ବଞ୍ଚିବା ପାଇଁ ବାପାଙ୍କ ପାଖରେ ଥିଲା ୬ମାସ; ପୁଅ ନିଜର ଲିଭରର ୬୫ ପ୍ରତିଶତ ଦାନ କରି ଦେଲା ନୂଆ ଜୀବନ

ନୂଆଦିଲ୍ଲୀ: ପରିବାର ସବୁକିଛି ହୋଇଥାଏ, ପରିବାର ପାଇଁ ଯେତେ ବି ବଳିଦାନ ଦେଲେ ତାହା କମ ହୋଇଥାଏ ବୋଲି ନିକଟରେ ଜଣେ ପୁଅ କହିଛନ୍ତି। ଉକ୍ତ ପୁଅ ଜଣକ ନିଜର ରୋଗଗ୍ରସ୍ତ ବାପାଙ୍କୁ ନୂ୍ଆ ଜୀବନ ଦେଇଛନ୍ତି। ଏପରି ଅନନ୍ୟ କାର୍ଯ୍ୟ କରିଥିବା ପୁଅଜଣକ ହେଲେ ମୁମ୍ବାଇର ମନୁ।

ଡାକ୍ତରଙ୍କ କହିବାନୁସାରେ ଉକ୍ତ ମନୁଙ୍କ ବାପାଙ୍କ ପାଖରେ ବଞ୍ଚିବା ପାଇଁ ବେଶୀ ଦିନ ନଥିଲା। ଲିଭର ଟ୍ରାନ୍ସପ୍ଲାଣ୍ଟ କରିବା ପାଇଁ ଡୋନର ଖୋଜା ଚାଲିଥିଲା। ଠିକ ସମୟରେ ଡୋନର ନମିଳିବାରୁ ମନୁ ନିଜ ଲିଭର (ଯକୃତ)ର ୬୫ ପ୍ରତିଶତ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ବାପ ଓ ପୁଅଙ୍କ ଏଭଳି ଏକ ହୃଦୟସ୍ପର୍ଶୀ ଘଟଣାକୁ ଇନଷ୍ଟାଗ୍ରାମରେ ହ୍ୟୁମାନ ଅଫ ବମ୍ବେ ପେଜରେ ସେୟାର କରାଯାଇଛି।

ବାପାଙ୍କୁ ଲିଭର ଦାନ କରିଥିବା ପୁଅ ମନୁଙ୍କ କହନ୍ତି, ‘‘ଯେତେବେଳେ ଜାଣିଲି ବାପାଙ୍କ ଲିଭର ଖରାପ ଅଛି ମୁଁ ଚିନ୍ତାରେ ପଡ଼ି ଯାଇଥିଲି। ସେ କେବେ ବି ସିଗାରେଟ କି ମଦ ସେବନ କରନ୍ତି ନାହିଁ। ଆଉ ଡାକ୍ତର କହିଥିଲେ ୬ମାସ ଭିତରେ ଯାହା ବ୍ୟବସ୍ଥା କରିବା କଥା କର, ନଚେତ ସେ ଆଉ ତାଙ୍କ ବାପାଙ୍କୁ ବଞ୍ଚାଇ ପାରି‌ବେ ନାହିଁ। ଏଭଳି ସମୟରେ ବାପା ମୋତେ କୋହଭରା କଣ୍ଠରେ କହିଥିଲେ ମୁଁ ମରିବାକୁ ଚାହେଁ ନାହିଁ, ମୁଁ ତତେ ଗ୍ରାଜୁଏଟ ହେବା ଦେଖିବାକୁ ଚାହେଁ। ଏହି ସମୟରେ ଘରେ ଏକ ପ୍ରକାର ଦୁଃଖର ବାତାବରଣ ସୃଷ୍ଟି ହୋଇଗଲା।’’

ପ‌ୁଣି ମନୁ କହନ୍ତି, ‘‘ ସେତେବେଳେ କରୋନାର ଦ୍ବିତୀୟ ଲହର ଚାଲିଥିଲା। ଆଉ ମୁଁ କରୋନାରେ ସଂକ୍ରମିତ ହୋଇଗଲି। କରୋନା‌ ସଂକ୍ରମିତ ହୋଇ ମୁଁ ସଙ୍ଗରୋଧରେ ରହିଲା ପରେ ବହୁତ କାନ୍ଦିଛି। କାରଣ ଏଭଳି ପରିସ୍ଥିତିରେ ବାପାଙ୍କୁ ମୋର ବହୁତ ଆବଶ୍ୟକତା ଥିଲା। ବାପାଙ୍କୁ ଖୁସି ରଖିବାକୁ ସବୁବେଳେ ଭିଡିଓ କଲ ବି କରୁଥିଲି। ଅନଲାଇନରେ ତାଙ୍କ ସହ ଲୁଡୁ ‌ଖେଳୁଥିଲି, ଆଉ ଜାଣିଶୁଣି ହାରି ଯାଉଥିଲି। କାରଣ ସେ ଲୁଡୁରେ ଜିତିଲେ ଖୁସି ହୁଅନ୍ତି। ଉଭୟ ଉଭୟଙ୍କୁ ଆଶ୍ବସନା ଦେଉଥିଲୁ କି ଦିନେ ନା ଦିନେ ଏହି ବିପଦରୁ ଆମେ ପାରି ହୋଇଯିବା।’’

