
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ମହାଲିଙ୍ଗ ସନ୍ସାଇନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ରହସ୍ୟମୟ ହତ୍ୟାକାଣ୍ଡ ନେଇ ଅଭିଭାବକ ମହଲରେ ଚିନ୍ତାର କାରଣ ପାଲଟିଛି। ଗୁରୁବାର ପ୍ରଥମ ବର୍ଷର ଯୁକ୍ତଦୁଇ, ଯୁକ୍ତ ୩ ବିଜ୍ଞାନ ଓ ସନ୍ସାଇନ୍ ପବ୍ଲିକ ସ୍କୁଲର ଅଭିଭାବକମାନେ ସେମାନଙ୍କ ପୁଅଝିଅଙ୍କୁ ସ୍କୁଲରୁ ବାହାର କରି ନେବାପାଇଁ ସ୍କୁଲ ଓ କଲେଜ ପରିତ୍ୟାଗ ସାର୍ଟିଫିକେଟ ଆବେଦନ ପାଇଁ ଭିଡ଼ କରିଥିଲେ। ଉପସ୍ଥିତ କର୍ମଚାରୀମାନେ ଆଜି ଦିଆଯାଇପାରିବ ନାହିଁ ବୋଲି ଏଡ଼ାଇ ଯାଇଥିଲେ। ଫଳରେ ଅଭିଭାବକମାନେ ନିରାଶ ହୋଇ ଘରକୁ ଫେରିଥିଲେ। ମହାଲିଙ୍ଗ କଲେଜ ଓ ସ୍କୁଲର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନେଇ ଅଭିଭାବକମାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।
ପ୍ରକାଶ ଯେ ମହାଲିଙ୍ଗ ସନ୍ସାଇନ୍ ସ୍କୁଲ ୨୦୧୫ ମସିହାରେ ଆରମ୍ଭ ହୋଇଥିଲା। ଏଥିରେ ୧୦୫ ଜଣ ଛାତ୍ରଛାତ୍ରୀ ପଢ଼ୁଥିଲେ। ଏହି ସ୍କୁଲଟି ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୨ ମସିହା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଅନୁମତି ମିଳିଛି। ଏହି ସ୍କୁଲରେ ୭ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଥିଲେ। ସେହିଭଳି ଯୁକ୍ତଦୁଇ ବିଜ୍ଞାନରେ ୮୯୨ ସିଟ୍ ରହିଥିଲା। ସେହିଭଳି ଯୁକ୍ତ ୩ ବିଜ୍ଞାନରେ ୩୨୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ସିଟ୍ ରହିଛି। ବର୍ତ୍ତମାନ ଏହି ଘଟଣା ପରେ ସ୍କୁଲର ଅଭିଭାବକମାନେ ନିଜର ପୁଅଝିଅଙ୍କୁ ଏଠାରେ ପାଠ ପଢ଼ାଇବା ପାଇଁ ସୁରକ୍ଷିତ ମନେ କରୁନାହାନ୍ତି। ଫଳରେ ସେମାନଙ୍କ ଭବିଷ୍ୟତକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏବେ ଅଭିଭାବକମାନେ ସେମାନଙ୍କ ପୁଅଝିଅଙ୍କୁ କେଉଁ କଲେଜରେ ପଢ଼ାଇବେ, ବର୍ଷ ଅଧାରେ ସିଟ୍ ମିଳିବ କି ନାହିଁ, ସେନେଇ ଦ୍ବନ୍ଦ୍ବରେ ରହିଛନ୍ତି। ଗୋବିନ୍ଦ ସାହୁ ଗିରଫ ପରେ ଏହି କଲେଜ ଓ ସ୍କୁଲ କିଏ ଚଳାଇବ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଛାତ୍ରୀମାନେ ଏଠାରେ ପଢ଼ିବା ପାଇଁ ଅସୁରକ୍ଷିତ ଓ ଭୟଭୀତ ଥିବା ନେଇ ଅଭିଭାବକମାନେ ସୂଚନା ଦେଇଥିଲେ।
ଉଲ୍ଲେଖଯୋଗ୍ୟ ଯେ ଗୋବିନ୍ଦ ସାହୁର ୯ ଏକର ଅଞ୍ଚଳରେ ନିଜର ସ୍କୁଲ ସାମ୍ରାଜ୍ୟ ଗଢ଼ି ଉଠିଥିଲା। ଏଠାରେ ମହାଲିଙ୍ଗର ମହାଲିଙ୍କ୍ ଯୋଗୁଁ ରାଜ୍ୟ ସରକାରଙ୍କ ମାଳ ମାଳ ଯୋଜନା ଏଠାରେ କାର୍ଯ୍ୟକାରୀ ହେଉଥିଲା।
The post ମହାଲିଙ୍ଗର ମହାଲିଙ୍କ୍: ଅନ୍ଧାରରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ first appeared on Sambad.from ବିଶେଷ | Sambad https://ift.tt/3AYIyl7
0 Comments