ବଲାଙ୍ଗିରରୁ ବ୍ଲକ୍ଚେନ୍: ସ୍ବପ୍ନ ଖୋଲିଦେଲା ସମରେନ୍ଦ୍ର ଓ ସୌମେନ୍ଦ୍ରଙ୍କ ପାଇଁ ଜୀବନର ନୂଆ ବାଟ

ମାସିକ ଓ୍ୱେବ୍ ସିରିଜ୍ ‘ଷ୍ଟାର୍ଟଅପ୍ ଷ୍ଟୋରି’ କ୍ରମରେ ଦୁଇ ଯୁବ ଓଡ଼ିଆ ଉଦ୍ୟୋଗୀ ତଥା ‘ଓଭୋ ଫାର୍ମ’ର ସହ-ପ୍ରତିଷ୍ଠାତା ସୌମେନ୍ଦ୍ର ଏବଂ ସମରେନ୍ଦ୍ର ମିଶ୍ରଙ୍କ ସହ ସୁବ୍ରତ ବାଗ୍‌ଚୀଙ୍କ ବାର୍ତ୍ତାଳାପର ସଂପାଦିତ ଅଂଶ।

 ପ୍ରସ୍ତୁତି: ଓଡ଼ିଶା ଲାଇଭ୍

ବଲାଙ୍ଗିର ପରି ଏକ ଛୋଟିଆ ଜାଗାରୁ, ଏତେବଡ଼ ବ୍ୟାବସାୟିକ ଅନୁଷ୍ଠାନ ତିଆରି କରିଛନ୍ତି। ଆପଣ ଦୁହିଁଙ୍କର କାହାଣୀ ପ୍ରତ୍ୟେକ ଓଡ଼ିଆ ଯୁବକ ଏବଂ ଯୁବତୀଙ୍କୁ ଅନୁପ୍ରାଣିତ କରିବ। ଆପଣମାନଙ୍କ ପିଲାବେଳ କଥାରୁ ଆରମ୍ଭ କରନ୍ତୁ।

ସୌମେନ୍ଦ୍ର – ଆମ ପିଲାବେଳ ବଲାଙ୍ଗିରରେ ହିଁ କଟିଛି। ବଲାଙ୍ଗିରର ଲକ୍ଷ୍ମୀନାରାୟଣପଡ଼ା ଉଚ୍ଚ ପ୍ରାଥମିକ ସ୍କୁଲ, ପରେ ପୃଥ୍ୱୀରାଜ ହାଇସ୍କୁଲରେ ଆମେ ପାଠ ପଢ଼ିଥିଲୁ। ପରବର୍ତ୍ତୀ ସମୟରେ ରାଜେନ୍ଦ୍ର କଲେଜରେ ପାଠପଢ଼ା। ଆମେ ପାଠ ପଢ଼ିଲାବେଳେ ବଲାଙ୍ଗିର ପରି ଜାଗାରେ ସମସ୍ତେ କେବଳ ଡାକ୍ତର ବା ଇଞ୍ଜିନିୟର ହେବା କଥା ଭାବୁଥିଲେ। କେହି ବି ଜଣେ ଉଦ୍ୟୋଗୀ ବା ବ୍ୟବସାୟୀ ହେବା କଥା ଚିନ୍ତା ମଧ୍ୟ କରିପାରୁନଥିଲେ। ଆମେ ବି ଦିନେ ବ୍ୟବସାୟର ଦୁନିଆକୁ ଆସିବୁ, ତାହା କଳ୍ପନା କରିପାରିନଥିଲୁ। ଘଟଣାଚକ୍ରରେ ଆମ ଜୀବନର ନୂଆ ବାଟ ଖୋଲିଗଲା।

