‘ନ୍ୟୁଜ୍‌ ମେକର’ରେ ଇଶାକ୍‌, ମାଟିଲ୍‌ଦା ସମ୍ବର୍ଦ୍ଧିତ

ଭୁବନେଶ୍ବର : କନକ ନ୍ୟୁଜ୍‌ ପକ୍ଷରୁ ଆୟୋଜିତ ନ୍ୟୁଜ୍‌ ମେକର-୨୦୨୧ କାର୍ଯ୍ୟକ୍ରମରେ ଆଜି ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସୁନ୍ଦରଗଡ଼ ଗରଗଡ଼ବାହାଲ ଗ୍ରାମର ଆଶାର୍କମୀ ମାଟିଲ୍‌ଦା କୁଲୁ। କରୋନା ସମୟରେ ଘର ଘର ବୁଲି ସ୍ବାସ୍ଥ୍ୟ କଥା ବୁଝିବା ସହ କରୋନା ନେଇ ସଚେତନତା ସୃଷ୍ଟି କରିବାରେ ସେ ଚର୍ଚ୍ଚାକୁ ଆସିଥିଲେ। ଚର୍ଚ୍ଚିତ ଫୋର୍ବସ୍‌ ମାଗାଜିନ୍‌ରେ ତାଙ୍କ କାହାଣୀ ସ୍ଥାନ ପାଇଥିଲା। ସାଇକେଲ୍‌ରେ ବୁଲି ଆଦିବାସୀମାନଙ୍କୁ କରୋନା କଟକଣା ସମ୍ବନ୍ଧରେ ବୁଝାଇବା ସହ ଟିକା ନେବାକୁ ଅମଙ୍ଗ ଥିବା ଲୋକଙ୍କୁ ବୁଝାଇ ପାରିଥିଲେ। ଦୀର୍ଘ ୧୫ ବର୍ଷ ଧରି ଜଣେ ଆଶାକର୍ମୀ ଭାବରେ ତାଙ୍କର ସେବା ପାଇଁ ସେ ଚର୍ଚ୍ଚାରେ ରହିଥିଲେ।

ସେହିଭଳି ଆଉ ଜଣେ ଚର୍ଚ୍ଚିତ ଆଦିବାସୀ ଯୁବକ ହେଉଛନ୍ତି ସମ୍ବଲପୁର ଜୁଜୁମରା ବ୍ଲକ ବାବୁପଲ୍ଲୀ ଗ୍ରାମର ଇଶାକ୍‌ ମୁଣ୍ଡା। କରୋନାରେ ରୋଜଗାର ହରାଇବା ପରେ ସେ ପରିବାର ପ୍ରତିପୋଷଣ ପାଇଁ ଚିନ୍ତାରେ ପଡ଼ିଥିଲେ। ସଞ୍ଚିଥିବା ୩ ହଜାର ଟଙ୍କା ଜମା କରିବା ପରେ କିସ୍ତିରେ ଟଙ୍କା ଦେଇ ଏକ ସ୍ମାର୍ଟ ଫୋନ୍‌ କିଣିଥିଲେ। ଫୋନ୍‌ ଜରିଆରେ ୟୁ ଟ୍ୟୁବ୍‌ରେ ସେ ନିଜର କାହାଣୀ ଓ ଆଦିବାସୀଙ୍କ ଚଳଣୀ ସମ୍ପର୍କରେ ଭିଡିଓ ଅପ୍‌ଲୋଡ୍‌ କରିଥିଲେ। ବାସି ପଖାଳ ସହ କଞ୍ଚାଲଙ୍କା ଖାଇବାର ଦୃଶ୍ୟ ମଧ୍ୟ ଏଥିରେ ରହିଥିଲା। ମାତ୍ର କେଇଟା ଦିନ ଭିତରେ ଏହି ଭିଡିଓକୁ ଲକ୍ଷ ଲକ୍ଷ ଦର୍ଶକ ଦେଖିଥିଲେ। କ୍ରମାଗତ ଭାବରେ ତାଙ୍କର ଅନୁଗାମୀ ଓ ଦର୍ଶକଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିଲା। ଏଣୁ ୟୁଟ୍ୟୁବ୍‌ରୁ ତାଙ୍କର ବେଶ୍‌ ଭଲ ରୋଜଗାର ହୋଇଥିଲା। ମାସକୁ ସର୍ବାଧିକ ସେ ୧ ଲକ୍ଷ ୨୫ ହଜାର ଟଙ୍କା ରୋଜଗାର କରିଥିଲେ। ବଡ଼କଥା ହେଉଛି ପ୍ରଧାନମନ୍ତ୍ରୀ ତାଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଇଶାକ୍‌ଙ୍କ କଥା ଉପସ୍ଥାପନ କରିଥିଲେ। ଅନ୍ୟ ଯୁବକମାନଙ୍କ ପାଇଁ ସେ ଉଦାହରଣ ଓ ପ୍ରେରଣା ବୋଲି କହିଥିଲେ। ତାଙ୍କୁ ଆଜି ନ୍ୟୁଜ୍‌ ମେକର-୨୦୨୧ରେ ସମ୍ବର୍ଦ୍ଧିତ କରାଯାଇଛି। ଉଭୟଙ୍କୁ ସମ୍ବାଦ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଓ କନକ ନ୍ୟୁଜ୍‌ ଏଡିଟର ମନୋରଞ୍ଜନ ମିଶ୍ର ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟ ଅତିଥିମାନଙ୍କୁ ସମ୍ବାଦ ଗ୍ରୁପ୍‌‌ ଅଧ୍ୟକ୍ଷ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ କନକ ନ୍ୟୁଜ୍‌ ଆଙ୍କର ସୌମ୍ୟା ତ୍ରିପାଠୀ।

The post ‘ନ୍ୟୁଜ୍‌ ମେକର’ରେ ଇଶାକ୍‌, ମାଟିଲ୍‌ଦା ସମ୍ବର୍ଦ୍ଧିତ first appeared on Sambad.

from ବିଶେଷ | Sambad https://ift.tt/32yXkDG

Post a Comment

0 Comments