ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନ: ପଠାଣି ସାମନ୍ତଙ୍କ ମାଟିର ଆଉ ଜଣେ ବିଖ୍ୟାତ ବିଜ୍ଞାନୀ

ଅଖ୍ୟାତ ପଲ୍ଲୀ ଘଣାଶାଳିଆରୁ ବିଖ୍ୟାତ ହୋଇଥିଲେ ଭାରତର ବିଶିଷ୍ଟ ତାତ୍ତ୍ବିକ ପଦାର୍ଥ ବିଜ୍ଞାନୀ ତ୍ରିଲୋଚନ ପ୍ରଧାନ। ରାଜ୍ୟର ଉଚ୍ଚଶିକ୍ଷା ଗବେଷଣା, ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଶିକ୍ଷାବିତ୍‌ ପ୍ରଫେସର ପଦ୍ମଭୂଷଣ ତ୍ରି‌ଲୋଚନ ପ୍ରଧାନଙ୍କର ଚଳିତ ମାସ ୪ ତାରିଖରେ ପରଲୋକ ହୋଇଯାଇଛି। ପଦାର୍ଥ ବିଜ୍ଞାନ ଗବେଷଣା କ୍ଷେତ୍ରରେ ତାଙ୍କର ଅବଦାନ ଉଲ୍ଲେଖନୀୟ। ରାଜ୍ୟ ତଥା ଦେଶମାତୃକାର ଏହି କୃତି ସନ୍ତାନ ୧୯୨୯ ଜାନୁଆରି ୩ ତାରିଖରେ ତତ୍‌କାଳୀନ ଖଣ୍ଡପଡ଼ାଗଡ଼ ତଥା ବର୍ତ୍ତମାନର ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍‌ର ନୀଳମାଧବ କଣ୍ଟିଲୋ ପୀଠ ନିକଟସ୍ଥ ଘଣାଶାଳିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ପଠାଣି ସାମନ୍ତଙ୍କ ପରେ ସେହି ମାଟିରୁ ଆଉ ଜଣେ ବିଶ୍ବବିଖ୍ୟାତ ବିଜ୍ଞାନୀ ହେଉଛନ୍ତି ତ୍ରିଲୋଚନ। ତାଙ୍କ ବିୟୋଗରେ ଜନ୍ମମାଟି ନୟାଗଡ଼ ସମେତ ସାରା ରାଜ୍ୟ, ଦେଶ ତଥା ବିଜ୍ଞାନ ଜଗତ ଝୁରୁଛି। ତାଙ୍କର ଏକାଦଶାହ ଉପ‌ଲକ୍ଷେ ‘ସମ୍ବାଦ’ର ସ୍ବତନ୍ତ୍ର ଉପସ୍ଥାପନା। ପ୍ରସ୍ତୁତି: ରିତେନ୍ଦ୍ର ଛାଟୋଇ; ସହଯୋଗ: ସୁକାନ୍ତ ମିଶ୍ର

ନୟାଗଡ଼ରୁ ସିକାଗୋ ଯାଏଁ ଘୂରିବୁଲିଥିବା ପ୍ରଫେସର ତ୍ରିଲୋଚନ ପ୍ରଧାନ ନୟାଗଡ଼ ଜିଲ୍ଲା ସଦର ମହକୁମାସ୍ଥିତ ବ୍ରଜେନ୍ଦ୍ର ହାଇସ୍କୁଲରୁ ସ୍କୁଲ୍‌ ଶିକ୍ଷା ‌‌ଶେଷ କରିଥିଲେ। ୧୯୪୫ରେ ରେଭେନ୍ସା କଲେଜରେ ପଦାର୍ଥ ବିଜ୍ଞାନ ସମ୍ମାନରେ ଉତ୍ତୀର୍ଣ୍ଣ ହୋଇଥିଲେ। ତାଙ୍କ ବ୍ୟାଚ୍‌ର ଶ୍ରେଷ୍ଠ ସ୍ନାତକ ଭାବେ ବିବେଚିତ ହେବା ସହିତ ମୟୂରଭଞ୍ଜ ଗୋଲ୍ଡ ମେଡାଲ୍‌ ମଧ୍ୟ ପାଇଥିଲେ। ଏହା ପରେ ୧୯୪୯ରେ ଏମ୍‌ଏସ୍‌ସି ପଢ଼ିବା ନିମନ୍ତେ ସେ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ ଯାଇଥିଲେ। ସେଠାରେ ମଧ୍ୟ ସେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏମ୍‌ଏସ୍‌ସି ଶିକ୍ଷା ଶେଷ କରି ସେ ପୁଣି କଟକ ଫେରିଥିଲେ ଏବଂ ନିଜେ ପାଠ ପଢ଼ିଥିବା ରେଭେନ୍ସ କଲେଜରେ ଅଧ୍ୟାପକ ଭାବେ ଯୋଗ ଦେଇଥି‌ଲେ। ଏହା ପରେ ୧୯୫୩ରେ ପିଏଚ୍‌ଡି ପାଇଁ ଆମେରିକାର ସିକାଗୋ ବିଶ୍ବବିଦ୍ୟାଳୟ ଯାଇଥି‌ଲେ। ସେଠାରେ ଏର୍ନିଗୋ ଫର୍ଣ୍ଣିଙ୍କ ଭଳି ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ତାଙ୍କର ଶିକ୍ଷକ ଥିଲେ।

