କନକ ନ୍ୟୁଜ୍‌ ମେକର ୨୦୨୧: ‘କଳଙ୍କ ମୁଣ୍ଡେଇଲା ବିଧାନସଭା’

ବିରୋଧୀ ନବୀନଂ ଶରଣଂ ଗଚ୍ଛାମି ‌କଲେ ଗୃହ ଠିକ୍‌ ଚାଲିବ: ନରସିଂହ ମିଶ୍ର
ରାଜ୍ୟର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ: ଦେବୀ ମିଶ୍ର

ଭୁବନେଶ୍ବର : ୨୦୨୧ ମସିହାରେ ଘଟିଥିବା ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାରେ ସବୁ ସତକୁ ଲୁଚାଇ ଦିଆଗଲା। ନୀତି ଆୟୋଗଙ୍କ ରିପୋର୍ଟରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଥିଲା ଯେ ରାଜ୍ୟରେ ୩୦ ପ୍ରତିଶତ ଗରିବ। ସେ ପ୍ରସଙ୍ଗ ମଧ୍ୟ ଆଲୋଚନାକୁ ଆସିଲାନି। ସରକାର ଯାହା ଚାହିଲେ, ବାଚସ୍ପତି ସେଇଆ କଲେ। ବିରୋଧୀ ଦଳ ବିଧାନସଭା ଭିତରେ ଘଣ୍ଟ ବାଡ଼େଇଲେ, ଗୋବର ପାଣି ଛିଞ୍ଚିଲେ। ଅପରପକ୍ଷେ ଶାସକଦଳ ବି ବିରୋଧୀଙ୍କ ସ୍ବରକୁ ଭଣ୍ଡୁର କରିବାକୁ ରାଜରାସ୍ତାକୁ ଓହ୍ଲାଇଲା। ପ୍ରଥମ ଥର ପାଇଁ ବିଧାନସଭା‌ କଳଙ୍କିତ ହେଲା, କଳୁଷିତ ହେଲା। ପୂର୍ବରୁ ଏଭଳି କଳଙ୍କ କେବେ ବିଧାନସଭା ମୁଣ୍ଡାଇନଥିଲା। କନକ ନ୍ୟୁଜ୍ ଚ୍ୟାନେଲ୍‌ରେ ଅନୁଷ୍ଠିତ ନ୍ୟୁଜ୍‌ ମେକର କାର୍ଯ୍ୟକ୍ରମରେ କନକ ନ୍ୟୁଜ୍‌ର ଏଡିଟର ମନୋରଞ୍ଜନ ମିଶ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ଏଭଳି କହିଥିଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର।