ଆମେ ଚାରି ଭାଇ। ବାପାଙ୍କର ଓକିଲାତି ବୃତ୍ତି ଥିଲା। ବାପା ଦିନେ ଠିକ୍ କଲେ ଓକିଲାତି ବନ୍ଦ କରି ନିଜକୁ ସଂପୂର୍ଣ୍ଣ ଭାବେ ରାଜନୀତିରେ ସମର୍ପିତ କରିବେ। ଘରର ଅର୍ଥନୈତିକ ପରିସ୍ଥିତି ବଦଳି ଗଲା। ମୁଁ ଭୁବନେଶ୍ୱର ଆସିଲି। ଭୁବନେଶ୍ୱରର ବିଭିନ୍ନ ଜାଗାରେ କ’ଣ ସୁବିଧା ସୁଯୋଗ ମିଳିପାରେ, ତା’ର ଖବର ନେଲି। ମଞ୍ଚେଶ୍ୱର ପରି ଶିଳ୍ପାଞ୍ଚଳର ସଂସ୍ଥାଗୁଡ଼ିକ ଅନୁଧ୍ୟାନ କରିବା ପରେ, ଠିକ୍ କଲି ବଲାଙ୍ଗିର ଫେରିଯିବି ଆଉ ସେଠାରେ ନିଜର କିଛି କରିବି। ତେବେ ଆଜିର ‘ଓଭୋ ଫାର୍ମ’ ସ୍ୱପ୍ନ ନଥିଲା ଆଖିରେ।

ଆମ ବାପାଙ୍କର ଗୋଟିଏ ଛୋଟ ବଗିଚା ଘର ଥିଲା। ପିଲାବେଳେ ଆମେ ସବୁ ରବିବାର ସେଠିକୁ ଯାଉଥିଲୁ। ମୁଁ ଭାବିଲି, ଏଇଠୁ ଆରମ୍ଭ କରାଯାଉ। ପ୍ରଥମେ କିଛି ଛେଳି ଆଣି ରଖିଲି। ମା’କାହାକୁ ନକହି, ଲୁଚାଇକରି ମତେ ଏକ ଲକ୍ଷ ଟଙ୍କା ଦେଇଥିଲେ। କିନ୍ତୁ ଛେଳି ବ୍ୟବସାୟଟି ବୁଡ଼ିଗଲା। ସେହି ସମୟରେ କିଛି ଲୋକ କହିଲେ କୁକୁଡ଼ା ଚାଷ କରିଲେ ଭଲ ଚାଲିବ। ମୁଁ ଭୁବନେଶ୍ୱର ଆସି ଏଠିକାର ସିଡିପିଓ ସଂସ୍ଥାରୁ ୩୦୦ଟି କୁକୁଡ଼ା ଆଣି ଫାର୍ମଟିଏ ଆରମ୍ଭ କରିଲି। ଦିନକୁ ସେଠାରୁ ପାଖାପାଖି ୨୦୦ ଅଣ୍ଡା ବାହାରିଲା। କିନ୍ତୁ ବଲାଙ୍ଗିରରେ ରହି ପୃଥିବୀରେ କ’ଣ ହେଉଛି, ବ୍ୟବସାୟର ପରିଧି କେତେ, ଜାଣିବାରେ ଉପାୟ ନଥିଲା। ଏଇଥିପାଇଁ ମୁଁ ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଯାଇ ସେଠିକାର ଛୋଟବଡ଼ ଅନେକ ପଉଲ୍ଟ୍ରି ଫାର୍ମ ଦେଖିଲି। ସବୁକଥା ଭିତରକୁ ପଶି ଜ୍ଞାନ ଆହରଣ କଲି। ଏଥର ମନକୁ ଆସିଲା, ଆମେ ମଧ୍ୟ ବଡ଼ ଆକାରରେ କିଛି କରିପାରିବୁ।