ପଦ୍ମଭୂଷଣ ଉପାଧି ଗ୍ରହଣ

ଗବେଷଣା ସାରି ୧୯୫୮ରେ ଭାରତ ଫେରିଥିଲେ। କ୍ବାଣ୍ଟମ୍‌ ଥିଓରିରେ ସେ ଅଗ୍ରଗଣ୍ୟ ଥିଲେ। ୧୯୪୫ ମସିହାରେ ରେଭେନ୍ସାରୁ ପଦାର୍ଥ ବିଜ୍ଞାନ ସମ୍ମାନ‌ରେ ସ୍ନାତକ ଶିକ୍ଷା ପରେ ୧୯୪୯ରେ ଏମ୍‌ଏସ୍‌ସି ପଢ଼ିବାକୁ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ ଯାଇଥିଲେ। ୧୯୫୧ରେ ଏମ୍‌ଏସ୍‌ସି ସମାପ୍ତ ପରେ ସେ ‌ରେଭେନ୍ସାରେ ଅଧ୍ୟାପକ ଭାବେ ଯୋଗ ଦେଇ ଦୁଇ ବର୍ଷ କାର୍ଯ୍ୟ କରିବା ପରେ ୧୯୫୩ରେ ପିଏଚ୍‌ଡି କରିବାକୁ ଆମେରିକାର ସିକାଗୋ ବିଶ୍ବବିଦ୍ୟାଳୟ ଯାଇଥିଲେ। ‘ଇଲେକ୍‌ଟ୍ରୋନ୍‌ କ୍ୟାପଚର୍‌ଡ ବାଏ ପ୍ରୋଟନ୍ସ ପାସିଂ ଥ୍ରୋ ହାଇଡ୍ରୋଜେନ୍‌’ ବିଷୟର ସେ ପିଏଚ୍‌ଡି କରିଥିଲେ। ଏମ୍‌. ଗୋଲ୍ଡ ବେରଗରଙ୍କ ତତ୍ତ୍ବାବଧାନରେ ୧୯୫୬ରେ ପିଏଚ୍‌ଡି ଶେଷ କରିଥିଲେ। ଏହା ପରେ ସେ ସିକାଗୋରେ ରହିଯାଇଥିଲେ। ୧୯୫୬-୫୭ରେ ପ୍ରସିଦ୍ଧ ନଭୋବିଦ୍ୟା ବିଜ୍ଞାନୀ ଏସ୍‌. ଚନ୍ଦ୍ରଶେଖରଙ୍କ ଅଧୀନରେ ପୋଷ୍ଟ୍‌ ଡକ୍ଟରାଲ୍‌ ଡିଗ୍ରି କରିଥିଲେ। ୧୯୫୭-୫୮ରେ ନିଲ୍‌ସ ବୋର୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ଦ୍ବିତୀୟ ପୋଷ୍ଟ ଡକ୍ଟରାଲ ଡିଗ୍ରି କରିଥିଲେ। ଯେଉଁଠି ସେ କ୍ବାଣ୍ଟମ୍‌ ଥିଓରି ସମ୍ପର୍କରେ ଗବେଷଣା କାର୍ଯ୍ୟ କରିଥିଲେ। ଏହା ପରେ ସେ ୧୯୫୮ରେ ଭାରତ ଫେରି ପୁନର୍ବାର ରେଭେନ୍ସାରେ ଯୋଗ ଦେଇଥିଲେ। ୧୯୬୨ରେ ଶାହା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ନ୍ୟୁକ୍ଲିୟର୍‌ ଫିଜିକ୍ସରେ ଯୋଗ ଦେଇଥିଲେ। ୪ ବର୍ଷ କାଳ ଏଠାରେ ଛାତ୍ରଛାତ୍ରୀମାନେ ତାଙ୍କ ଦ୍ବାରା ଗଭୀର ଭାବେ ପ୍ରଭାବିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଅନେକ ଦକ୍ଷ ପଦାର୍ଥ ବିଜ୍ଞାନୀ ହୋଇପାରିଥିଲେ।

