ଅହଂକାରଶୂନ୍ୟ ମଣିଷଟିଏ; ତାଙ୍କ ପାଇଁ ସ୍ୱାଭିମାନର ପରିଭାଷା ଭିନ୍ନ

କିଶୋର ବାବୁ ଆମର ଜଣେ ସହଯୋଗୀ ବନ୍ଧୁ ଥିଲେ ବୋଲି ମୁଁ ତାଙ୍କୁ ଟେକିକି କହୁନାହିଁ। ପ୍ରତିଦ୍ବନ୍ଦ୍ବୀ କାଗଜର ଅନେକ ବନ୍ଧୁ ମଧ୍ୟ ସେଇ ସମାନ କଥା କହନ୍ତି। କିଶୋର ରଥ ହେଲେ ଆମ ସମୟର ରାଜ୍ୟର ଶ୍ରେଷ୍ଠ ବ୍ୟଙ୍ଗଶିଳ୍ପୀ। ଖବର ପରିବେଷଣକୁ ନେଇ ସର୍ବସମ୍ମତ ଆଦୃତି କୋୖଣସି କାଗଜ ପକ୍ଷେ ସମ୍ଭବ ନୁହେଁ। ‘ସମ୍ବାଦ’ ପକ୍ଷେ ମଧ୍ୟ ନୁହେଁ। ‘ସମ୍ବାଦ’ ଆରମ୍ଭ କରିଥିବା ଅନେକ ନୂଆକଥାକୁ ପ୍ରତିଦ୍ବନ୍ଦ୍ବୀମାନେ ଅନୁକରଣ କରିବା ମଧ୍ୟ ଦେଖାଯାଇଛି। ତା’ସତ୍ତ୍ବେ ‘ସମ୍ବାଦ’ର ପ୍ରତିଟି ମୂଳ କଥା ଯେ ଶ୍ରେଷ୍ଠ, ତାହା ମଧ୍ୟ ସହଜରେ ଦାବି କରିହୁଏନାହିଁ। ଏମିତିକି ଖେଳପୃଷ୍ଠା କ୍ଷେତ୍ରରେ ମଧ୍ୟ ଏଇ କଥାଟି ପ୍ରଯୁଜ୍ୟ। ହେଲେ ଅନ୍ତତଃପକ୍ଷେ ଯୋଉ ଦୁଇଟି କଥାରେ ‘ସମ୍ବାଦ’ ଅନ୍ୟମାନଙ୍କଠାରୁ ଢେର୍ ଉତ୍ତମ ବୋଲି ପ୍ରତିଦ୍ବନ୍ଦ୍ବୀଙ୍କ ସମେତ ଅଧିକାଂଶ ସ୍ବୀକାର କରନ୍ତି ସେଥିରୁ ଗୋଟିଏ ହେଲା ସମ୍ପାଦକୀୟ ପୃଷ୍ଠା। ଅନ୍ୟଟି ହେଲା କିଶୋର ରଥଙ୍କ କାର୍ଟୁନ୍ କୋଣ କଟାକ୍ଷ। ‘ସମ୍ବାଦ’ର ଲକ୍ଷଲକ୍ଷ ପାଠକଙ୍କ ମଧ୍ୟରୁ ଏମିତି ବେଶ କିଛି ଲୋକ ଅଛନ୍ତି ଯୋଉମାନେ ‘ସମ୍ବାଦ’ ପୃଷ୍ଠା ଖୋଲିଲେ ପ୍ରଥମେ ‘କଟାକ୍ଷ’ ପଢ଼ନ୍ତି।

ସୃଜନର ସ୍ରଷ୍ଟାମାନେ ବିଶେଷ କରି ସାହିତ୍ୟିକମାନେ ସାଧାରଣତଃ ଊଣାଅଧିକେ ଅହଂଭାବର ଅଧିକାରୀ ହୋଇଥିବା ଅନେକ କ୍ଷେତ୍ରରେ ଦେଖିବାକୁ ମିଳେ। ହେଲେ କିଶୋର ବାବୁ ଏତେବଡ଼ ସର୍ଜନଶୀଳ ବ୍ୟକ୍ତି ଅଥଚ ସମ୍ପୂର୍ଣ୍ଣ ଅହଂକାରଶୂନ୍ୟ। କଟାକ୍ଷ କରୁକରୁ କେତେବେଳେ କେମିତି ଗୋଟେଅଧେ ଶବ୍ଦ ବା ଧାଡ଼ି ବିବାଦୀୟ ହେବା ଆଶଙ୍କା କରି ତାଙ୍କୁ ଆମେ ବଦଳାଇଦେବାକୁ କହୁ। ସେ ବୟସ, ଲୋକପ୍ରିୟତା, ସାମାଜିକ ପ୍ରତିଷ୍ଠା ଓ ପରିଚିତି- ସବୁ ଦୃଷ୍ଟିରୁ ବଡ଼। ଅନ୍ୟ କେହି ହେଲେ ଯୁକ୍ତି କରି ଦବେଇଦେବାକୁ ଚେଷ୍ଟା କରନ୍ତା। ସେ କିନ୍ତୁ ଅଲଗା। ପ୍ରବଳ ଆତ୍ମବିଶ୍ବାସ ଥାଏ ତାଙ୍କର। ସାଙ୍ଗେସାଙ୍ଗେ କଥାଟିକୁ ଗ୍ରହଣ କରିନିଅନ୍ତି। ଦି’ଚାରି ମିନିଟ୍ ଭିତରେ ଉକ୍ତ ଶବ୍ଦ ବା ଧାଡ଼ିଟିକୁ ବଦଳାଇ ଦିଅନ୍ତି।
ସାଂପ୍ରତିକ ପ୍ରସଙ୍ଗଗୁଡ଼ିକ ଉପରେ କିଶୋର ବାବୁଙ୍କ ଅସମ୍ଭବ ବ୍ୟୁତ୍ପତ୍ତି ବା ଦଖଲ ଥିଲା। ପ୍ରବଳ ନ୍ୟୁଜ୍ ସେନ୍ସ ତାଙ୍କର। ‘ସମ୍ବାଦ’ରେ ପ୍ରକାଶିତ ସେହିଦିନର ମୁଖ୍ୟ ପ୍ରସଙ୍ଗକୁ ନେଇ ହିଁ ସେ କଟାକ୍ଷ ଲେଖନ୍ତି। ପ୍ରାୟତଃ କିଛି ପେଣ୍ଡିଂ ନଥାଏ।