ସମରେନ୍ଦ୍ର ମିଶ୍ର

ବଡ଼ଭାଇ ସୌମେନ୍ଦ୍ରଙ୍କ ସାଙ୍ଗରେ ଆପଣଙ୍କର ଭବିଷ୍ୟତ କିପରି ଯୋଡ଼ି ହୋଇଗଲା ?
ସମରେନ୍ଦ୍ର – ପିଲାଦିନର କଥାରୁ ଆରମ୍ଭ କରିବି। ଆମେ ଚାରି ଭାଇ। ସୌମେନ୍ଦ୍ର ଦ୍ୱିତୀୟ ଏବଂ ମୁଁ ସବାସାନ। ବଡ଼ ଦୁଇଜଣ ଆମକୁ ସାଙ୍ଗ କରୁନଥିଲେ। ବୟସର ତଫାତ୍ ରହୁଥିଲା। କିନ୍ତୁ ତାହାରି ଭିତରେ ବଡ଼ହେଲା ପରେ, ସୌମେନ୍ଦ୍ରଙ୍କ ସାଙ୍ଗରେ ମୋ’ର ଗୋଟିଏ ସ୍ୱତନ୍ତ୍ର ସଂପର୍କ ଗଢ଼ିବାକୁ ଲାଗିଲା। ବଲାଙ୍ଗିର ପରି ଜାଗାରେ କ’ଣ ବା ଭବିଷ୍ୟତ ଗଢ଼ିପାରିଥାନ୍ତୁ ଆମେ? ବାପାଙ୍କର ଓକିଲାତି ତ୍ୟାଗ କରିବାର ନିଷ୍ପତ୍ତି ବେଳକୁ, ମୁଁ ଠିକ୍ କଲି ଦିଲ୍ଲୀ ଚାଲିଯିବି। ସେଠି ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ ସେଲ୍ସ (ଏନ୍ଆଇଏସ୍) ବୋଲି ଗୋଟିଏ ଟ୍ରେନିଂ ସଂସ୍ଥା ଥିଲା। ପ୍ରଥମେ ସେଇଠାରେ ଟ୍ରେନିଂ ନେବାପରେ, ମୁଁ ଗୋଟିଏ କ୍ରେଡିଟ କାର୍ଡ ସଂସ୍ଥାରେ ଚାକିରି ଆରମ୍ଭ କଲି। ସେତେବେଳେ ବିଭିନ୍ନ ଅଫିସକୁ ଯାଇ, ସେଠିକାର ବଡ଼ ବଡ଼ ଅଫିସରମାନଙ୍କୁ କ୍ରେଡିଟ କାର୍ଡ ବିକିବାକୁ ଚେଷ୍ଟା କରୁଥିଲି। ଯେତେ କିଣୁଥିଲେ, ତା’ଠାରୁ ଅଧିକ ତଡ଼ି ଦେଉଥିଲେ। ଏପରିକି ଗାଳିଗୁଲଜ ବି କରୁଥିଲେ। ପରବର୍ତ୍ତୀ ସମୟରେ କୋଲଗେଟ ପାମୋଲିଭ ସଂସ୍ଥା ସହ ଉତ୍ତରପ୍ରଦେଶରେ ଚାକିରି କରିବା ସମୟରେ, ଛୋଟ ଛୋଟ ଗାଁ, ସହରରେ ବିକ୍ରି, ବ୍ୟବସାୟର ଅଭିଜ୍ଞତା ହାସଲ କଲି।

ଏ ସବୁ ଭିତରେ ବଲାଙ୍ଗିରରେ ସୌମେନ୍ଦ୍ର ଭାଇଙ୍କର କାମ ଟିକେ ଆଗକୁ ବଢ଼ିଲା ଏବଂ ତାଙ୍କ ସାଙ୍ଗରେ ଏକାଠି ହୋଇ କେମିତି ଗୋଟିଏ ବିରାଟ ବ୍ୟବସାୟ ଗଢ଼ାଯିବ, ତା’ର ସ୍ୱପ୍ନ ଦେଖିଲୁ। ଏ ସବୁରେ ବାଧା ହୋଇଥିଲା ମୂଳଧନ। ୩୦୦ କୁକୁଡ଼ା ପୋଷିବା ଏବଂ ଜୀବନରେ କିଛି ବଡ଼ କରିବା ଭିତରେ ବହୁ ବାଧାବିଘ୍ନ ଦେଖା ଦେଇଥିଲା। ବ୍ୟବସାୟଟି ଆରମ୍ଭ ହୋଇଥିଲା ମା’ଙ୍କଠାରୁ ୧ ଲକ୍ଷ ଟଙ୍କାର ପୁଞ୍ଜି ନେଇ।