ବିଜ୍ଞାନୀ ତ୍ରିଲୋଚନ ଓ ପତ୍ନୀ

୧୯୬୨ ମସିହା ବେଳକୁ ପ୍ରଧାନଙ୍କ ପ୍ରସିଦ୍ଧି କ୍ରମେ ବଢ଼ିଚାଲିଥିଲା। ସେ ପୁନର୍ବାର ‌ରେଭେନ୍ସା ତଥା ଓଡ଼ିଶା ଛାଡ଼ିଥିଲେ। ୧୯୬୨ରେ ଶାହା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ନ୍ୟୁକ୍ଲିୟର ଫିଜିକ୍ସ, କଲିକତାରେ ଯୋଗ ଦେଇଥିଲେ। ଏଠାରେ ସେ ଥିଓରିଟିକାଲ୍‌ ନ୍ୟୁକ୍ଲିୟର ଫିଜିକ୍ସରେ ସହକାରୀ ପ୍ରଫେସର ଭାବେ କାର୍ଯ୍ୟ କରିଥିଲେ। ସେଠାରେ ଏମ୍‌ଏସ୍‌ସି ଶିକ୍ଷା ବିଭାଗକୁ ସୁଦୃଢ଼ କରିପାରିଥି‌ଲେ। ୧୯୬୫ରେ ଏଠାରେ କାର୍ଯ୍ୟରତ ଏମ୍‌.କେ ବାନାର୍ଜୀ ଆମେରିକା ଯିବା ପରେ ତ୍ରିଲୋଚନ ଏଠାକାର ଥିଓରି ଡିଭିଜନ୍‌ରେ ମୁଖ୍ୟ ହୋଇ ପ୍ରଫେସର୍‌ ଭାବେ ୧୯୭୪ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ୧୯୭୪ରେ ତ୍ରିଲୋଚନ ଶାହା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ନ୍ୟୁକ୍ଲିୟର ଫିଜିକ୍ସ କଲିକତା ଛାଡ଼ିଥିଲେ। ସେ‌ତେ‌ବେଳେ ଓଡ଼ିଶା ସରକାର ନୂତନ ଭାବେ ରାଜଧାନୀ ଭୁବନେଶ୍ବରରେ ପ୍ରତିଷ୍ଠା କରିଥିବା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିକ୍ସରେ ପ୍ରତିଷ୍ଠାତା ନିର୍ଦ୍ଦେଶକ ଭାବେ ଯୋଗ ଦେଇଥିଲେ। ୧୯୭୨ରେ ଓଡ଼ିଶା ସରକାର ଏହା ପ୍ରତିଷ୍ଠା କରିଥିବା ବେଳେ, ବାସ୍ତବରେ ପ୍ରଫେସର ପ୍ରଧାନ ଯୋଗ ଦେବା ପରେ ହିଁ ଏହା କାର୍ଯ୍ୟକ୍ଷମ ହୋଇଥିଲା। ସେତେବେଳେ ସହିଦ ନଗରରେ ଏହା ଏକ ଭଡ଼ା ଘରେ ଚାଲିଥିଲା। କେତେ ଖଣ୍ଡ ଟେବୁଲ, ଚେୟାର୍‌, ବହି କେବଳ ଏଠାରେ ଥିଲା। ପ୍ରଧାନଙ୍କ ‌ଗବେଷଣାତ୍ମକ ମନୋବୃତ୍ତି, ପଦାର୍ଥ ବିଜ୍ଞାନର ଉନ୍ନତି ପାଇଁ ଚେଷ୍ଟା ଲାଗି କ୍ରମେ ଧୀରେ ଧୀରେ ଏହି ଅନୁଷ୍ଠାନ ଆଜି ଏକ ମହାଦ୍ରୁମରେ ପରିଣତ ହୋଇଛି। ୧୯୮୯ରେ ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ହୋଇଥିଲେ। ୧୯୮୯ରେ ସେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିକ୍ସରୁ ସେବାନିବୃତ୍ତ ହୋଇଥିଲେ।