‘ବିଧାନସଭା କାହିଁକି ଚାଲିପାରିଲା ନାହିଁ?’ ଏହି ପ୍ରଶ୍ନର ଉତ୍ତରରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ମମିତା ପ୍ରସଙ୍ଗରେ ରାଜ୍ୟର ୫୦ ପ୍ରତିଶତ ମହିଳାଙ୍କ ଆବେଗ ଜଡ଼ିତ ଥିଲା। ଏଣୁ ଏହାକୁ ଗୁରୁତ୍ବ ଦେଇ ଆମେ ମମିତା ପ୍ରସଙ୍ଗରେ ସରକାର ଆଲୋଚନା କରନ୍ତୁ ବୋଲି ଦାବି କରିଥିଲୁ। ମମିତା ଭିନ୍ନ ଅନେକ ପ୍ରସଙ୍ଗ ମଧ୍ୟ ଥିଲା। ହେଲେ ପ୍ରଥମ ପ୍ରସଙ୍ଗକୁ ସରକାର ଆଲୋଚନାକୁ ଆଣିଲେ ନାହିଁ। ଯେଉଁଠି ଆଲୋଚନା ହିଁ ଆରମ୍ଭ ହେଲା ନାହିଁ, ସେଠାରେ ଅନ୍ୟ ପ୍ରସଙ୍ଗ କଥା ଉଠୁଛି କେଉଁଠୁ ବୋଲି ଶ୍ରୀ ମିଶ୍ର ପାଲଟା ପ୍ରଶ୍ନ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ପରିସ୍ଥିତି ଏଭଳି ହୋଇଛି ଯେ ବିରୋଧୀ ଦଳ ବି ‘ନବୀନଂ ଶରଣଂ ଗଚ୍ଛାମି’ କଲେ ହିଁ ସବୁ ଠିକ୍‌ ଚାଲିବ ବୋଲି ଷଡ଼୍‌ଯନ୍ତ୍ର ପ୍ରସ୍ତୁତ ହୋଇ ରହିଛି। କରୋନା ଆଳରେ ମୁଖ୍ୟମନ୍ତ୍ରୀ ବିଧାନସଭା ଆସୁନାହାନ୍ତି। ଶିଳାନ୍ୟାସ, ଉଦ୍‌ଘାଟନ ଓ କାର୍ଡ ବାଣ୍ଟିବା ବେଳକୁ ସମୟ ଅଛି, କରୋନା ହେଉନାହିଁ, ଅଥଚ ସମଗ୍ର ରାଜ୍ୟ ପାଇଁ ଆଇନ ତିଆରି ହେଉଥିବା ବିଧାନସଭାକୁ ଆସିବା ବେଳକୁ କରୋନା ସଂକ୍ରମଣ ବାହାନା ନିଆଯାଉଛି। ବିରୋଧୀ ତ ପ୍ରଶ୍ନ କରିବେ। ଏହା ସେମାନଙ୍କର ଅଧିକାର। କିନ୍ତୁ ସରକାର ଲୁଚିବେ କାହିଁକି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ। ଆମେ ଜଳସେଚନ ଉପରେ ପ୍ରଶ୍ନ କରିଥିଲୁ। ଯେତିକି ଜମି ଅଛି ତା’ ଠାରୁ ୩୦ ପ୍ରତିଶତ ଅଧିକ ଜମି ଜଳସେଚିତ ହୋଇଛି ବୋଲି ବିଚିତ୍ର ଉତ୍ତର ମିଳିଛି। ଭାଗଚାଷୀ ଆଇନସମ୍ମତ ନୁହନ୍ତି, କିନ୍ତୁ କାଳିଆ ଯୋଜନରେ ଭାଗଚାଷୀଙ୍କୁ ସହାୟତା ଦିଆଯାଇଛି। ପ୍ରାୟ ସବୁ ପ୍ରଶ୍ନର ଉତ୍ତର ହେଉଛି ‘ତଥ୍ୟ ଯୋଗାଡ଼ ଚାଲିଛି’। ବିଧାନସଭା ଓ ଲୋକସେବା ଭବନକୁ ସାମ୍ବାଦିକଙ୍କୁ ଛାଡ଼ୁ ନାହାନ୍ତି। ସରକାରଙ୍କର ଏତେ ଡର କାହିଁକି ବୋଲି କଟାକ୍ଷ କରିଥିଲେ ଶ୍ରୀ ମିଶ୍ର।

