ଆଇନାରେ ୨୦୨୧: ବିଭାଜିତ ନେତୃତ୍ୱ ନେଇ ଶଙ୍କା, ସମ୍ଭାବନା

୧୯୮୮ ମସିହା ପରଠାରୁ ପ୍ରଥମ ଥର ପାଇଁ ଗାବା ଷ୍ଟାଡିୟମ୍‌ରେ ଟେଷ୍ଟ୍ ମ୍ୟାଚ୍ ଜିତିବା ଏବଂ ଲଗାତାର ଭାବେ ଅଷ୍ଟ୍ରେଲିଆକୁ ତା’ ଘରୋଇ ମାଟିରେ ହରାଇବାର ସ୍ମରଣୀୟ ସଫଳତା ଭିତରେ ‘କ୍ୟାପଟେନ୍ସି ଉପାଖ୍ୟାନ’ ହିଁ ଭାରତୀୟ କ୍ରିକେଟ୍‌ର ସବୁଠାରୁ ଚର୍ଚ୍ଚିତ ଅଧ୍ୟାୟ ଥିଲା। ୟୁଏଇ ଟ୍ବେଣ୍ଟି-୨୦ ବିଶ୍ବକପ୍ ପୂର୍ବରୁ ବିରାଟ କୋହଲି ଏହି ଫର୍ମାଟ୍‌ର ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ। ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ତାଙ୍କ ହାତରୁ ଚୟନକର୍ତ୍ତାମାନେ ଦିନିକିଆ ଅଧିନାୟକ ପଦ କାଢ଼ି ନେଇଥିଲେ। ବିସିସିଆଇ ଗୋଟିଏ କଥା କହିଲା ବେଳେ କୋହଲି ଆଉ ଗୋଟିଏ କଥା କହିଥିଲେ। ରୋହିତ ଶର୍ମା ଓ ତାଙ୍କ ସଂପର୍କ ମଧ୍ୟ ଶିରୋନାମା ପାଲଟିଥିଲା।

ଏଭଳି ସ୍ଥିତିରେ ରବି ଶାସ୍ତ୍ରୀଙ୍କ ସ୍ଥାନରେ ରାହୁଲ ଦ୍ରାବିଡ଼ ଭାରତୀୟ ଦଳର ନୂଆ ପ୍ରଶିକ୍ଷକ ନିଯୁକ୍ତ ହୋଇଥିଲେ। ତେବେ ବିଭାଜିତ ନେତୃତ୍ବ ଧାରା ଭାରତୀୟ କ୍ରିକେଟ୍‌ରେ ସମ୍ଭାବନା ଓ ସଂଶୟର ବାତାବରଣ ସୃଷ୍ଟି କରିଥିଲା। ଭାରତୀୟ ଦଳ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ ହାରିବା ଏବଂ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପ୍ରଥମ ରାଉଣ୍ଡରୁ ବିଦାୟ ନେବା ଭାରତୀୟ ପ୍ରଶଂସକଙ୍କୁ ପୂରା ବାଧିଥିଲା। ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନଠାରୁ ଶୋଚନୀୟ ଭା‌ବେ ହାରିବା କିନ୍ତୁ ଭାରତୀୟ କ୍ରିକେଟ୍ ଇତିହାସର ଏକ ବଡ଼ କଳା ଦାଗ ହୋଇଥିଲା।

ବଳୟ ଭିତରେ ବଢ଼ିଲା କ୍ରିକେଟ୍
କରୋନା ପାଇଁ ୨୦୨୧ର ପ୍ରଥମାର୍ଦ୍ଧରେ ଅନ୍ତର୍ଜାତୀୟ କ୍ରିକେଟ୍ ପଡ଼ିଆ ଆପାତତଃ ଖାଲି ରହିଥିଲା। ଦ୍ବିତୀୟାର୍ଦ୍ଧରେ କିନ୍ତୁ ଏକାଧିକ ପ୍ରତି‌ଯୋଗିତାର ସଫଳ ଆୟୋଜନ ହୋଇଥିଲା। ଭାରତରୁ ସ୍ଥାନାନ୍ତର ହୋଇ ୟୁଏଇରେ ଖେଳାଯାଇଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଅଷ୍ଟ୍ରେଲିଆ ନୂଆ ବିଜେତା ଭାବେ ଉଭା ହୋଇଥିଲା। ସେହିଭଳି ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍‌ରେ ଫେବରିଟ୍ ଭାରତକୁ ମାତ୍ ନେଇ ନ୍ୟୁଜିଲାଣ୍ଡ ଟେଷ୍ଟ୍ କ୍ରିକେଟ୍‌ର ନୂଆ ବାଦଶାହ ଭାବେ ଉଭା ହୋଇଥିଲା। ବର୍ଷ ଶେଷ ବେଳକୁ ଭାରତ ଏକନମ୍ବର ଟେଷ୍ଟ୍ ଦଳ, ନ୍ୟୁଜିଲାଣ୍ଡ ଏକନମ୍ବର ଦିନିକିଆ ଦଳ ଏବଂ ଇଂଲଣ୍ଡ ଏକନମ୍ବର ଟ୍ବେଣ୍ଟି-୨୦ ଦଳ ରହିଥିଲା।

