ଗଙ୍ଗାନଦୀ ଜଳ ପ୍ରବାହ ବଦଳାଉଛି ଜଳବାୟୁ ପରିବର୍ତ୍ତନ, ଅଧିକ ବନ୍ୟା ଆଶଙ୍କା: ଅଧ୍ୟୟନ

ନୂଆଦିଲ୍ଲୀ: ମାନବୀୟ କାର୍ଯ୍ୟକଳାପ ଏବଂ ଜଳବାୟୁ ପରିବର୍ତ୍ତନ ଗଙ୍ଗାନଦୀର ଜଳ ପ୍ରବାହ ବଦଳାଇ ଦେଉଥିବାରୁ ‘ଗଙ୍ଗା ବେସିନ୍‌’ରୁ (ସ୍ଥଳଭାଗରୁ ନଈକୁ ନିଗିଡ଼ି ଯାଉଥିବା ଜଳ) ଅଧିକ ବନ୍ୟା ହେବାର ଆଶଙ୍କା ଥିବା ସମ୍ପର୍କରେ ‘ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍‌ସ୍‌’ (ଆଇଆଇଏସ୍‌ସି) କରିଥିବା ନୂତନ ଅଧ୍ୟୟନରୁ ସୂଚନା ମିଳୁଛି। ବଢ଼ି ଚାଲିଥିବା ମାନବୀୟ କାର୍ଯ୍ୟକଳାପ ସବୁ ଗଙ୍ଗାରେ ଭୀଷଣ ପ୍ରଦୂଷଣ କରିବା ସହ ତା’ର ପ୍ରବାହ ପରିବର୍ତ୍ତନ କରିଥିବା ଭଳି ମାରାତ୍ମକ କୁପ୍ରଭାବ ପକାଇସାରିଛି।

ଜଳବାୟୁ ପରିବର୍ତ୍ତନ ଏବଂ ଜଳଭଣ୍ଡାର ନିର୍ମାଣ ଭଳି ମାନବୀୟ କାର୍ଯ୍ୟକଳାପ କିପରି ସମ୍ପୃକ୍ତ ଅଞ୍ଚଳକୁ ପ୍ରଭାବିତ କରୁଛି ‘ସାଇଣ୍ଟିଫିକ୍‌ ରିପୋର୍ଟସ୍‌’ରେ ପ୍ରକାଶିତ ଉକ୍ତ ଅଧ୍ୟୟନ ସେ ସମ୍ବନ୍ଧରେ ଅନ୍ତର୍ଦୃଷ୍ଟି ପ୍ରଦାନ କରୁଛି। ଏହି ଅଧ୍ୟୟନରେ ଦେବପ୍ରୟାଗ ଠାରେ ସମ୍ମିଳିତ ହୋଇ ଗଙ୍ଗାନଦୀ ସୃଷ୍ଟି କରିଥିବା ଭାଗିରଥୀ ଏବଂ ଅଳକାନନ୍ଦା ନାମକ ଦୁଇ ଗୁରୁତ୍ବପୂର୍ଣ୍ଣ ଶାଖାନଦୀ ଉପରେ ଆଲୋକପାତ କରି ଏହି ପାର୍ବତ୍ୟ ଅଞ୍ଚଳରେ ଅତୀତର ମାନବୀୟ କାର୍ଯ୍ୟକଳାପଗୁଡ଼ିକର ପ୍ରଭାବ ବିଶ୍ଳେଷଣ କରାଯାଇଛି।

Image Courtesy of India Today

ଗଙ୍ଗୋତ୍ରୀ ଭାସମାନ ତୁଷାରରୁ ପଶ୍ଚିମାଞ୍ଚଳ ଶାଖାନଦୀ ଭାଗୀରଥୀ ଏବଂ ସତୋବନ୍ଥ ଭାସମାନ ତୁଷାରରୁ ପୂର୍ବାଞ୍ଚଳ ଶାଖାନଦୀ ଅଳକାନନ୍ଦା ସୃଷ୍ଟି ହୋଇଛନ୍ତି। ଉଭୟ ଶାଖାନଦୀ ଦେବପ୍ରୟାଗରେ ମିଳିତ ହୋଇ ଗଙ୍ଗାନଦୀ ସୃଷ୍ଟି କରିଛନ୍ତି। ଋଷିକେଶ ପର୍ଯ୍ୟନ୍ତ ବ୍ୟାପ୍ତ ‘ଉପର ଗଙ୍ଗା ବେସିନ୍‌’ ଉପରେ ଗବେଷକମାନେ ଅଧ୍ୟୟନ କରିଥିଲେ। ୨୦୧୦ ପୂର୍ବରୁ ଭାଗୀରଥୀ ବେସିନ୍‌ରେ ୪ଟି ଜଳଭଣ୍ଡାର କାର୍ଯ୍ୟକ୍ଷମ ହୋଇଥିବା ବେଳେ ୨୦୧୫ ପରେ ଅଳକାନନ୍ଦା ବେସିନ୍‌ରେ ୨ଟି ଜଳଭଣ୍ଡାର କାର୍ଯ୍ୟକ୍ଷମ ହୋଇଛି।

ଫଳରେ ୧୯୯୫ ରୁ ୨୦୦୫ରେ ଅଳକାନନ୍ଦାରେ ଜଳ ପ୍ରବାହ ଦୁଇଗୁଣ ହୋଇଯାଇଛି। ଏହାକୁ ମାତ୍ରାଧିକ ପ୍ରବାହ ଆହୁରି ବୃଦ୍ଧି ପାଇ ଗଙ୍ଗା ବେସିନ୍‌ରେ ଅଧିକ ବନ୍ୟା ସୃଷ୍ଟି କରିବ ବୋଲି ଗବେଷକମାନେ ପୂର୍ବାନୁମାନ କରିଛନ୍ତି।

କିନ୍ତୁ, ଅତ୍ୟାଧୁନିକ ବୈଷୟିକ ବିଦ୍ୟା ଏବଂ ନୂତନ ପ୍ରକାରର ‘ହାଇଡ୍ରୋଲିକ୍‌ ଷ୍ଟ୍ରକ୍‌ଚର୍‌’ଦ୍ବାରା ପରିବର୍ତ୍ତିତ ନଦୀ ପ୍ରବାହଜନିତ ପ୍ରଭାବକୁ ପ୍ରତିହତ କରିହେବ ବୋଲି ଗବେଷକମାନେ କହିଛନ୍ତି।

The post ଗଙ୍ଗାନଦୀ ଜଳ ପ୍ରବାହ ବଦଳାଉଛି ଜଳବାୟୁ ପରିବର୍ତ୍ତନ, ଅଧିକ ବନ୍ୟା ଆଶଙ୍କା: ଅଧ୍ୟୟନ first appeared on Sambad.

from ବିଶେଷ | Sambad https://ift.tt/3HDy4Me

Post a Comment

0 Comments