ୍ଷ ଆସନ ସଂରକ୍ଷଣ ଘୋଷଣା ରାଜନୀତି ପାଣିପାଗକୁ ଅଧିକ ଉଷ୍ମ କରିଛି। ଯାଜପୁର ଜିଲ୍ଲାରେ ମୋଟ ୨ଟି ପୌରାଞ୍ଚଳ ଜିଲ୍ଲା ସଦର ମହକୁମା ଯାଜପୁର ସହର ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ଓ ବ୍ୟବସାୟିକ ପେଣ୍ଠସ୍ଥଳୀ ବ୍ୟାସନଗର ପୌରାଧ୍ୟକ୍ଷ ପଦବି ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଛି। ଏଥର ଅଧ୍ୟକ୍ଷ ଆସନ ପାଇଁ ସିଧାସଳଖ ନିର୍ବାଚନ ହେଉଥିବାରୁ ଉଭୟ ସହରରେ ଶାସକ ଦଳର ହେବିୱେଟ ନେତାମାନେ ପଦବି ପାଇଁ ଆଶାୟୀ ଥିଲେ। ବିଶେଷ କରି ବ୍ୟାସନଗରରେ ଏକାଧିକ ସ୍ଥାନୀୟ ନେତା ସେଥି ପାଇଁ ଦୀର୍ଘ ଦିନରୁ ଗୋଟି ଚାଳନା କରୁଥିଲେ। ତେବେ ରାଜ୍ୟସ୍ତରୀୟ ନେତାଙ୍କ ଗୋଟି ଚାଳନାରେ ଆଶାୟୀଙ୍କର ସବୁ ଯୋଜନା ପଣ୍ଡ ହୋଇଯାଇଛି। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ସଂରକ୍ଷଣ ନୀତି ଆଳରେ ଶାସକ ଦଳ ନେତା ଏଡ଼ାଇ ଯାଉଛନ୍ତି।

ପ୍ରକାଶ ଥାଉକି ବ୍ୟାସନଗରରୁ କାହ୍ନୁଚରଣ ସାମଲ ଓ ହୃଷୀକେଶ ରାଉତ ସିଧାସଳଖ ପୌରଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ଏଥର ତୃତୀୟ ଥର ପାଇଁ ପୌରାଧ୍ୟକ୍ଷ ପାଇଁ ସିଧାସଳଖ ଭୋଟ ହେବ। ଦୁଇ ଦୁଇ ଥର ପୌରାଧ୍ୟକ୍ଷ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ରସାନନ୍ଦ ମହାନ୍ତି ଏହି କାରଣରୁ ଆଗୁଆ ପ୍ରସ୍ତୁତି କରି ବିଜେଡ଼ିରେ ଯୋଗ ଦେଇଥିଲେ। ରସାନନ୍ଦ ମହାନ୍ତି ଏଥର ପ୍ରାର୍ଥୀ ଦୌଡ଼ରେ ସମସ୍ତଙ୍କଠାରୁ ଆଗୁଆ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପୌରାଧ୍ୟକ୍ଷା ସରୋଜିନୀ ବଳ, ପୂର୍ବତନ ପୌରାଧ୍ୟକ୍ଷା ତଥା ବିଜେଡ଼ି ମହିଳା ଜିଲ୍ଲା ସଭାପତି ସବିତା ରାଉତ, ବିଜେଡି ରାଜ୍ୟ ମହିଳା ସମ୍ପାଦିକା ଉଷାରାଣୀ ସାମଲ ଓ ୩ ଥର କାଉନସିଲର ହୋଇଥିବା କଳ୍ପନା ରାଉତଙ୍କ ନାମ ବେଶ ଚର୍ଚ୍ଚା ହେଉଥିଲା। ଏହି ହେବିୱେଟ ନେତାନେତ୍ରୀମାନଙ୍କର ଶିବିର ମଧ୍ୟ କିଛି ଦିନ ହେଲାଣି ଝାଳବୁହା ପରିଶ୍ରମ କରୁଥିଲେ। ମାତ୍ର ନେତାଙ୍କର ଗୋଟିଏ ମାଷ୍ଟର ଷ୍ଟ୍ରୋକରେ ଏମାନଙ୍କ ସବୁ ଆଶା ମଉଳି ଯାଇଛି।

