ଅସମ୍ଭବ ସମ୍ଭବ ହେଲା: ପ୍ରଥମ ଥର ପାଇଁ ସୂର୍ଯ୍ୟକୁ ସ୍ପର୍ଶ କଲା ‘ନାସା’ର ମହାକାଶଯାନ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ମନୁଷ୍ୟଦ୍ବାରା ନିର୍ମିତ ଗୋଟାଏ ବସ୍ତୁ ସୂର୍ଯ୍ୟକୁ ସ୍ପର୍ଶ କରିବା ପରେ ଏକଦା ଅସମ୍ଭବ ବୋଲି ମନେହେଉଥିବା କଥା ସମ୍ଭବ ହୋଇଛି। ଘଟଣାଟି ହେଲା, ‘ନ୍ୟାସ୍‌ନାଲ୍‌ ଏରୋନଟିକ୍ସ୍‌ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେସନ୍‌’ (ନାସା) ପ୍ରେରିତ ଏକ ମହାକାଯାନ ସୂର୍ଯ୍ୟର କରୋନାକୁ ସ୍ପର୍ଶ କରିଛି। କରୋନା ହେଉଛି ପ୍ରାୟ ୨ ନିୟୁତ ଡିଗ୍ରି ଫାରେନ୍‌ହିଟ୍‌ବିଶିଷ୍ଟ ଅତ୍ୟନ୍ତ ଉତ୍ତପ୍ତ ପରିବେଶ।

‘ପାର୍କର୍‌ ସୋଲାର୍‌ ପ୍ରୋବ୍‌’ ନାମରେ ଉକ୍ତ ‘ରକେଟସିପ୍‌’ ଏପ୍ରିଲ୍‌ ୨୮ ତାରିଖ ଦିନ ସୂର୍ଯ୍ୟର ସବା ଉପର ବାୟୁମଣ୍ଡଳ ‘କରୋନା’ ମଧ୍ୟରେ ସଫଳତାର ସହ ପ୍ରବେଶ କରି ଉଡ଼ିଯିବା ବେଳେ ସୂର୍ଯ୍ୟପୃଷ୍ଠର କଣିକା ଏବଂ ଚୁମ୍ବକୀୟ କ୍ଷେତ୍ରର ନମୁନା ସଂଗ୍ରହ କରିଛି।

Image Courtesy of India Today

ହାର୍ଭାର୍ଡ ଆଣ୍ଡ୍‌ ସ୍ମିଥ୍‌ସୋନିଆନ୍‌’ସ୍ଥିତ ‘ସେଣ୍ଟର୍‌ ଫର୍‌ ଆଷ୍ଟ୍ରୋଫିଜିକ୍ସ୍‌’ର ସଦସ୍ୟମାନଙ୍କ ସମେତ ବହୁସଂଖ୍ୟକ ବୈଜ୍ଞାନିକ ଏବଂ ଇଞ୍ଜିନିୟର୍‌ଙ୍କ ସମ୍ମିଳିତ ଉଦ୍ୟମ ବଳରେ ମଣିଷ ଏହି ଐତିହାସିକ ମୁହୂର୍ତ୍ତ ହାସଲ କରିପାରିଛି। ଉକ୍ତ ମହାକାଶଯାନରେ ଥିବା ମୁଖ୍ୟ ଉପକରଣ ‘ସୋଲାର୍‌ ପ୍ରୋବ୍‌ କପ୍‌’ଟିକୁ ସେମାନ‌େ ନିର୍ମାଣ କରିଛନ୍ତି। ଏହି କପ୍‌ଦ୍ବାରା ହିଁ ସୂର୍ଯ୍ୟର ବାୟୁମଣ୍ଡଳରୁ କଣିକା ସଂଗ୍ରହ କରାଯାଇଛି। ମହାକାଶଯାନଟି ସେ ବାସ୍ତବରେ କରୋନା ମଧ୍ୟକୁ ପ୍ରବେଶ କରିଛି, ତାହା ମଧ୍ୟ ଉକ୍ତ କପ୍‌ଦ୍ବାରା ଜଣାପଡ଼ିଛି।

ଉକ୍ତ କପ୍‌ ସଂଗ୍ରହ କରିଥିବା ତଥ୍ୟାବଳୀ ଅନୁସାରେ, ଏପ୍ରିଲ୍‌ ୨୮ ତାରିଖରେ ଉକ୍ତ ମହାକାଶଯାନଟି ୩ ଥର କରୋନା ମଧ୍ୟରେ ପ୍ରବେଶ କରିଛି। ଥରେ ତାହା କରୋନା ମଧ୍ୟରେ ୫ ଘଣ୍ଟାରୁ ଅଧିକ ସମୟ ଉଡ଼ିଥିଲା।

ଏ ସଂକ୍ରାନ୍ତରେ ଏକ ବୈଜ୍ଞାନିକ ଆଲେଖ୍ୟ ‘ଫିଜିକାଲ୍‌ ରିଭ୍ୟୁ ଲେଟର୍ସ’ରେ ପ୍ରକାଶ ପାଇଛି।

The post ଅସମ୍ଭବ ସମ୍ଭବ ହେଲା: ପ୍ରଥମ ଥର ପାଇଁ ସୂର୍ଯ୍ୟକୁ ସ୍ପର୍ଶ କଲା ‘ନାସା’ର ମହାକାଶଯାନ first appeared on Sambad.

from ବିଶେଷ | Sambad https://ift.tt/3yuz2pW

Post a Comment

0 Comments