ଆମେ ଯେତେବେଳେ ବ୍ୟାଙ୍କଗୁଡ଼ିକୁ ଋଣ ମାଗୁଥିଲୁ, ସେମାନେ ଆଗ ସମ୍ପତ୍ତି ବନ୍ଧା ପକାଇବାକୁ କହୁଥିଲେ। ଅଗତ୍ୟା ୪ ପ୍ରତିଶତ ଅଧିକ ସୁଧରେ ସମବାୟ ବ୍ୟାଙ୍କରୁ ଋଣ ନେବାକୁ ପଡ଼ିଥିଲା। ଏ ସବୁ ଭିତରେ ବ୍ୟବସାୟ ଧୀରେ ଧୀରେ ଠିଆ ହେବାକୁ ଲାଗିଲା। କିନ୍ତୁ ସବୁକିଛି ଭିତରେ ମୋ’ର ଗୋଟିଏ ବ୍ୟକ୍ତିଗତ ସ୍ୱପ୍ନ ଅଧୁରା ରହିଥିଲା। ମୁଁ ଚାହିଁଥିଲି ଦିନେ ବିଦେଶରେ ଏମବିଏ ପାଠ ପଢ଼ିବି। ଭାଇ ମତେ ସେଥିପାଇଁ ଉତ୍ସାହିତ କରିଥିଲେ। ମୁଁ କିଛି ଦିନ ପାଇଁ ଇଂଲଣ୍ଡ ଚାଲିଗଲି। ସେଠି ପାଠ ପଢ଼ିବା ଭିତରେ ଲିନଙ୍କ ସାଙ୍ଗରେ ମୋର ଦେଖା ହେଲା। ତା’ପରେ ପ୍ରେମ ଏବଂ ବିବାହ। ପାଠପଢ଼ା ସମୟରେ ଇଉରୋପର ବିଭିନ୍ନ ଦେଶ ବୁଲି ଆର୍ନ୍ତଜାତିକ ମାନର ପଉଲ୍ଟ୍ରି ଫାର୍ମ ଲାଗି କ’ଣ ଦରକାର, ସେ ବିଷୟରେ ସମସ୍ତ ଜ୍ଞାନ ଆହରଣ କରିଲି।

ପରବର୍ତ୍ତୀ ସମୟରେ ଲିନ୍ ଆଉ ମୁଁ ବଲାଙ୍ଗିର ଫେରି ଭାଇଙ୍କ ସାଙ୍ଗରେ ଯୋଡ଼ି ହୋଇଗଲୁ। ଓଭୋ ଫାର୍ମ ଅନେକ ଆଗକୁ ଆଗେଇଗଲା। ଆଜି ଓଭୋ ଫାର୍ମରେ ଦୈନିକ ୧୦ଲକ୍ଷ ଅଣ୍ଡା ଉତ୍ପାଦନ ହେଉଛି। ଏଥିପାଇଁ କମ୍ପ୍ୟୁଟର ଟେକ୍ନୋଲୋଜି ଦ୍ୱାରା ସ୍ଵୟଂଚାଳିତ ମେସିନର ବ୍ୟବହାର ହୁଏ। ଏହି ଅତ୍ୟାଧୁନିକ ମେସିନ, ପୃଥିବୀର ବହୁ ଉନ୍ନତ ଦେଶମାନଙ୍କଠାରୁ କିଣି, ତା’ର କିପରି ବ୍ୟବହାର କରାଯାଏ ସେଥିପାଇଁ ଆମେ କର୍ମଚାରୀମାନଙ୍କୁ ବିଦେଶରେ ତାଲିମ ଦେଇ ବଲାଙ୍ଗିର ଆଣିଛୁ। ଆମ ବ୍ୟବସାୟରେ ପ୍ରଯୁକ୍ତି ବିଦ୍ୟା ଅଥବା ଆଇଟିର ବିଶେଷ ବ୍ୟବହାର ରହିଛି। ଆମେ ନିତିଦିନ କ୍ଲାଉଡ୍, ଆଇଓଟି ପରି ଟେକ୍ନୋଲୋଜି ବ୍ୟବହାର କରୁଛୁ। ପୃଥିବୀର ଯେକୌଣସି ଜାଗାରୁ ଆମେ ନିଜ ପ୍ଲାଣ୍ଟ୍ର ସବୁକିଛି ତଥ୍ୟ ଜାଣିପାରିବୁ।