ଖେଳ ପଡ଼ିଆରେ ନାରୀ ଶକ୍ତିର ଅପୂର୍ବ ନିଦର୍ଶନ
ମହିଳାଙ୍କ ମହକରେ ବାସିଥିଲା ଖେଳ ପଡ଼ିଆ। ଅଷ୍ଟ୍ରେଲିଆର କ୍ଲାରି ପୋଲୋସାକ ପ୍ରଥମ ମହିଳା ଭାବେ ପୁରୁଷ ଟେଷ୍ଟ୍‌ରେ ଅମ୍ପାୟାରିଂ କରିଥିଲେ। ଭାରତ-ଅଷ୍ଟ୍ରେଲିଆ ସିଡ୍‌ନି ଟେଷ୍ଟ୍‌ରେ ଚତୁର୍ଥ ଅମ୍ପାୟାର ଦାୟିତ୍ବ ତୁଲାଇ ଏହି କୀର୍ତ୍ତିମାନ କରିଥିଲେ। ଭାରତର ସଫଳତମ ମହିଳା ଲମ୍ବଡିଆଁ ତାରକା ଅଞ୍ଜୁ ବବି ଜର୍ଜ କ୍ରୀଡ଼ାର ବିକାଶ ଏବଂ ଲକ୍ଷ ଲକ୍ଷ ମହିଳାଙ୍କୁ ଖେଳକୁ ପେସା କରିବା ଲାଗି ପ୍ରେରିତ କରିଥିବାରୁ ବିଶ୍ବ ଦୌଡ଼କୁଦର ‘ଓମ୍ୟାନ୍ ଅଫ୍ ଦି ଇୟର’ ପୁରସ୍କାର ଲାଭ କରିଥିଲେ। ସେପଟେ ଭାରତର ଶିଖା ପାଣ୍ଡେ ଅଷ୍ଟ୍ରେଲିଆ ବିପକ୍ଷରେ ଶତାବ୍ଦୀର ଶ୍ରେଷ୍ଠ ବଲ୍ ବୋଲିଂ କରିବାର କୀର୍ତ୍ତିମାନ କରିଥିଲେ। ଭାରତ-ଅଷ୍ଟ୍ରେଲିଆ‌ ଦ୍ବିତୀୟ ଟ୍ବେଣ୍ଟି-୨୦ରେ ଆସ୍‌ଲେ ହିଲିଙ୍କୁ ବୋଲ୍ଡ କଲା ବେଳେ ସେ ବୋଲିଂ କରିଥିବା ବଲ୍ ଅବିଶ୍ବସନୀୟ ଭାବେ ଘୂରିଥିଲା। ଏହା କରି ସେ ଅଷ୍ଟ୍ରେଲୀୟ କିଂବଦନ୍ତି ସେନ୍ ୱର୍ଣ୍ଣଙ୍କୁ ପଛରେ ପକାଇ ଦେଇଥିଲେ।

ଶ୍ରୀକାନ୍ତଙ୍କ ଐତିହାସିକ ସଫଳତା
ବ୍ୟାଡ୍‌ମିଣ୍ଟନ୍ କୋର୍ଟରେ କିଦାମ୍ବି ଶ୍ରୀକାନ୍ତ ଇତିହାସ ରଚିଥିଲେ। ପ୍ରଥମ ଭାରତୀୟ ପୁରୁଷ ଭାବେ ବିଶ୍ବବ୍ୟାଡମିଣ୍ଟନ୍‌ ପ୍ରତିଯୋଗିତାର ଫାଇନାଲ୍ ଖେଳିଥିଲେ। ସେଠାରେ ଅବଶ୍ୟ ହାରି ଯାଇ ରୌପ୍ୟରେ ସନ୍ତୁଷ୍ଟ ରହିଥିଲେ। ତଥାପି ତାଙ୍କର ଏହି ସଫଳତା ପରେ ଭାରତୀୟ ବ୍ୟାଡମିଣ୍ଟନ୍ ଇତିହାସରେ ସଫଳତାର ନୂଆ ଫର୍ଦ ଯୋଡ଼ି ହୋଇଯାଇଥିଲା।

The post ଆଇନାରେ ୨୦୨୧: ବିଭାଜିତ ନେତୃତ୍ୱ ନେଇ ଶଙ୍କା, ସମ୍ଭାବନା first appeared on Sambad.

from ବିଶେଷ | Sambad https://ift.tt/30HgQNw

Post a Comment

0 Comments