ବିଶ୍ୱର ଏକମାତ୍ର ଭାସମାନ ଡାକଘର

ଭାରତରେ କେବଳ ବିଶ୍ୱର ସର୍ବାଧିକ ସଂଖ୍ୟକ ଉଲ୍ଲେଖନୀୟ ଡାକଘର ରହିଛି ତାହା ନୁହେଁ; ଭାରତ ମଧ୍ୟ ବିଶ୍ବର ଏକମାତ୍ର ଭାସମାନ ଡାକଘର ବହନ କରିବାର ମାନ୍ୟତା ରଖିଛି। ଜାମ୍ମୁକାଶ୍ମୀରର ସୁନ୍ଦର ସହର ଶ୍ରୀନଗର ସ୍ଥିତ ଡାଲ୍‌ ହ୍ରଦରେ ଏକ ବିରାଟ ଡଙ୍ଗା ଉପରେ ସ୍ଥାପିତ ଏହି ସରକାରୀ ସ୍ଥାପତ୍ୟ ଦେଶ ପାଇଁ ଏପରି ବିରଳ କୀର୍ତ୍ତି ଆଣିଦେଇଛି। ପ୍ରଥମେ ଦେଖିଲେ ତାହା ଉକ୍ତ ମନୋରମ ହ୍ରଦରେ ଭାସୁଥିବା ଅନ୍ୟ ବିରାଟ ଘରଡଙ୍ଗା ଭଳି ଲାଗିବ। ମାତ୍ର ପାଖକୁ ଗଲେ ତହିଁରେ ଡାକଘରର ଆନୁଷ୍ଠାନିକ ନାଲି ଓ ହଳଦିଆ ରଙ୍ଗର ଲୋଗୋ ସହ ଏକ ବିରାଟ ଫଳକରେ ‘ଭାସମାନ ଡାକଘର, ଡାଲ୍‌ ହ୍ରଦ’ ବୋଲି ଉଲ୍ଲେଖ ଥିବା ଦେଖାଯିବ।

shortpedia.com

୨୦୧୧ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲାଙ୍କ ସହିତ କେନ୍ଦ୍ର ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ସଚିନ ପାଇଲଟ ଏହାକୁ ଲୋକାର୍ପଣ କରିଥିଲେ। ସେଠାରେ ଚିଠିପତ୍ର ଆଦାନପ୍ରଦାନ ଓ ଟଙ୍କା ନେଣଦେଣ ବ୍ୟବସ୍ଥା ସାଙ୍ଗକୁ ଇଣ୍ଟରନେଟ୍‌ ଓ ଆନ୍ତର୍ଜାତିକ ଫୋନ୍‌ ସେବା ମଧ୍ୟ ଉପଲବ୍‌ଧ କରାଯାଇଛି। ଏଥି ସହିତ ଏକ ଡାକ ଟିକେଟ୍‌ ସଂଗ୍ରହାଳୟ ମଧ୍ୟ ଖୋଲାଯାଇଛି। ସେହିପରି ଉକ୍ତ ଡାକଘର ପରିସରକୁ ଲାଗି ଏକ ସ୍ମାରକୀ ଭଣ୍ଡାର ମଧ୍ୟ ଖୋଲିଛି ଯେଉଁଠାରେ ବିଭିନ୍ନ ପ୍ରକାର କାର୍ଡ, ଲଫାପା, ଅଭିନନ୍ଦନ ପତ୍ର ଓ ସ୍ଥାନୀୟ ସାମଗ୍ରୀ ମଧ୍ୟ ମିଳିପାରୁଛି। ତେଣୁ ଏହା କେବଳ ସ୍ଥାନୀୟ କାଶ୍ମୀରବାସୀଙ୍କ ପାଇଁ ଏକ ସକ୍ରିୟ ଡାକଘର ହୋଇ ରହିନାହିଁ; କାଶ୍ମୀରକୁ ପରିଭ୍ରମଣରେ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକମାନେ ମଧ୍ୟ ସେଠାରୁ ବିଭିନ୍ନ ଡାକସେବା ଲାଭ କରିବା ସହ ତାହାକୁ ପରିଦର୍ଶନ କରିବା ପାଇଁ ମଧ୍ୟ ଆସିଥାନ୍ତି।

The post ବିଶ୍ୱର ଏକମାତ୍ର ଭାସମାନ ଡାକଘର first appeared on Sambad.

from ବିଶେଷ | Sambad https://ift.tt/3w4QU9M

Post a Comment

0 Comments