
ନୂଆଦିଲ୍ଲୀ: ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ତେଣୁ ଏହାର ଲକ୍ଷଣ ବାବଦରେ ଜାଣିବା ନିହାତି ଆବଶ୍ୟକ । ଗବେଷକମାନେ ଏହି ଭାରିଆଣ୍ଟର ଏପରି କିଛି ଲକ୍ଷଣ ବିଷୟରେ ସୂଚନା ଦେଇଛନ୍ତି ଯାହା ହୁଏତ ଆପଣଙ୍କୁ ଅତି ସାଧାରଣ ଲାଗିପାରେ କିନ୍ତୁ ଆପଣଙ୍କ ଅଜାଣତରେ ଏହା ଓମିକ୍ରନର ଲକ୍ଷଣ ହୋଇପାରେ । ତେଣୁ ଏସବୁ ଲକ୍ଷଣ ବିଷୟରେ ଜାଣି ରଖନ୍ତୁ ।
ଗବେଷକଙ୍କ ମତରେ ଓମିକ୍ରନ ସଂକ୍ରମଣର ଲକ୍ଷଣ କରୋନା ପରି ଗୁରୁତର ଦେଖାଯାଉନଥିଲେ ବି ଏହାର ମ୍ୟୁଟେସନ ଘଟି ବ୍ୟକ୍ତିଙ୍କ ପାଇଁ ଘାତକ ହୋଇପାରେ । ଏହା କେବଳ ଅତ୍ୟଧିକ ସଂକ୍ରାମକ ନୁହେଁ, ଏହା ଉଚ୍ଚ ଜ୍ୱର, କ୍ରମାଗତ କାଶଠାରୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା, ଛାତି ଯନ୍ତ୍ରଣା ସହ ସାମାନ୍ୟରୁ ମଧ୍ୟମ ପର୍ଯ୍ୟନ୍ତ ଗୁରୁତର ଲକ୍ଷଣ ମଧ୍ୟ ସୃଷ୍ଟି କରିଥାଏ।
ବର୍ତ୍ତମାନ ପର୍ଯ୍ୟନ୍ତ, ସମଗ୍ର ବିଶ୍ୱରେ ମାମଲା ‘ମୃଦୁ’ ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ପରାମର୍ଶ ଦେଇଛି ଯେ ସାର୍କ-କୋଭ-୨ର ନୂତନ ଭାରିଆଣ୍ଟ ସହଜରେ ସେମାନଙ୍କୁ ସଂକ୍ରମିତ କରିପାରେ ଯେଉଁମାନେ ପୂର୍ବରୁ ସଂକ୍ରମିତ ହୋଇଛନ୍ତି କିମ୍ବା ଟିକା ନେଇଛନ୍ତି । ଆସନ୍ତୁ ଜାଣିବା ଏହାର ଲକ୍ଷଣ ବିଷୟରେ…..
ହାଲିଆ ଲାଗିବା:ପୂର୍ବ ଭାରିଆଣ୍ଟ ପରି, ଓମିକ୍ରୋନ୍ ଦ୍ବାରା ଆକ୍ରାନ୍ତ ହେଲେ ହାଲିଆ ଲାଗିପାରେ । ଜଣେ ବ୍ୟକ୍ତି ଅତ୍ୟଧିକ କ୍ଳାନ୍ତ ଅନୁଭବ କରିପାରନ୍ତି। ତେବେ ସ୍ପଷ୍ଟ ହେବା ପାଇଁ ପରୀକ୍ଷା କରାଇନେବା ଜରୁରୀ।
ଗଳା କୁଣ୍ଡାଇହେବା: ଦକ୍ଷିଣ ଆଫ୍ରିକାର ଡାକ୍ତର ଆଞ୍ଜେଲିକ୍ କୋଟେଜିଙ୍କ ଅନୁଯାୟୀ, ଓମିକ୍ରୋନ୍ ଦ୍ୱାରା ସଂକ୍ରମିତ ବ୍ୟକ୍ତିମାନଙ୍କର ଗଳା ଯନ୍ତ୍ରଣା ହେବା ପରିବର୍ତ୍ତେ କୁଣ୍ଡାଇ ହୋଇଥିଲା। ଏହା ମଧ୍ୟ ଏକ କାରଣ ହୋଇପାରେ।
ହାଲକା ତାପମାତ୍ରା ଅନୁଭୂତ ହେବା: ସଂକ୍ରମିତ ବ୍ୟକ୍ତିଙ୍କଠାରେ ସାମାନ୍ୟ ତାପାମାତ୍ରା ଅନୁଭୂତ ହେଉଥିଲେ ମଧ୍ୟ ପରୀକ୍ଷା କରାଇନେବା ଜରୁରୀ।
ପ୍ରବଳ ଝାଳ ବାହାରିବା: ଓମିକ୍ରନ୍ ସଂକ୍ରମଣରେ ଆକ୍ରାନ୍ତଙ୍କ ଶରୀରରୁ ପ୍ରବଳ ଝାଳ ବାହାରେ । ମୁଖ୍ୟତଃ ରାତି ସମୟରେ ଅଧିକ ଝାଳ ବହେ । ଏହା ସହ ଶରୀର ପୀଡା ହୋଇଥାଏ ।
ଶୁଖିଲା କାଶ ହେବା: ଓମିକ୍ରନ୍ ପୀଡିତ ଲୋକଙ୍କଠାରେ ଶୁଖିଲା କାଶର ଲକ୍ଷଣ ଦେଖାଯାଏ । ପୂର୍ବ ଷ୍ଟ୍ରେନ୍ ରେ ମଧ୍ୟ ଏହା ସବୁଠାରୁ ସାଧାରଣ ଲକ୍ଷଣ ମଧ୍ୟରୁ ଗୋଟିଏ ଥିଲା । ଶୁଖିଲା କାଶ ହେଉଥିଲେ କରୋନା ପରୀକ୍ଷା କରାଇନେବା ଜରୁରୀ।
ଆଘ୍ରାଣ ଶକ୍ତିରେ କିଛି ସମସ୍ୟା ନଥାଏ: କରୋନା ରୋଗୀଙ୍କଠାରେ ଆଘ୍ରାଣ ଶକ୍ତିରେ ସମସ୍ୟା ଦେଖାଯାଏ । କରୋନର ପୂର୍ବ ଭାରିଆଣ୍ଟରେ ରୋଗୀକୁ କୌଣସି ଗନ୍ଧ ଜଣାପଡୁନଥିବାବେଳେ ଓମିକ୍ରନରେ କିନ୍ତୁ ଏପରି କୌଣସି ଲକ୍ଷଣ ପରିଲକ୍ଷିତ ହୁଏନାହିଁ ।
ତେଣୁ ଉପରୋକ୍ତ ଲକ୍ଷଣକୁ ଥଣ୍ଡା, ସର୍ଦ୍ଦି ଭଳି ସମାନ୍ୟ ନଭାବି ତୁରନ୍ତ ପରୀକ୍ଷା କରାଇନେବାକୁ ଗବେଷକମାନେ କହିଛନ୍ତି ।
from ବିଶେଷ | Sambad https://ift.tt/3s4jNDh
0 Comments