ସେହି ସମାନ ବର୍ଷରେ ତାଙ୍କୁ ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ମିଳିଥିଲା। ୧୯୯୧ ପର୍ଯ୍ୟନ୍ତ ସେ ଏହି ପଦବିରେ ରହିଥିଲେ। ସେ କୁଳପତି ଥିବା ସମୟରେ ଇଣ୍ଡିଆନ୍‌ ଏକାଡେମି ଅଫ୍‌ ସାଇନ୍ସ, ବାଙ୍ଗାଲୋରର ବାର୍ଷିକ ଏକା‌ଡେମି ବୈଠକ ଭୁବନେଶ୍ବରରେ କରାଇଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟ ଓ ଏକାଡେମିର ମିଳିତ ସହଯୋଗରେ ଏହା କରାଯାଇଥିଲା। ସେ ସମୟରେ ଏହା ଏକାଡେମିର ଶ୍ରେଷ୍ଠ ବୈଠକ ଥିଲା। ଦୁଇ ଗୋଟି ପୁସ୍ତକ ‘ଦି ଫୋଟନ୍‌’, ‘କ୍ବାଣ୍ଟମ୍‌ ମେକାନିକ୍‌ସ’ ଲେଖିଥିଲେ। ‘ଦି ଫୋଟନ୍‌’ ପୁସ୍ତକକୁ ନ୍ୟୁୟର୍କର ନୋଭା ପବ୍ଲିକେଶନ୍‌ ପ୍ରକାଶ କରିଥିବା ବେଳେ, ‘କ୍ବାଣ୍ଟମ୍‌ ମେକାନିକ୍‌ସ’କୁ ହାଇଦ୍ରାବାଦ ୟୁନଭର୍ସିଟି ପ୍ରେସ୍‌ ପ୍ରକାଶ କରିଥିଲା। ଏଥି ସହିତ ସେ ଅନେକ ପୁସ୍ତକର ସମ୍ପାଦନା ମଧ୍ୟ କରିଥିଲେ। ୟୁ‌ରୋପ ଭଳି ବିଦେଶର ଜର୍ଣ୍ଣାଲରେ ମଧ୍ୟ ତାଙ୍କର ଲେଖା ପ୍ରକାଶ ପାଉଥିଲା। ବିଜ୍ଞାନ କ୍ଷେତ୍ରରେ ତାଙ୍କର ଅବଦାନକୁ ସମ୍ମାନ ଜଣାଇ ୧୯୯୦ ମସିହାରେ ଭାରତ ସରକାର ପ୍ରଫେସର ତ୍ରିଲୋଚନ ପ୍ରଧାନଙ୍କୁ ପଦ୍ମଭୂଷଣ ଉପାଧିରେ ଭୂଷିତ କରିଥିଲେ। ଏଥି ସହିତ ସେ ମେଘନାଦ ଶାହା ସମ୍ମାନ ସମେତ ୨୦୧୪ରେ କଳିଙ୍ଗ ସମ୍ମାନ, ୨୦୧୮ରେ କଳିଙ୍ଗ ରତ୍ନ ସମ୍ମାନ ଲାଭ କରିଥିଲେ। ରାଜ୍ୟ ସରକାରଙ୍କ ବହୁ କମିଟିର ସଦସ୍ୟ ମଧ୍ୟ ରହିଥିଲେ। ୧୯୭୪ରେ ଇଣ୍ଡିଆନ୍‌ ଏକାଡେମି ଅଫ୍‌ ସାଇନ୍ସର ଫେଲୋ ଥିଲେ।

The post ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନ: ପଠାଣି ସାମନ୍ତଙ୍କ ମାଟିର ଆଉ ଜଣେ ବିଖ୍ୟାତ ବିଜ୍ଞାନୀ first appeared on Sambad.

from ବିଶେଷ | Sambad https://ift.tt/3pVQGzi

Post a Comment

0 Comments