ଓଡ଼ିଶାର ଆର୍‌କେ ଲକ୍ଷ୍ମଣ

‘ସମ୍ବାଦ’ରେ ଯେଉଁଦିନ କୌଣସି କାରଣରୁ କିଶୋରଙ୍କ କଟାକ୍ଷ ପ୍ରକାଶିତ ହୋଇପାରି ନ ଥାଏ ସେଦିନ ବହୁ ପାଠକଙ୍କଠାରୁ ମୁଁ ଅନେକ ଟେଲିଫୋନ୍‌ କଲ୍‌ ପାଏ। ସେମାନେ ପଚାରନ୍ତି ‘ଆଜି କାହିଁକି ‘କଟାକ୍ଷ’ ବାହାରି ନାହିଁ?’ ଜଣେ ଲେଖକ ପାଇଁ ଏହାଠାରୁ ବଡ଼ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି କ’ଣ ହୋଇପାରେ? କିଶୋର ଯେ ଆମ ଗହଣରେ ଏବେ ଆଉ ନାହିଁ ଏବଂ ତା’ଠାରୁ ନୂଆ କଟାକ୍ଷ ଆମକୁ ଆଉ ଦେଖିବାକୁ କି ପଢ଼ିବାକୁ ମିଳିବ ନାହିଁ, ଏ କଥାକୁ ସହଜରେ ଗ୍ରହଣ କରି ହେଉନାହିଁ। ଅବଶ୍ୟ ତା’ର ଦେହାନ୍ତ ପରଠାରୁ ପ୍ରତିଦିନ ‘କ୍ଲାସିକ୍‌ କଟାକ୍ଷ’ ଶୀର୍ଷକରେ କେତେକ କାଳଜୟୀ ପୁରୁଣା କଟାକ୍ଷ ପଢ଼ିବାକୁ ମିଳୁଛି।

କିଶୋର ଏକ ଅଦ୍ଭୁତ ପ୍ରତିଭାର ଅଧିକାରୀ ଥିଲା। ତା’ର ପ୍ରତିଦିନର କଟାକ୍ଷ ସବୁଠାରୁ କମ୍‌ ଜାଗାରେ ସବୁଠାରୁ ଅଧିକ ପ୍ରଭାବ ପକାଉଥିଲା। ଏହାଦ୍ବାରା ସେ କେବଳ ‘ସମ୍ବାଦ’କୁ ଏକ ସ୍ବତନ୍ତ୍ର ପରିଚୟ ଦେଇ ନଥିଲା, ଏକ ସଫଳ ବ୍ୟଙ୍ଗ କବି ଓ ଚିତ୍ରକର ଭାବରେ ପାଠକଙ୍କ ମନରେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଥିଲା। ଗୋଦାବରୀଶ ଓ ଫତୁରାନନ୍ଦଙ୍କ ପରମ୍ପରାକୁ ଆଧୁନିକ ଢଙ୍ଗରେ ସେ ସମୃଦ୍ଧ କରିଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ତାକୁ ମୁଁ ଓଡ଼ିଶାର ଆର୍‌ କେ ଲକ୍ଷ୍ମଣ ବୋଲି କହିବାକୁ ଅଧିକ ପସନ୍ଦ କରିବି।

କିଶୋର ନିଜର ଜୀବନଶୈଳୀ ଓ ମୂଲ୍ୟବୋଧ ଦୃଷ୍ଟିରୁ ଏକ ସମ୍ପୂର୍ଣ୍ଣ ନିଆରା ମଣିଷଟିଏ ଥିଲା। ପଠାଣି ସାମନ୍ତଙ୍କର ପୁଣ୍ୟମାଟିର ସନ୍ତାନ ହୋଇଥିବା ଦୃଷ୍ଟିରୁ ତା’ ସହିତ ସମ୍ପର୍କିତ ହେବାର ସୁଯୋଗ ମୋତେ ମିଳିଥିଲା। ସେ ଆୟୋଜନ କରିଥିବା ଏକ କ୍ରିକେଟ୍‌ ମ୍ୟାଚ୍‌ରେ ତା’ ସହିତ ମୋର ପ୍ରଥମ ସାକ୍ଷାତ ହୁଏ। ମୋର ପ୍ରଥମ ଦେଖାରୁ ସେ ଯେ ଭିନ୍ନ ଏକ ସ୍ବାଦର ମଣିଷଟିଏ ତାହା ମୁଁ ଅନୁମାନ କରିପାରିଥିଲି। ତା’ପରଠାରୁ ଆମର ସମ୍ପର୍କ ଅଧିକ ଘନିଷ୍ଠ ହେଲା ଏବଂ ତା’ର ବ୍ୟକ୍ତିତ୍ବର ବିଭିନ୍ନ ଦିଗ ସହିତ ମୁଁ ପରିଚିତ ହେବାକୁ ଆରମ୍ଭ କଲି। ଯୁବକମାନଙ୍କ ଭିତରେ ଉତ୍ସାହ ଓ ଉଦ୍ଦୀପନା ଭରି ଦେବା ତା’ ପାଇଁ ବାମ ହାତର ଖେଳ ଥିଲା। ଖଣ୍ଡପଡ଼ା ମାଟିର ଢୁମ୍ପା ସଙ୍ଗୀତର ସେ ଅନ୍ୟ ଏକ ଆଧୁନିକ ସାଧକ ଥିଲା। ତା’ ଭଳି ଜଣେ ବିଭିନ୍ନ କଳାରେ ପାରଦର୍ଶିତା ହାସଲ କରିଥିବା ପ୍ରତିଭାବାନ ଯୁବକଙ୍କୁ ସହଯୋଗୀ ଭାବେ ପାଇଥିବାରୁ ମୁଁ ଅତ୍ୟନ୍ତ ଗର୍ବ ଅନୁଭବ କରେ। ସେଥିପାଇଁ ଈଶ୍ବରଙ୍କୁ ଯେତେ କୃତଜ୍ଞତା ଜଣାଇଲେ ବି କମ୍‌ ହେବ।

The post ଓଡ଼ିଶାର ଆର୍‌କେ ଲକ୍ଷ୍ମଣ first appeared on Sambad.

from ବିଶେଷ | Sambad https://ift.tt/3nrdxm9

Post a Comment

0 Comments