ସେହିଭଳି ସମାଲୋଚନା ଛଳରେ ବିଜୟ ମହାପାତ୍ର କହିଛନ୍ତି ଯେ ସ୍ମାର୍ଟ ସ୍କୁଲ ହେଉଛି, ଅଥଚ ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି। ବଡ଼ବଡ଼ ମେଡିକ‌ାଲ ହେଉଛି, କିନ୍ତୁ ଡାକ୍ତର ନାହାନ୍ତି। ଏହା କି ପ୍ରକାର ବିକାଶ? ପ୍ରଗତି ଓ ବିକାଶକୁ କେହି ବିରୋଧ କରୁନାହାନ୍ତି। କିନ୍ତୁ ଯୋଜନା ପଛରେ ସ୍ବଚ୍ଛତା ରହିବା ଆବଶ୍ୟକ। ଯାହା ଏବେ ନାହିଁ ବୋଲି ଶ୍ରୀ ମହାପାତ୍ର କହିଥିଲେ। କେତେକ ମୁଷ୍ଟିମେୟ ଅଧିକାରୀ ସ୍ବଚ୍ଛାଚାରିତା କରୁଛନ୍ତି ଓ ସେମାନଙ୍କ ଇଙ୍ଗିତରେ ସରକାର ଚାଲୁଛି ବୋଲି ସେ କହିଥିଲେ। ଶ୍ରୀମନ୍ଦିରରେ କେତେ ଟଙ୍କା ଖର୍ଚ୍ଚ ହେଲା ସେ ନେଇ ସୂଚନା ଦେବା କଥା। ଆଇନ ବିଭାଗ ସୂଚନା ଦେଇଛି ମନ୍ଦିର ପ୍ରଶାସନ ଯେଉଁ ୟୁସି ଦେଇଥିଲା, ତାହା ଲୋକସେବା ଭବନରୁ ଚୋରି ହୋଇଯାଇଛି। ଏଣୁ ସୂଚନା ଦେଇ ହେବନି। ଏହା ବଡ଼ ସଂଗିନ୍ କଥା ନୁହେଁ କି ବୋଲି ସେ ପ୍ରଶ୍ନ କରିଥିଳେ। ଏଜି ଯେଉଁ ସୂଚନା ମାଗିଥିଲେ, ଆଇନ ବିଭାଗ ଲେଖିଛି ଏଜିଙ୍କୁ ହିସାବ ଦେବୁନି। ଇଏ କେମିତିକା ଶାସନ? ଏହା ସ୍ବେଚ୍ଛାଚାରିତାର ଚରମ ପ୍ରଦର୍ଶନ ବୋଲି ସେ କହିଥିଲେ।

ଏସବୁର ଉତ୍ତରରେ ବିଧାୟକ ଦେବୀ ମିଶ୍ର କହିଥିଲେ ଯେ ସରକାର କୌଣସି ପ୍ରସଙ୍ଗରେ ଆଲୋଚନା କରିବାକୁ ମନା କରିନାହାନ୍ତି। ବିଧାନସଭା ସୁରୁଖୁରରେ ଚଲାଇବାରେ କେବଳ ବାଚସ୍ପତିଙ୍କ ଭୂମିକା ନଥାଏ, ସରକାର, ବିରୋଧୀଙ୍କ ସହଯୋଗ ଆବଶ୍ୟକ ରହିଛି। ଆଲୋଚନା ପାଇଁ ବାଟ ନକରି ବିଧାନସଭା ଆରମ୍ଭରୁ ଘଣ୍ଟ ବଜେଇଲେ, ଗୋବର ପାଣି ପକାଇଲେ। ଏହା ଏକ ଅଡ଼ୁଆ ପରିସ୍ଥିତି ସୃଷ୍ଟି କଲା। ତେଣୁ ବିଧାନସଭା ଅଚଳ କରିବା ପଛରେ ବିରୋଧୀମାନେ ବି ଦାୟୀ ବୋଲି ସେ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ନୀତି ଆୟୋଗଙ୍କ ଅନୁସାରେ ବିଭିନ୍ନ ଭିତ୍ତିଭୂମି ପ୍ରସ୍ତୁତିରେ ଓଡ଼ିଶା ସଫଳ ହୋଇଛି। ବିଭିନ୍ନ ଯୋଜନାର ସଫଳ ରୂପାୟନରେ ରାଜ୍ୟ ଏକ ନମ୍ବର ହୋଇଛି। ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ମତ୍ସ୍ୟ ଚାଷ‌ରେ ଓଡ଼ିଶା ରେକର୍ଡ କରିଛି। ରପ୍ତାନି ମଧ୍ୟ ବଢ଼ିଛି। ରାଜ୍ୟ ବିକାଶ ପଥରେ ଚାଲିଛି ଓ ଏଥିପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ।

The post କନକ ନ୍ୟୁଜ୍‌ ମେକର ୨୦୨୧: ‘କଳଙ୍କ ମୁଣ୍ଡେଇଲା ବିଧାନସଭା’ first appeared on Sambad.

from ବିଶେଷ | Sambad https://ift.tt/3mspR4L

Post a Comment

0 Comments