ତାପମାତ୍ରା ବୃଦ୍ଧି ହେତୁ ବଢ଼ିବ ‘ହରିକେନ୍’, ‘ଟାଇଫୁନ୍’ର ସଂଖ୍ୟା, ୧୮୦ କୋଟି ଲୋକଙ୍କ ଉପରେ ବିପଦ ଆଶଙ୍କା !

ନୂଆଦିଲ୍ଲୀ: ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ବିଶ୍ବବାସୀଙ୍କ ଲାଗି ଏକ ବଡ଼ ପାରିବେଶିକ ସଂକଟ ଭାବେ ଉଭା ହୋଇଛି । ଏକ ଅନୁସନ୍ଧାନରୁ ସୂଚନା ମିଳିଛି କି ଜଳବାୟୁ ପରିବର୍ତ୍ତନ ଜନିତ ତାପମାତ୍ରା ବୃଦ୍ଧି ଚଳିତ  ଶତାବ୍ଦୀର ଶେଷ ସୁଦ୍ଧା ୧୮୦‌ କୋଟିରୁ ଅଧିକ ଲୋକଙ୍କୁ ବିଷୁବମଣ୍ଡଳୀୟ ଘୂର୍ଣ୍ଣିବାତ୍ୟାର କବଳିତ କରିବ । ଆଗାମୀ କିଛି ଦଶନ୍ଧି ଭିତରେ ଯେଉଁଭଳି ଭାବେ ଜନସଂଖ୍ୟା ସହିତ ବିଶ୍ବରେ ତାପମାତ୍ରାରେ ବୃଦ୍ଧି ଘଟୁଛି, ତାହା ଅଧିକ ସଂଖ୍ୟାରେ ବିଷୁବ ମଣ୍ଡଳୀୟ ବାତ୍ୟା ବା ଟ୍ରପିକାଲ ସାଇକ୍ଲୋନର କାରଣ ହେବ। ଏହାର ଫଳସ୍ବରୂପ ବ୍ୟାପକ ଧନଜୀବନ ନଷ୍ଟହେବ।

ବିଷୁବ ମଣ୍ଡଳୀୟ ଘୂର୍ଣ୍ଣିଝଡ଼ ପୃଥିବୀର ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରୁ ଗୋଟିଏ । ଯେଉଁଥିପାଇଁ ପ୍ରତିବର୍ଷ ପ୍ରାୟ ୧୫ କୋଟି ଲୋକଙ୍କ ଜୀବନ ବିପଦରେ ପଡ଼ିଥାଏ ।  ଏହି ବାତ୍ୟାକୁ ଉତ୍ତର-ଅଟଲାଣ୍ଟିକ ସାଗର ଅଞ୍ଚଳରେ ‘ହରିକେନ୍’ ଓ ଉତ୍ତର ପଶ୍ଚିମ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ‘ଟାଇଫୁନ୍’ କୁହାଯାଇଥାଏ ।

ଜନସଂଖ୍ୟା ଏବଂ ତାପମାତ୍ରା ବୃଦ୍ଧି ଏହି ବିପଦକୁ ଆହୁରି ବଢ଼ାଇ ଦେଇଛି। ବିଶେଷକରି ପୂର୍ବ ଆଫ୍ରିକୀୟ ଦେଶ ଏବଂ ଆମେରିକାର ଉପକୂଳବର୍ତ୍ତୀ ଅଞ୍ଚଳ ପ୍ରତି ଅଧିକ ବିପଦ ରହିଛି । ଆକଳନ କରାଯାଇଛି ଯେ ବିଶ୍ବର ତାପମାତ୍ରା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି କାରଣରୁ ପୂର୍ବ ଆଫ୍ରିକୀୟ ଦେଶରେରେ ବାତ୍ୟାର ଆଶଙ୍କା ୩୦୦ ପ୍ରତିଶତ ଏବଂ ଆମେରିକାରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଯିବାର ଆଶଙ୍କା ଦେଖାଦେଇଛି । ଆରବ ଦ୍ୱୀପପୁଞ୍ଜରେ ଏହି ବିପଦ ଯଥେଷ୍ଟ ବୃଦ୍ଧି ପାଇବ। ଏହି ସୂଚନା ‘ନେଚର କ୍ଲାଇମେଟ ଚେଞ୍ଜ’ ଜର୍ଣ୍ଣାଲରେ ପ୍ରକାଶିତ ଏକ ଅନୁସନ୍ଧାନରୁ ସାମ୍ନାକୁ ଆସିଛି।