ସୌମେନ୍ଦ୍ର ମିଶ୍ର

ବଲାଙ୍ଗିର ପରି ଜାଗାରେ ଓଭୋ ପରି ସଂସ୍ଥା ଠିଆ କରିବାରେ ଆପଣଙ୍କୁ କି ରକମର ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡ଼ିଥିଲା? ବଲାଙ୍ଗିରରୁ ଦୁବାଇ ପର୍ଯ୍ୟନ୍ତ ପହଞ୍ଚିଲେ କିପରି?
ସୌମେନ୍ଦ୍ର – ସମରେନ୍ଦ୍ର ଯେତେବେଳେ ଇଂଲଣ୍ଡରେ ପାଠ ପଢୁଥିଲେ, ସେତେବେଳେ ସେଠିକାର ବଡ଼ ଧରଣର ପଉଲ୍ଟ୍ରି ଫାର୍ମକୁ ଯାଇ ସେ ବିଷୟରେ ବୁଝିବା ପାଇଁ ଆମେ ନିଷ୍ପତ୍ତି କଲୁ। ସେଇଠାରୁ କିଛି ଅତ୍ୟାଧୁନିକ ମେସିନ୍ କିଣା ହେଲା। ପ୍ରଥମେ ଏକ ପାଇଲଟ୍ ଭିତ୍ତିରେ ବଲାଙ୍ଗିରରେ ନୂଆ ପ୍ରଣାଳୀ ସହ ବଡ଼ ଆକାରର ୟୁନିଟଟିଏ ତିଆରି କରିଲୁ। କିନ୍ତୁ ଆମେ ତା’ର ସଠିକ୍ ବ୍ୟବହାର ବିଷୟରେ ଅଜ୍ଞ ଥିଲୁ। ସେଥିପାଇଁ ହଠାତ୍ ଦିନେ ରାତିରେ ତାପମାତ୍ରାରେ କିଛି ଏପଟ ସେପଟ ହୋଇ ୩୫ ହଜାର କୁକୁଡ଼ା ମରିଗଲେ। ସେଇଦିନ ଆମର ସ୍ପଷ୍ଟ ଉପଲବ୍ଧି ହୋଇଗଲା ଯେ, ଟଙ୍କା ପଇସା, ଆଧୁନିକ ମେସିନ୍ ଜୋରରେ ସଂସ୍ଥା ଚାଲେ ନାହିଁ। ଏଥିପାଇଁ ଉଚ୍ଚକୋଟିର ମାନବ ସମ୍ବଳ ଦରକାର। ନିଜର ଦକ୍ଷତା ଦରକାର। ସେହି ଘଟଣା ପରଠାରୁ ଆମେ ସବୁବେଳେ ନିଜ ଲୋକଙ୍କର ଜ୍ଞାନ, ଦକ୍ଷତା କିପରି ଆର୍ନ୍ତଜାତିକ ମାନର ହେବ, ତାହା ଉପରେ ଗୁରୁତ୍ୱ ଦେଉ। ବଲାଙ୍ଗିର ପରି ଜାଗାରେ ବ୍ୟାବସାୟିକ ଉଦ୍ୟୋଗଟିଏ ଠିଆ କରିବାକୁ ହେଲେ, ନିଜକୁ ସ୍ୱୟଂ ସଂପୂର୍ଣ୍ଣ କରିବାକୁ ପଡ଼ିବ।

