ମଝି ଆକାଶରେ କରୋନା ପଜିଟିଭ ଥିବା ଜଣାପଡ଼ିବାରୁ ମହିଳା କଲେ ଏଭଳି କାମ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି। ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସବୁଆଡେ କଟକଣା କଡାକଡ଼ି ମଧ୍ୟ କରାଯାଉଛି। ଏହି କଟକଣା ପାଇଁ କିଛି ଏଭଳି ଘଟୁଛି, ଯାହା ସାଧାରଣତଃ କଳ୍ପନା ଯୋଗ୍ୟ ନୁହେଁ। ଆମେରିକାରେ ଏକ ଏଭଳି ଘଟଣା ଘଟିଥିବାର ଖବର ମିଳିଛି, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ମହିଳା ମଝି ଆକାଶରେ କରୋନା ପଜିଟିଭ ଥିବା ଜାଣିବା ପରେ ନିଜକୁ ବିମାନର ଶୌଚାଳୟରେ ୫ଘଣ୍ଟା ବନ୍ଦ କରିଦେଇଥିବା ଖବର ସାମ୍ନାକୁ ଆସିଛି। ପ୍ରଥମେ ବିମାନରେ ଥିବା ଯାତ୍ରୀ ମହିଳାଙ୍କ ଏଭଳି କାମକୁ ନେଇ ବିରକ୍ତି ପ୍ରକାଶ କରିଥିବା ବେଳେ ପରେ ପ୍ରକୃତ କାରଣ ଜାଣି ତାଙ୍କୁ ପ୍ରଶଂସା କରିଛନ୍ତି ଯାତ୍ରୀ।

ରିପୋର୍ଟ ଅନୁଯାୟୀ, ମାରିସା ଫୋଟିଓ ନାମକ ଜଣେ ମହିଳା ଚିକାଗୋରେ ରୁହନ୍ତି। ନିକଟରେ ସେ ଚିକାଗୋରୁ ଆଇସଲ୍ୟାଣ୍ଡ ଯାଉଥିବ‌ା ବେଳେ ତାଙ୍କ ଗଳାରେ ଯନ୍ତ୍ରଣା ଅନୁଭବ ହେବା ସହ ଜ୍ବର ହେବା ଭଳି ଲାଗିଥିଲା। ଏହା ପରେ ସେ ସଙ୍ଗେ ସଙ୍ଗେ ବିମାନ କର୍ମଚାରୀଙ୍କ ସହ ଯୋଗାଯୋଗ କରି ତାଙ୍କ ସମସ୍ୟା ବିଷୟରେ କହିଥିଲେ। ସମସ୍ୟା ଜାଣିବା ପରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା, ଯାହାର ରିପୋର୍ଟ ପଜିଟିଭ ଆସିଥିଲା।

ରିପୋର୍ଟଟି ପଜିଟିଭ ହେବା ମାତ୍ରେ ମରିସା ନିଜକୁ ଅନ୍ୟ ଲୋକଙ୍କଠାରୁ ଦୂରରେ ରଖିବାକୁ ସ୍ଥିର କଲେ। ତାଙ୍କ ପାଇଁ ଅନ୍ୟ ଯାତ୍ରୀମାନେ ବିପଦରେ ପଡ଼ିପାରନ୍ତି  ବୋଲି ଭାବି ‌ସେ ସଙ୍ଗେ ସଙ୍ଗେ ନିଜକୁ ବିମାନ ଶୌଚାଳୟରେ ବନ୍ଦ କରିଦେଇଥିଲେ। ପ୍ରାୟ ୫ଘଣ୍ଟା ଧରି ସେ ବିମାନ ଶୌଚାଳୟରେ ବନ୍ଦ ରହିବା ପରେ ଅବତରଣ ପରେ ବାହାରକୁ ବାହାରିଥିଲେ।

The post ମଝି ଆକାଶରେ କରୋନା ପଜିଟିଭ ଥିବା ଜଣାପଡ଼ିବାରୁ ମହିଳା କଲେ ଏଭଳି କାମ first appeared on Sambad.

from ବିଶେଷ | Sambad https://ift.tt/3EEsG9f

Post a Comment

0 Comments