କିଏ କେତେବଡ଼ କବି ବା ଲେଖକ ସେଇଟା ସେ ପାଇଥିବା ପୁରସ୍କାରରୁ ନୁହେଁ, ବରଂ ତାଙ୍କ କୃତିରୁ ଜଣାପଡ଼େ। ବଡ଼ବଡ଼ କବିଙ୍କର କିଛି ପ୍ରସିଦ୍ଧ କବିତା ସାଧାରଣ ପାଠକଙ୍କର ମନେ ରହିଯାଏ। ଓଡ଼ିଶା‌େର ତାଙ୍କର ମୋ ଭଳି ଅନେକ ମୁଗ୍ଧ ପ୍ରଶଂସକ ଅଛନ୍ତି ଯୋଉମାନେ ତାଙ୍କ କବିତାରୁ କିଛିକିଛି ମନେରଖିଦେଇଛୁ। ଜନ୍ମାଷ୍ଟମୀ ଦିନ ଥରେ ସେ ଲେଖିଥିବା ପ୍ରଥମ ପଂକ୍ତିଟି ଏହିପରି ଥିଲା:- ଫେମିଲି ପ୍ଲାନିଂଙ୍ଗି ରୁଉଲୁ ନକରି ଭୁଉଲୁ କରିଲା କଂସ। ଅଷ୍ଟମ ଗରଭୁ ଜନମିଥା’ନ୍ତା ନା ହୋଇଥା’ନ୍ତା ସିଏ ଧ୍ବଂସ..। ଖାଲି ସେତିକି ନୁହେଁ, କିଶୋର ରଥଙ୍କ ଭଳି କବିମାନେ ନିଜ କବିତାମାନଙ୍କରେ ଦେହାତି ଭାଷାଗୁଡ଼ିକୁ ମଝିମଝିରେ ସ୍ଥାନ ଦେଉନଥିଲେ ସେଗୁଡ଼ିକ ଯେ ଅଚିରେ ବିସ୍ମୃତି ପାଲଟିଯାଆନ୍ତା, ତାହା ଅନୁମାନ କରିହୁଏ।

କିଶୋର ବାବୁ ଥିଲେ ଜଣେ ଭିନ୍ନ ସ୍ବାଦର ପ୍ରତିଭା। ବ୍ୟଙ୍ଗକବିତା ଓ ରେଖାଚିତ୍ର ଉଭୟରେ ପାରଙ୍ଗମ। ଯଦି ତାଙ୍କ ରେଖାଚିତ୍ର ବା କାର୍ଟୁନ୍‌କୁ ଛାଡ଼ିଦିଆଯାଇ କେବଳ ବ୍ୟଙ୍ଗକବିତାକୁ ବିଚାରକୁ ନିଆଯାଏ, ତେବେ ବି ସେ ଜଣେ ମହାନ ସ୍ରଷ୍ଟା। ଯଦି ବ୍ୟଙ୍ଗକବିତାକୁ କାବ୍ୟସାହିତ୍ୟର ଅନ୍ୟତମ ବିଭବ ବୋଲି ଧରାଯାଏ, ସେ ଅତ୍ୟନ୍ତ ସଫଳ ସାହିତ୍ୟିକ ଭାବେ ଗଣ୍ୟ ହେବାକଥା। ସାହିତ୍ୟର ମୁଖ୍ୟସ୍ରୋତରେ ଆମେ ପ୍ରାବନ୍ଧିକ ଓ ବ୍ୟଙ୍ଗକବିମାନଙ୍କୁ ସାମିଲ କରିବାର ମାନସିକତା ରଖିଲେ ଆହୁରି ଅନେକ ଚିତ୍ତରଂଜନ ଦାସଙ୍କୁ ସ୍ବୀକୃତି ମିଳନ୍ତା। ଆଉ କିଶୋର ରଥ ତ ବ୍ୟଙ୍ଗକବିତାରେ ଅନତିକ୍ରମଣୀୟ ସଫଳତା ହାସଲ କରିଛନ୍ତି।

ବାର୍ତ୍ତା ବିଭାଗ ମୁଖ୍ୟ, ‘ସମ୍ବାଦ’

The post ଅହଂକାରଶୂନ୍ୟ ମଣିଷଟିଏ; ତାଙ୍କ ପାଇଁ ସ୍ୱାଭିମାନର ପରିଭାଷା ଭିନ୍ନ first appeared on Sambad.

from ବିଶେଷ | Sambad https://ift.tt/3x1YuTc

Post a Comment

0 Comments