ଏସବୁ ବ୍ୟତୀତ ରହିଛି ମାର୍କେଟିଙ୍ଗ ଚ୍ୟାଲେଞ୍ଜ। ଆମେ ଠିକ୍ କରିଲୁ ଯେ, କେବଳ ନିଜ ରାଜ୍ୟ ଓ ଦେଶ ଭିତରେ ସୀମାବଦ୍ଧ ହେଲେ ଚଳିବ ନାହିଁ। ପୃଥିବୀର ଆଗ ଧାଡ଼ିର ଦେଶରେ ଯଦି ଆମେ ନିଜର ଉତ୍ପାଦନଟି ପହଞ୍ଚେଇ ପାରିବୁ ଏବଂ ସେଠିକାର ବଜାରରେ ପ୍ରତିଦ୍ୱନ୍ଦ୍ଵିତା କରିପାରିବୁ, ତାହାହିଁ ଆମକୁ ସଫଳତାର ସୋପାନରେ ଆଗକୁ ନେଇଯିବ। ଏଥିପାଇଁ ପ୍ରଥମେ ଆମକୁ ନିଜର କ୍ୱାଲିଟି ବା ଗୁଣବତ୍ତାକୁ ଆର୍ନ୍ତଜାତିକ ସ୍ତରକୁ ନେବାକୁ ପଡ଼ିଥିଲା। ଏଥିପାଇଁ ଅନେକ ରକମର ବ୍ୟାବସାୟିକ ଷ୍ଟାଣ୍ଡାର୍ଡ ଏବଂ ସାର୍ଟିଫିକେସନ କରାଇବାକୁ ପଡ଼ିଲା।

ଏ ସବୁ ପରେ ଆମକୁ ଇ-କମର୍ସ ଯୋଗେ ବିଦେଶର ବଡ଼ ବଡ଼ ଖରିଦ୍ଦାରଙ୍କ ସାଙ୍ଗରେ ଯୋଗାଯୋଗ ସ୍ଥାପନ କରିବାକୁ ପଡ଼ିଲା। ଏସବୁ ଛଡ଼ା ଆମର ସ୍ଥାନୀୟ ସପ୍ଲାୟରମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ତାଙ୍କୁ ଆମ ତରଫରୁ ବିଭିନ୍ନ ଜ୍ଞାନକୌଶଳ ଦେବାକୁ ପଡ଼ିଥିଲା। ଏହି ସବୁ ଭିତରେ ଦେଶବିଦେଶର ଲୋକଙ୍କୁ ବଲାଙ୍ଗିର ଆଣି ଆମର କାର୍ଯ୍ୟକ୍ରମ ବିଷୟରେ ଅବଗତ କରିବାକୁ ପଡ଼ିଥିଲା। ଏ ସବୁ ଗୋଟିଏ ଦିନର କଥା ନୁହଁ। ଏଥିପାଇଁ ବିଭିନ୍ନ ଉଠାଣି, ଗଡ଼ାଣି ମଧ୍ୟରେ ବର୍ଷ ବର୍ଷ ଲାଗି ରହିବାକୁ ପଡ଼ିଥିଲା। ଯାହା ଦ୍ୱାରା ହିଁ ଆଜି ଓଭୋ ଆର୍ନ୍ତଜାତିକ ବଜାରରେ ପାଦ ରଖିପାରିଛି।

ଜଣେ ଯୁବ ଉଦ୍ୟୋଗୀ ପାଇଁ ବିଭିନ୍ନ ରକମର ବାଧା, ବାଧକତା ମଧ୍ୟରେ ରହିଛି ସାମାଜିକ ସ୍ୱୀକୃତି। ବଲାଙ୍ଗିର ପରି ଓଡ଼ିଶାର ଛୋଟ ଛୋଟ ପ୍ରାନ୍ତରେ, ଶିକ୍ଷିତ ପରିବାରରେ ବ୍ୟବସାୟୀକୁ ଆମେ ହେୟ ଦୃଷ୍ଟିରେ ଦେଖିଥାଉ। ଯିଏ ଚାକିରି କରେ, ତାକୁ ଅଧିକ ସମ୍ମାନ ମିଳିଥାଏ। ଏବେ ବି ଆମ ପରିବାରର ଅନ୍ୟମାନେ, ବାହାର ଲୋକଙ୍କୁ କଥା କହିଲାବେଳେ କେବଳ ଏତିକି କହନ୍ତି ଯେ ଆମେ ଦୁଇ ଭାଇ ବ୍ୟବସାୟ କରୁଛୁ। କେବେହେଲେ କହନ୍ତି ନାହିଁ ଯେ ଆମେ କୁକୁଡ଼ା ବ୍ୟବସାୟ କରୁଛୁ।

