ବଙ୍ଗର ସଦ୍‌ଭାବନା କଥା କହେ ହିନ୍ଦୁ ଜମିରେ ଗଢ଼ି ଉଠିଥିବା ଅମାନତି ମସ୍‌ଜିଦ୍‌

କୋଲ୍‌କାତା: ବିଦ୍ବେଷଭରା ଭାଷଣ ଏବଂ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଚାଲିଥିବା ବେଳେ ପଶ୍ଚିମବଙ୍ଗର ୨୪ ପ୍ରଗଣାର ଅମାନତି ମସ୍‌ଜିଦ୍‌ ସାମ୍ପ୍ରଦାୟିକ ସଦ୍‌ଭାବନାର ଦୃଷ୍ଟାନ୍ତ ଭାବେ ଉଭା ‌ହୋଇଛି। ସେ ଅଞ୍ଚଳର ବରଷାତ୍‌ ଅଞ୍ଚଳରେ ଏକ ହିନ୍ଦୁ ପରିବାରର ଜମିରେ ନିର୍ମିତ ଅମାନତି ମସ୍‌ଜିଦ୍‌ ହେଉଛି ଏହି ସଦ୍‌ଭାବନା ସଂସ୍କୃତିର ପ୍ରମାଣ। ବାଂଲାଦେଶରୁ ଚାଲି ଆସିବାର ୫୦ ବର୍ଷ ବିତିଯିବା ପରେ ମଧ୍ୟ ଉକ୍ତ ଜମିର ମାଲିକ ପାର୍ଥସାରଥି ବସୁଙ୍କ ପରିବାର ସେ ମସ୍‌ଜିଦ୍‌ର ଦେଖାରଖା କରୁଛନ୍ତି।

କୋଲ୍‌କାତା ଠାରୁ ପ୍ରାୟ ୨୫ କିଲୋମିଟର୍‌ ଦୂରରେ ଅବସ୍ଥିତ ଏହି ସ୍ଥାନ ସାମ୍ପ୍ରଦାୟିକ ବାସ୍ତବରେ ସଦ୍‌ଭ‌ାବନାର ଅନନ୍ୟ ନିଦର୍ଶନ ହୋଇପାରିଛି। ୧୯୬୪ ଦଙ୍ଗା ପରେ ପୂର୍ବଜଙ୍କ ଜମିକୁ ବରଷାତ୍‌ରେ ଥିବା ଏକ ମୁସଲମାନ ପରିବାରର ଜମି ସହ ବଦଳି କରି ପାର୍ଥସାରଥିଙ୍କ ଜେଜେ ବାଂଲାଦେଶର ଖୁଲଣାରୁ ସେଠାକୁ ଚାଲି ଆସିଥିଲେ। ଆସିବା ପରେ ସେ ଜମିରେ ବସୁ ପରିବାର ଗୋଟାଏ ପରିତ୍ୟକ୍ତ ମସ୍‌ଜିଦ୍‌ ଦେଖିଥିଲେ।

ପାର୍ଥ କହନ୍ତି, ଜମି କବଲାରେ ମସ୍‌ଜିଦ୍‌ କଥା ଉଲ୍ଲେଖ ନ ଥିବା ଦେଖି ଆମେ କାବା ହୋଇଯାଇଥିଲୁ। ମସ୍‌ଜିଦ୍‌ଟିକୁ ଭାଙ୍ଗି ପକାଇବାକୁ ଅନେକ ହିନ୍ଦୁ ପଡ଼ୋଶୀ ମତ ଦେଲେ କିନ୍ତୁ, ମୋ ଜେଜେ ତାକୁ ଭାଙ୍ଗିଲେ ନାହିଁ। ସେ କହନ୍ତି, ଯେକୌଣସି ପ୍ରକାରର ଧାର୍ମିକ ସ୍ଥାନକୁ ଧ୍ବଂସ କରିବା ପରିବର୍ତ୍ତେ ତା’ର ଦେଖାଶୁଣା କରିବା ଉଚିତ। ସେ ଶ୍ରଦ୍ଧାର ସହ ମସ୍‌ଜିଦ୍‌ଟିର ନବିକରଣ କରି ତା’ର ରକ୍ଷଣାବେକ୍ଷଣ କଲେ। ଏବେ ସେ ମସ୍‌ଜିଦ୍‌ଟି ଅନେକଙ୍କର ଉପାସନା ସ୍ଥାନ ପାଲଟି ଯାଇଛି।