ଯଦି ବିଶ୍ବର ହାରାହାରି ତାପମାତ୍ରାରେ ଏକ ଡିଗ୍ରି ସେଲସିୟସ ବୃଦ୍ଧି ହୁଏ, ତେବେ ଏହି ବାତ୍ୟାର ସାମ୍ନା କରୁଥିବା ଲୋକଙ୍କ ସଂଖ୍ୟା ପୂର୍ବ ତୁଳନାରେ ପ୍ରାୟ ୨୬ ପ୍ରତିଶତ ବୃଦ୍ଧି ପାଇବ। ଏହି ସଂଖ୍ୟା ପ୍ରାୟ ୩.୩ କୋଟି ହେବ। ଆକଳନ କରାଯାଇଛି ଯେ ୨୦୫୦ ବେଳକୁ ପୃଥିବୀର ଜନସଂଖ୍ୟା ଶିଖରରେ ପହଞ୍ଚିବ, ତାହା ପରେ ଏହା ହ୍ରାସ ପାଇବା ଆରମ୍ଭ ‌ହୋଇଯିବ।

୨୦୫୦ ସୁଦ୍ଧା ଜଳବାୟୁ ପରିବର୍ତ୍ତନ ପ୍ରକ୍ରିୟାକୁ ଯଦି ନିୟନ୍ତ୍ରଣ କରାଯିବା ଉପରେ ବିଶେଷ ଧ୍ୟାନ ଦିଆ ନଯାଏ ତେବେ ଅନୁମାନ କରାଯାଉଛି କି ଏହି କାରଣରୁ ତାପମାତ୍ରା ବୃଦ୍ଧି ୨ ଡିଗ୍ରି ସେଲସିୟସରେ ପହଞ୍ଚିବ । ଫଳରେ ବିଷୁବ ମଣ୍ଡଳୀୟ ଘୂର୍ଣ୍ଣିଝଡ଼ ଜନିତ ବିପଦ ପ୍ରାୟ ୪୧ ପ୍ରତିଶତ ବୃଦ୍ଧି ପାଇବ । ଏହାର ଅର୍ଥ ହେଉଛି ତାପମାତ୍ରା ବୃଦ୍ଧି ହେତୁ ଭବିଷ୍ୟତରେ ୫.୨ କୋଟି ଲୋକ ‘ହରିକେନ୍’, ‘ଟାଇଫୁନ୍’ ଆଦି ବଡ଼ ବାତ୍ୟାର ସାମ୍ନା କରିବାକୁ ବାଧ୍ୟ ହେବେ।

Photo Courtesey : UNICEF

ବିପଦକୁ ହ୍ରାସ ପାଇଁ ଲୋଡ଼ା କଠୋର ପଦକ୍ଷେପ

ଅନ୍ୟ ପଟେ, ଯଦି ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ଦୃଢ଼ ପ୍ରୟାସ କରାଯାଏ ଏବଂ ଏହା ପରେ ଶତାବ୍ଦୀର ଶେଷ ସୁଦ୍ଧା ଆମେ ୨ଡିଗ୍ରି ସେଲସିୟସ ତାପମାତ୍ରା ବୃଦ୍ଧିକୁ ରୋକିବାରେ ସକ୍ଷମ ହୋଇଥାଉ, ତେବେ ବି ବାତ୍ୟାର ସାମ୍ନା ୨୦ ପ୍ରତିଶତ ଲୋକ କରିବେ। ଅର୍ଥାତ ବିଶ୍ବର ୨.୫କୋଟି ଲୋକ ଏହାଦ୍ବାରା ପ୍ରଭାବିତ ହେବେ।

ଏଭଳି ପରିସ୍ଥିତିରେ ଗବେଷକମ‌ାନେ ଆକଳନ କରିଛନ୍ତି ଯେ ଯଦି ଜଳବାୟୁରେ ପରିବର୍ତ୍ତନକୁ ରୋକିବା ପାଇଁ ବର୍ତ୍ତମାନ ଠୋସ୍ ପଦକ୍ଷେପ ନିଆଯାଏ, ତେବେ ଶତାବ୍ଦୀର ଶେଷ ସୁଦ୍ଧା ପ୍ରାୟ ୧୮୦ କୋଟି ଲୋକଙ୍କୁ ଏହି ବାତ୍ୟାରୁ ରକ୍ଷା  କରାଯାଇପାରିବ।

ନିକଟରେ ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲୁଏମଓ) ଦ୍ବାରା ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡିଛି, ଗତ ୫୦ ବର୍ଷ ମଧ୍ୟରେ ପାଣିପାଗ ଏବଂ ଜଳବାୟୁ ସମ୍ବନ୍ଧୀୟ ବିପର୍ଯ୍ୟୟରେ ପ୍ରାୟ ୨୦ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏଥିସହିତ ୨୬୬ଲକ୍ଷ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି।