୨୦୩୦ର ଓଭୋ ଫାର୍ମକୁ କିପରି ଦେଖୁଛନ୍ତି?
ସୌମେନ୍ଦ୍ର ଏବଂ ସମରେନ୍ଦ୍ର-ଆଖିରେ ଅନେକ ସ୍ୱପ୍ନ ରହିଛି। ତେବେ ସଂସ୍ଥାର ଆର୍ଥିକ ସମୃଦ୍ଧି ଏବଂ ଆକାରଠାରୁ ବଡ଼ ଅନ୍ୟ ବହୁ ଗୁଣାତ୍ମକ ଦୃଷ୍ଟିଭଙ୍ଗୀ ରହିଛି। ସର୍ବଗୁଣରେ ଶ୍ରେଷ୍ଠ ସଂସ୍ଥାଟିଏ ଆମେ ଗଢ଼ିବାକୁ ଚେଷ୍ଟିତ। ସର୍ବଭାରତୀୟ ସ୍ତରରେ ଜଣାଶୁଣା ବ୍ରାଣ୍ଡ୍ ହୋଇ ଓଭୋ ପରିଚିତ ହେବା ଦରକାର। ପ୍ରଯୁକ୍ତିବିଦ୍ୟା ବା ଟେକ୍ନୋଲୋଜି ବ୍ୟବହାରରେ ଆମକୁ ଅଗ୍ରଗଣ୍ୟ ହେବାକୁ ପଡ଼ିବ। ଆଗକୁ ଅନେକ କିଛି ପରିକଳ୍ପନା ରହିଛି। ଆମର ଉତ୍ପାଦିତ ଅଣ୍ଡାର ଟ୍ରେସିଂ, ବ୍ଳକ୍ଚେନ ପରି ସଫ୍ଟୱେୟାର ମାଧ୍ୟମରେ ହୋଇପାରିବ। ଆଜି ଆମେ କେବଳ ବଡ଼ ବଡ଼ ପାଇକାରୀ ସଂସ୍ଥାମାନଙ୍କୁ ଓଭୋର ଉତ୍ପାଦନ ପହଞ୍ଚାଇ ଦେଉଛୁ। କିନ୍ତୁ ଖାଉଟି ବଜାରରେ, ଯାହାକୁ ‘ବି-ଟୁ-ସି’ କୁହାଯାଏ, ଆମକୁ ପାଦ ରଖିବାକୁ ପଡ଼ିବ।

ସର୍ବଶେଷରେ କହିବୁ, ଯେକୌଣସି ବ୍ୟବସାୟର ଅର୍ଥନୈତିକ ପ୍ରଭାବ ବାହାରେ, ସାମାଜିକ ପ୍ରଭାବ ମଧ୍ୟ ପଡ଼ିବା ଦରକାର। ଆମ ପାଖ ପଞ୍ଚାୟତ ଗ୍ରାମଗୁଡ଼ିକରେ ଆମେ ପ୍ରତିଦିନ ୫୦ ଜଣ ଅସହାୟ ବ୍ୟକ୍ତିଙ୍କ ଭରଣପୋଷଣ ପାଇଁ ସାହାଯ୍ୟ କରିଆସୁଛୁ। କିନ୍ତୁ ୨୦୩୦ ଓଭୋ ଏହାଠାରୁ ବହୁତ ଅଧିକ ସାହାଯ୍ୟର ହାତ ବଢ଼ାଇବ। ବ୍ୟାବସାୟିକ ଅନୁଷ୍ଠାନଗୁଡ଼ିକ ମଧ୍ୟରେ ନାରୀ ସଶକ୍ତିକରଣରେ ଓଭୋ ଏକ ବିଶେଷ ସ୍ଥାନ ଗ୍ରହଣ କରିବ।

ସୌମେନ୍ଦ୍ର ଏବଂ ସମରେନ୍ଦ୍ର, ଓଡ଼ିଶାର ଉଦୀୟମାନ ଯୁବ ଉଦ୍ୟୋଗୀମାନଙ୍କ ପାଇଁ ନିଜ ଅଭିଜ୍ଞତାରୁ ସଫଳତା ପାଇଁ କ’ଣ ପରାମର୍ଶ ଦେବେ?