Image Courtesy of The New Indian Express

ମସ୍‌ଜିଦ୍‌ ଚାରିପଟେ ବସୁ ପରିବାର ପ୍ରାଚୀର ବୁଲାଇଛନ୍ତି। ମସ୍‌ଜିଦ୍‌ କାନ୍ଥରେ ବଙ୍ଗଳା ଭାଷାରେ ଲେଖାଯାଇଛି, ପ୍ରଭୁଙ୍କୁ ପ୍ରଣାମ କରନ୍ତୁ। ସମ୍ପୃକ୍ତ ଅଞ୍ଚଳରେ ସ୍ବଳ୍ପ ସଂଖ୍ୟକ ସଂଖ୍ୟାଲଘୁ ସମ୍ପ୍ରଦାୟ ଥିଲେ ବି ଆଖପାଖ ଅଞ୍ଚଳରେ ବହୁସଂଖ୍ୟକ ସଂଖ୍ୟାଲଘୁ ବସବାସ କରୁଛନ୍ତି।

ସେ ମସ୍‌ଜିଦ୍‌କୁ ନିୟମିତ ଆସୁଥିବା ମୋନିମ୍‌ ଅଲି କହନ୍ତି, ସେଇଟିକୁ ଆମେ ନିଜସ୍ବ ମସ୍‌ଜିଦ୍‌ ବୋଲି ବିବେଚନା କରୁ। ପ୍ରତିଦିନ ୪ କିଲୋମିଟର୍‌ ସାଇକେଲ୍‌ ଚଳାଇ ସେଠାକୁ ଯାଏ। ମସ୍‌ଜିଦ୍‌ ପାଇଁ ବସୁ ପରିବାର ଗ୍ରହଣ କରିଥିବା ଭୂମିକାକୁ ଆମେ ସମସ୍ତେ ସମ୍ମାନ ଦେଉ।

ପାର୍ଥଙ୍କ ବାପା ଓ ଭାଇମାନେ ମସ୍‌ଜିଦ୍‌ର ଦେଖାରଖା କରନ୍ତି। ପାର୍ଥ କହନ୍ତି, ସେମାନଙ୍କ ପରି ମୁଁ ମଧ୍ୟ ଯଥାସାଧ୍ୟ ସମୟ ଦେଉଛି। ଏ ମସ୍‌ଜିଦ୍‌ ପ୍ରତି ମୋ ପୁଅର ଖୁବ୍‌ ସରାଗ। ମସ୍‌ଜିଦ୍‌ଟି ଆମ ପରିବାରର ଗୌରବ।

ବସୁଙ୍କ ସମେତ ହିନ୍ଦୁ ଓ ମୁସଲମାନଙ୍କଦ୍ବାରା ପୂଜିତ ଚିଟ୍ଟାଗଙ୍ଗର ୧୮ଶ ଶତାବ୍ଦୀର ଫକିର ଶାହା ଅମାନତ୍‌ଙ୍କ ନାମରେ ଉକ୍ତ ମସ୍‌ଜିଦ୍‌ର ନାମକରଣ କରାଯାଇଛି।

ଉଲ୍ଲେଖନୀୟ, ପ୍ରତିବର୍ଷ ରମ୍‌ଜାନ୍‌ରେ ବସୁଙ୍କ ପରିବାର ମଧ୍ୟ ମୁସଲମାନଙ୍କ ସହ ରୋଟି ଖାଇ ରୋଜା ଭାଙ୍ଗନ୍ତି।

The post ବଙ୍ଗର ସଦ୍‌ଭାବନା କଥା କହେ ହିନ୍ଦୁ ଜମିରେ ଗଢ଼ି ଉଠିଥିବା ଅମାନତି ମସ୍‌ଜିଦ୍‌ first appeared on Sambad.

from ବିଶେଷ | Sambad https://ift.tt/3pD2cR3

Post a Comment

0 Comments