father-and-son-in-hospital

‘‘ଦୁର୍ଭାଗ୍ୟବଶତଃ ମୁଁ କରୋନା ସଂକ୍ରମଣରୁ ଠିକ ହେବାପରେ ବାପା ସଂକ୍ରମିତ ହୋଇଗଲେ। ତାଙ୍କୁ ବାରମ୍ବାର ଚିକିତ୍ସା ପାଇଁ ହସ୍ପିଟାଲ ନେବାକୁ ପଡ଼ୁଥିଲା। ବାପାଙ୍କ ଏଭଳି ଅବସ୍ଥା‌ ମୁଁ ଆଉ ଦେଖି ପାରୁ ନଥିଲି। ଶେଷରେ ନିଷ୍ପତ୍ତି ନେଇଥିଲି କି ମୁଁ ବାପାଙ୍କୁ ଲିଭର ଦାନ କରିବି। ଆଉ ଏ ସମ୍ପର୍କରେ ପରିବାରଲୋକଙ୍କୁ ବି ଜଣାଇ ଦେଇଥିଲି।ସୌଭାଗ୍ୟବଶତଃ ବାପାଙ୍କ ଲିଭର ସହିତ ମୋ ଲିଭର ଖାପ ଖାଇଗଲା। ମୋତେ ମୋ ଲିଭରର ୬୫ ପ୍ରତିଶତ ଦାନ କରିବାର ଥିଲା। ଏଥିପାଇଁ ମୁଁ ବ୍ୟାୟାମ ଓ ଖାଦ୍ୟ ପାନୀୟ ଉପରେ ବି‌ଶେଷ ଧ୍ୟାନ ଦେଇଥିଲି। କିଛି ପରୀକ୍ଷା ପରେ ମୋତେ କୁହାଗଲାଯେ ଅସ୍ତ୍ରୋପଚାର ପାଇଁ ମୁଁ ପ୍ରସ୍ତୁତ। ମୁଁ ଆଶ୍ବସ୍ତି ଅନୁଭବ କରୁଥିବା ବେଳେ ବାପା ଭୋଭୋ ହୋଇ କାନ୍ଦି ଉଠିଥିଲେ।’’

ଏସବୁ ସ୍ଥିର ହେବା ପରେ ମନୁଙ୍କ ବାବା  କାନ୍ଦିକାନ୍ଦି କହିଥିଲେ ଆଗକୁ ଯଦି ‌ତୋର କିଛି ଅସୁବିଧା ହୋଇଯାଏ ମୁଁ ନିଜକୁ କ୍ଷମା କରି ପାରିବି ନାହିଁ। ସେ ବାପାଙ୍କୁ ବୁଝାଇ କହିଥି‌ଲେ ଏହି ଲଢ଼େଇ ତୁମର ଆଉ ମୋର ବି। ଆମେ ହାରିବାବାଲା ନୁହେଁ। ଭଗବାନଙ୍କ ଦୟାରୁ ଅସ୍ତ୍ରୋପଚାର ସଫଳ ହେଲା ଏବଂ  ବାପ-ପୁଅ ଦୁହେଁ ଏବେ ସୁସ୍ଥ। ପରିବାରରେ ଖୁସି ଫେରି ଆସିଥିବା ଦେଖି ମୁଁ ମୋର ସବୁ କଷ୍ଟ ଭୁଲି ଯାଇଛି ବୋଲି ମନୁ ନିଜ ଇନଷ୍ଟାଗ୍ରାମ ପେଜରେ ପ୍ରକାଶ କରିଛନ୍ତି।

The post ବଞ୍ଚିବା ପାଇଁ ବାପାଙ୍କ ପାଖରେ ଥିଲା ୬ମାସ; ପୁଅ ନିଜର ଲିଭରର ୬୫ ପ୍ରତିଶତ ଦାନ କରି ଦେଲା ନୂଆ ଜୀବନ first appeared on Sambad.

from ବିଶେଷ | Sambad https://ift.tt/3AeVKBP

Post a Comment

0 Comments