ସେହିପରି ଯାଜପୁର ପୌରାଞ୍ଚଳ ଏବେ ବିଜେଡି ଗଡ଼ ହୋଇଥିବା ‌ବେଳେ ଏହା ଦୀର୍ଘ ଦିନରୁ ସ୍ବର୍ଗତ ଅଶୋକ ଦାସଙ୍କ ପରିବାର ହସ୍ତମୁଦ୍ରିକା ହୋଇ ରହିଯାଇଛି। ସ୍ବର୍ଗତ ଦାସଙ୍କ ପରିବାର ଓ ତାଙ୍କ ସମର୍ଥକମାନେ ଏହାକୁ ଲଗାତର କବ୍‌ଜା କରି ରଖିଛନ୍ତି। ତେବେ ଏଥର କିଛି ଯୁବକ ଓ ଆଗୁଆ ସଙ୍ଗଠକ ଅଧ୍ୟକ୍ଷ ପଦବିରେ ବସିବା ପାଇଁ ଆଶା ବାନ୍ଧିଥିଲେ। ମାତ୍ର ଏହା ଏଥର ମହିଳା ପାଇଁ ସଂରକ୍ଷିତ ହୋଇଛି। ଯାଜପୁର ପୌରପାଳିକାରୁ ସିଧାସଳଖ ଅଧ୍ୟକ୍ଷ ଭାବେ ବିମ୍ବାଧର କର ଓ ଉତ୍କଳ କେଶରୀ ଦାସ ନିର୍ବାଚିତ ହୋଇଥିଲେ। ରାଜ୍ୟ ଠାରୁ ଜିଲ୍ଲା ପର୍ଯ୍ୟନ୍ତ ଶାସକଦଳର ନେତୃ୍ତ୍ବକୁ ଏକ ପ୍ରକାର ନିୟନ୍ତ୍ରଣରେ ରଖିଥିବା‌ ଯାଜପୁର ବିଧାୟକ ତଥା ବିଜେଡି ରାଜ୍ୟ ସଙ୍ଗଠକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ସାନଭାଇ ଅମିତ ଗୌରବ ଦାସ (ବୁବୁନା)ଙ୍କ ପତ୍ନୀ ତଥା ବାଲେଶ୍ବରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ଝିଅ ସୁମନ ସରିତା ଜେନାଙ୍କ ନାମ ଏବେ ଯାଜପୁର ପୌରାଧ୍ୟକ୍ଷ ‌ଆସନ ପାଇଁ ବେଶ ଚର୍ଚ୍ଚାରେ। ଆଗାମୀ ଦିନରେ ବବିଙ୍କ ଭାଇ ତଥା ପୂର୍ବତନ ନଗରପାଳ ଭବପ୍ରସାଦ ଦାସ (ଲଲ) ଯାଜପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ପ୍ରାର୍ଥୀ ହେବାର ଯୋଜନା ରହିଥିବା ବେଳେ ବବି ଅସଜଡ଼ା କୋରେଇରୁ ପ୍ରାର୍ଥୀ ହେବାକୁ ପ୍ରସ୍ତୁତି ଚଳାଇଥିବା ଚର୍ଚ୍ଚା। ସେହି ଦୃଷ୍ଟିରୁ ଯାଜପୁର ପୌରଧ୍ୟକ୍ଷ ପଦ ବବିଙ୍କ ପରିବାର ନିୟନ୍ତ୍ରଣରେ ରଖିବା ପାଇଁ ଗୋଟି ଚାଳନା କରାଯାଇଥିବା ଚର୍ଚ୍ଚା ହେଉଛି।

The post ଯାଜପୁର ଜିଲ୍ଲାର ୨ ପୌରାଧ୍ୟକ୍ଷ ଆସନ ସଂରକ୍ଷିତ: ନେତାଙ୍କ ଚାଲ୍‌ରେ ଆଶାୟୀ ହତବାକ୍ first appeared on Sambad.

from ବିଶେଷ | Sambad https://ift.tt/34ZGX4h

Post a Comment

0 Comments