ଯଦି ଆମେ  ୧୦ଟି ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ କହିବା, ତେବେ ବିଷୁବ ମଣ୍ଡଳୀୟ ଘୂର୍ଣ୍ଣିଝଡ଼ ମରୁଡ଼ି ପରେ ଦ୍ୱିତୀୟ ସ୍ଥାନରେ ରହିଛି।  ଏହି ବିପର୍ଯ୍ୟୟରେ ପ୍ରାୟ ୫୭୭,୨୩୨ଜଣଙ୍କର ମୃତ୍ୟୁ ଘଟିଥିଲା। ଯାହା ଗତ ୫୦ ବର୍ଷ ମଧ୍ୟରେ ପାଣିପାଗ ଏବଂ ଜଳବାୟୁ ସମ୍ବନ୍ଧୀୟ ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ଲୋକଙ୍କର ପ୍ରାୟ ୩୮ ପ୍ରତିଶତ। ଏହି ରିପୋର୍ଟରେ ତାପମାତ୍ରାରେ ହେଉଥିବା ବୃଦ୍ଧି ବିଷୁବ ମଣ୍ଡଳୀୟ ଘୂର୍ଣ୍ଣିଝଡ଼ର ସଂଖ୍ୟା ଏବଂ ତୀବ୍ରତା ବୃଦ୍ଧିର କାରଣ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ, ଯଦି ଆମେ ତାପମାତ୍ରା ବୃଦ୍ଧି ବିଷୟରେ ଆଲୋଚନା କରିବା, ତେବେ ମିଳିତ ଜାତିସଂଘ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ସାମ୍ନାକୁ ଆସିବ। ଏଥିରେ ଦର୍ଶାଯାଇଛି ଯେ  ଆଗାମୀ ୫ବର୍ଷ ବୈଶ୍ବିକ ତାପମାତ୍ରାରେ ହେଉଥିବା ବୃଦ୍ଧି ୧.୫ ଡିଗ୍ରି ସେଲସିୟସ ସୀମାକୁ ଅତିକ୍ରମ କରିବା ସମ୍ଭାବନା ରହିଛି।

ଉଲ୍ଲେଖନୀୟ, ୨୦୨୦ ଥିଲା ଏଯାବତ ସବୁଠାରୁ ଉତ୍ତପ୍ତ ବର୍ଷ ଥିଲା । ଯେତେବେଳେ ତାପମାତ୍ରା ବୃଦ୍ଧି ୧.୨୮ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଥିଲା । ମିଳିତ ଜାତିସଂଘ ଦ୍ବାରା ପ୍ରକାଶିତ “ଏମିସନ ଗ୍ୟାପ୍ ରିପୋର୍ଟ ୨୦୨୦” ଅନୁଯାୟୀ, ଶତାବ୍ଦୀର ଶେଷ ସୁଦ୍ଧା ତାପମାତ୍ରା ବୃଦ୍ଧି ୩.୨ ଡିଗ୍ରି ସେଲସିୟସ ଅତିକ୍ରମ କରିଯାଇପାରେ। ଏଭଳି ପରିସ୍ଥିତିରେ, ବିଷୁବ ମଣ୍ଡଳୀୟ ଘୂର୍ଣ୍ଣିଝଡ଼ ଯୋଗୁ ବୃଦ୍ଧି ପାଉଥିବା ବିପଦରୁ ରକ୍ଷା ପାଇବା ପାଇଁ ତାପମାତ୍ରାରେ ହେଉଥିବା ବୃଦ୍ଧିକୁ ରୋକିବା ଲାଗି ଯଥାଶୀଘ୍ର ଠୋସ୍ ପଦକ୍ଷେପ ନିଆଯିବା ଆବଶ୍ୟକ ।

   (ଏହି ଆଲେଖ୍ୟଟି ‘ସମ୍ବାଦ ଡିଜିଟାଲ୍’ର ପରିବେଶ ସଚେତନତା ଅଭିଯାନ ‘ପୁନଶ୍ଚ ପୃଥିବୀ-ୱାନ୍ ଆର୍ଥ, ୟୁନାଇଟ୍ ଫର୍ ଇଟ୍’ର ଅଂଶବିଶେଷ)

The post ତାପମାତ୍ରା ବୃଦ୍ଧି ହେତୁ ବଢ଼ିବ ‘ହରିକେନ୍’, ‘ଟାଇଫୁନ୍’ର ସଂଖ୍ୟା, ୧୮୦ କୋଟି ଲୋକଙ୍କ ଉପରେ ବିପଦ ଆଶଙ୍କା ! first appeared on Sambad.

from ବିଶେଷ | Sambad https://ift.tt/3DaDHyA

Post a Comment

0 Comments