ସୌମେନ୍ଦ୍ର ଏବଂ ସମରେନ୍ଦ୍ର-ବ୍ୟବସାୟିକ ସଫଳତା ପାଇଁ ନିଜକୁ ସଚ୍ଚୋଟ ହେବାକୁ ପଡ଼ିବ। ନିଜର ଉତ୍ପାଦିତ ଦ୍ରବ୍ୟଟିକୁ ନେଇ ମନରେ ଗର୍ବ ରହିବା ଦରକାର। ତାର ଗୁଣବତ୍ତାକୁ ଶ୍ରେଷ୍ଠ କରିବାଲାଗି ଯେଉଁ ଜିନିଷଟି ତିଆରି କରୁଛେ, ତାକୁ ମନପ୍ରାଣ ଦେଇ ଭଲ ପାଇବା ଦରକାର। କେବେହେଲେ ଗ୍ରାହକଙ୍କୁ ନିମ୍ନମାନର ଜିନିଷ ଦେବା ନାହିଁ। ଗ୍ରାହକଙ୍କର ବିଶ୍ୱାସ, ଆସ୍ଥା ହିଁ ବ୍ୟବସାୟର ଦୀର୍ଘମିଆଦୀ ପୁଞ୍ଜି। ଶେଷରେ ଏତିକି କହିବୁ, ପୃଥିବୀ ପରିବର୍ତ୍ତନଶୀଳ। ଚିରାଚରିତ ପନ୍ଥାରେ ବ୍ୟବସାୟ କଲେ ଚଳିବ ନାହିଁ। ପ୍ରତ୍ୟେକ ମୂହୁର୍ତ୍ତରେ ଟେକ୍ନୋଲୋଜିର ପରିବର୍ତ୍ତନ ହେଉଛି। ଆପଣଙ୍କୁ ଗତିଶୀଳ ପରିବର୍ତ୍ତନଠାରୁ ଦୁଇ ପାଦ ଆଗରେ ଚାଲିବାକୁ ପଡ଼ିବ।

(ଯୁବ ଓଡ଼ିଆ ଉଦ୍ୟୋଗୀ ବା ଓଡ଼ିଶାରୁ ବ୍ୟବସାୟ ଆରମ୍ଭ କରିଥିବା ଅଭିନବ ଷ୍ଟାର୍ଟଅପ୍ ସଂସ୍ଥାମାନଙ୍କର ସ୍ୱପ୍ନ, ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ‘ଓଡ଼ିଶାଲାଇଭ୍’ ପ୍ରସ୍ତୁତ ମାସିକ ଓ୍ୱେବ୍ ସିରିଜ୍ – ଷ୍ଟାର୍ଟଅପ୍ ଷ୍ଟୋରି। ଉପସ୍ଥାପନା: ସୁବ୍ରତ ବାଗ୍‌ଚୀ। ସହଭାଗିତା: ଷ୍ଟାର୍ଟଅପ୍ ଓଡ଼ିଶା। ପ୍ରାଇମ୍ ପାର୍ଟନର୍: ଓଡ଼ିଶା ଖଣି ନିଗମ (ଓଏମ୍‌ସି)। ନଲେଜ୍ ପାର୍ଟନର୍: ମୋ କଲେଜ ଅଭିଯାନ। ଇଣ୍ଡଷ୍ଟ୍ରି ପାର୍ଟନର୍: ଇମ୍ଫା, ଟାଇ ଭୁବନେଶ୍ୱର ଏବଂ ଫିକି। ରେଡିଓ ପାର୍ଟନର୍: ରେଡିଓ ଚକଲେଟ୍। ପ୍ରିଣ୍ଟ ପାର୍ଟନର୍: ସମ୍ୱାଦ)

The post ବଲାଙ୍ଗିରରୁ ବ୍ଲକ୍ଚେନ୍: ସ୍ବପ୍ନ ଖୋଲିଦେଲା ସମରେନ୍ଦ୍ର ଓ ସୌମେନ୍ଦ୍ରଙ୍କ ପାଇଁ ଜୀବନର ନୂଆ ବାଟ first appeared on Sambad.

from ବିଶେଷ | Sambad https://ift.tt/30sdCgH

Post a Comment

0 Comments