
ଯାହା ସ୍ମରଣରେ ଆସୁଛି କଲେଜ ଜୀବନରୁ କିଶୋର ଭାଇଙ୍କ କଟାକ୍ଷ ପଢିବା ଓ ପଢି ଆମୋଦିତ ହେବା ଏକ ପ୍ରକାରର ସକାଳର ଅଭ୍ୟାସ। ସେତେବେଳେ ତାଙ୍କୁ ଦେଖିବା ଏକ ସ୍ବପ୍ନ ଥିଲା। ମାତ୍ର ପରେ ଯେବେ କିଛି ମାସ ପାଇଁ ଆମ ଓଡ଼ିଶା ସହ ଯୋଡ଼ି ହେଲି, ସେତେବେଳେ ତାଙ୍କ ସହ ଦେଖାହୁଏ। ମୋର ମନେପଡ଼େ ୨୦୦୪ ମସିହାର କଥା।ବାଜପେୟୀଙ୍କ ସରକାର ନିର୍ବାଚନ ହାରିବା ପରେ ୟୁପିଏ ସରକାର କେନ୍ଦ୍ରରେ କ୍ଷମତାକୁ ଆସନ୍ତି। ସେତେବେଳେ କିଶୋର ଭାଇ ସମ୍ବାଦରେ ଏକ ବ୍ୟଙ୍ଗ ଚିତ୍ର ପ୍ରକାଶ କଲେ। ସୋନିଆ ଗାନ୍ଧୀ ଦୁର୍ଗା ବେଶରେ ମହିଷାସୁର ରୂପୀ ବାଜପେୟୀଙ୍କ ବକ୍ଷରେ ଶୂଳ ଭେଦ କରୁଥାଆନ୍ତି।
ମତେ ଚିତ୍ରଟି ବହୁତ ପ୍ରଭାବିତ କଲା। ମୁଁ ତାଙ୍କୁ ଫୋନ୍ କରି ସେହି ଚିତ୍ରଟି ମୋ ଦ୍ବାରା ସଂପାଦିତ ସଂଭାବନାର ପ୍ରଚ୍ଛଦ ପଷ୍ଟାରେ ମୁଦ୍ରଣ ପାଇଁ ଅନୁମତି ମାଗିଲି। ସେ କହିଲେ ଆରେ ଦେବ ବାବୁ ସେ ଚିତ୍ରକୁ ନେଇ ବହୁଲୋକ ସୌମ୍ୟବାବୁଙ୍କୁ ଫୋନ୍ କରି ଗାଳି ଦେଉଛନ୍ତି। ଆପଣ ପୁଣି କାହିଁକି ବିବାଦରେ ପଶିବେ! ମୁଁ କହିଲି ମୁଁ ଡରୁନି ମତେ ଅନୁମତି ଦିଅନ୍ତୁ। ସେ ଖୁସି ହୋଇ କହିଲେ ସେ ଚିତ୍ରଟି କଳା ଧଳାଅଛି। ମୁଁ ଆପଣଙ୍କ ପାଇଁ ତାହାର ରଂଗୀନ ଚିତ୍ରଟି ଆଙ୍କି ଦେବି।ସେ ପ୍ରତିଶ୍ରୁତି ପୁରଣ କଲେ। ସଂଭାବନାର ପ୍ରଚ୍ଛଦ ଚିତ୍ର ସେହିଟି ହେଲା ଓ ଆମ ସେ ସଂଖ୍ୟାଟି ବହୁତ ଜନାଦୃତ ହେଲା। ତା ପରେ ତାଙ୍କ ସହ ସଂପର୍କ ଆହୁରି ନିବିଡ ହୋଇଗଲା।
ସେ ସଂଭାବନାର ବହୁତ କାର୍ଯ୍ୟକ୍ରମରେ ଦର୍ଶକ ଭାବେ ଜୟଦେବ ଭବନକୁ ଆସନ୍ତି। ପ୍ରାୟ ପଛ ଆସନରେ ବସନ୍ତି। ଯେତେ ଡାକିଲେ ସାମନାକୁ ଆସିବେନି। ଅତି ଅମାୟିକ, ବଂଧୁବତ୍ସଳ ଓ ମାଟି ମନସ୍କ ମଣିଷଟି ସତରେ ଏତେ ଶୀଘ୍ର ଚାଲିଯିବେ,ଏହା ବିଶ୍ବାସ କରି ହେଉନି। ତାହାଠାରୁ ଅଧିକ ବାଧୁଛି ଯେ କଟାକ୍ଷ ଆଉ ପଢି ହେବନି। ସେ ମଧ୍ୟ ତାଙ୍କ ଅଞ୍ଚଳର ଗୌରବ ଢୁମ୍ପା ସଂଗୀତର କଳାକାର ଥିଲେ। ବହୁମୁଖୀ ପ୍ରତିଭାର ଅଧିକାରୀ ଏହି ମଣିଷଟିର ଅସମୟରେ ପ୍ରସ୍ଥାନ କେବଳ ତାଙ୍କ ପରିବାରର ନୁହେଁ, ବା ସମ୍ବାଦ ପରିବାରର ନୁହେଁ, ବରଂ ଓଡ଼ିଶାର ଏକ ଅପୂରଣୀୟ କ୍ଷତି। ଏହି ଶୂନ୍ୟସ୍ଥାନ ସହଜେ ଭରିବ ନାହିଁ। କାରଣ ଓଡ଼ିଶାରେ ତାଙ୍କର ପାଖାପାଖି ଆଉ ଜଣେ କାର୍ଟୁନିଷ୍ଟ ଥିବାର ମୁଁ ଜାଣେନି। ତାଙ୍କ ଆତ୍ମା ଶାନ୍ତି ପାଉ,ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଏତିକି ପ୍ରାର୍ଥନା।
ସଂପାଦକ, ସଂଭାବନା
The post ‘କିଶୋରଙ୍କ ଶୂନ୍ୟସ୍ଥାନ ସହଜେ ପୂରଣ ହେବନି’ first appeared on Sambad.from ବିଶେଷ | Sambad https://ift.tt/30G9TvX
0 Comments