ମମିତା ମେହେର ହତ୍ୟା ମାମଲା: ସରକାରଙ୍କୁ ବିଜେପିର ଟାର୍ଗେଟ୍‌

‘ମମିତା ହତ୍ୟା ମାମଲାରେ ପାଞ୍ଚଜଣ ମନ୍ତ୍ରୀ ସାମିଲ୍‌’
ଭବାନୀପାଟଣା : ମହାଲିଙ୍ଗ ସନ୍‌ସାଇନ୍‌ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀଙ୍କୁ ବହିଷ୍କାର କରି ଗିରଫ କରାଯିବା ସହ ଏହାର ସିବିଆଇ ତଦନ୍ତ କରାଯାଉ। ଏହି ହତ୍ୟା ମାମଲାରେ ପାଞ୍ଚଜଣ ମନ୍ତ୍ରୀ ସାମିଲ ଅଛନ୍ତି। ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଭବାନୀପାଟଣାଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହିଭଳି ଏକ ଅଭିଯୋଗ ଆଣିଛନ୍ତି।

ସେ କହିଛନ୍ତି, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ମନ୍ତ୍ରୀ ପ୍ରତାପ ‌ଜେନାଙ୍କ ସମ୍ପୃକ୍ତି ଥିବା ନେଇ ଆମ ପାଖରେ ଠୋସ୍‌ ପ୍ରମାଣ ରହିଛି। ଅନ୍ୟ ତିନିଜଣ ମନ୍ତ୍ରୀଙ୍କ ପ୍ରମାଣ ସଂଗ୍ରହ କରାଯାଉଛି।

ଭବାନୀପାଟଣାସ୍ଥିତ ସର୍କିଟ ହାଉସଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା କହିଛନ୍ତି, ଗୋବିନ୍ଦ ସାହୁ ଧରା ପଡ଼ିଛି ମାତ୍ର ବହୁ ପ୍ରଭାବଶାଳୀ ନେତାଙ୍କୁ ପୁଲିସ ଘଣ୍ଟ ଘୋଡ଼ାଉଛି। ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ସମ୍ପୃକ୍ତ ଥିବାରୁ ତଦନ୍ତର ନିରପେକ୍ଷତା ପାଇଁ ତାଙ୍କୁ ରାଜ୍ୟ ସରକାର ତୁରନ୍ତ ବହିଷ୍କାର କରନ୍ତୁ।

Twitter

ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ପୁଲିସ କାହିଁକି ତଦନ୍ତ ପରିସରଭୁକ୍ତ କରୁନି?
ଭୁବନେଶ୍ବର : ପୁଲିସ କାହିଁକି ଏପର୍ଯ୍ୟନ୍ତ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ତଦନ୍ତ ପରିସରଭୁକ୍ତ କରୁନି ବୋଲି ବିଜେପି ପ୍ରଶ୍ନ କରିଛି।

ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ରଙ୍କର ଘନିଷ୍ଠ ସମ୍ପର୍କ, ମନ୍ତ୍ରୀ ଶ୍ରୀ ମିଶ୍ର ସ୍କୁଲକୁ ନିୟମିତ ଆସିବା, ରାଜ୍ୟ ସରକାରଙ୍କ ବହୁ ପ୍ରଭାବଶାଳୀ ମନ୍ତ୍ରୀ ଏବଂ ବିଜେଡି ନେତାମାନେ ବାରମ୍ବାର ଆସିବା, ବେସରକାରୀ ଶିକ୍ଷାନୁଷ୍ଠାନ ହୋଇଥିବା ସତ୍ତ୍ବେ ସନସାଇନ୍‌ ସ୍କୁଲକୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ଅଜସ୍ର ପରିମାଣର ଆର୍ଥିକ ଅନୁଦାନ ପ୍ରଦାନ କରିବା ଘଟଣା ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ସଂପୃକ୍ତିକୁ ସ୍ପଷ୍ଟି କରିଛି। ଏ ସମସ୍ତ ତଥ୍ୟ ସାମ୍ନାକୁ ଆସିବା ପରେ ମଧ୍ୟ ପୁଲିସ କାହିଁକି ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ତଦନ୍ତ ପରିସରଭୁକ୍ତ କରୁନାହାନ୍ତି ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାନେତ୍ରୀ ଅନିତା ଶୁଭଦର୍ଶିନୀ, ରାଜ୍ୟ ସମ୍ପାଦିକା ପିଙ୍କି ପ୍ରଧାନ, ମୁଖପାତ୍ର ଦିଲୀପ ମହାନ୍ତି, ସୋନାଲି ସାହୁ, ମହିଳା ମୋର୍ଚ୍ଚା ରାଜ୍ୟ ସମ୍ପାଦିକା ‌ରଶ୍ମିରେଖା ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଉ
ଭୁବନେଶ୍ବର : ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାର ତଦନ୍ତ ସିବିଆଇ ଦ୍ବାରା କରାଇବାକୁ ରାଜ୍ୟ ବିଜେପି ତରଫରୁ ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ଦାବି କରାଯାଇଛି। ଏହି ହତ୍ୟାକାଣ୍ଡରେ ମନ୍ତ୍ରୀ ଶ୍ରୀ ମିଶ୍ର ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ଅଛନ୍ତି ଏବଂ ମନ୍ତ୍ରୀ ଗୃହ ବିଭାଗ ଦାୟିତ୍ବରେ ଥିବାରୁ ଏହି ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ଅସମ୍ଭବ। ତେଣୁ ରାଜ୍ୟ ମାନବାଧିକାର କମିସନ ଅଭିଯୁକ୍ତ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ରାଜ୍ୟ ମନ୍ତ୍ରିମଣ୍ଡଳରୁ ତୁରନ୍ତ ବହିଷ୍କାର କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଛି। ଏହା ସହ ଏହି ଜଘନ୍ୟ ହତ୍ୟାକାଣ୍ଡର ତଦନ୍ତ ଯଥାଶୀଘ୍ର ସିବିଆଇକୁ ହସ୍ତାନ୍ତର କରାଯାଉ ବୋଲି ପ୍ରତିନିଧି ଦଳ ଦାବି କରିଛନ୍ତି। ଆଜି ମଧ୍ୟାହ୍ନରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ସୁରମା ପାଢ଼ୀ, ପ୍ରଭାତୀ ପରିଡ଼ା, ଅନିତା ଶୁଭଦର୍ଶିନୀ, ଉର୍ମିଳା ମହାପାତ୍ର, ସୋନାଲି ସାହୁ, ମନସ୍ମିତା ଖୁଣ୍ଟିଆ, ରଶ୍ମିରେଖା ଦାଶ, ଅପର୍ଣ୍ଣା ଧିର୍‌ ସିଂହ, ମନ୍ଦାକିନୀ ପାତ୍ର, ରଶ୍ମିମୟୀ ପଟ୍ଟନାୟକ ପ୍ରମୁଖ ମାନବାଧିକାର କମିସନଙ୍କୁ ଭେଟିଥିଲେ।

The post ମମିତା ମେହେର ହତ୍ୟା ମାମଲା: ସରକାରଙ୍କୁ ବିଜେପିର ଟାର୍ଗେଟ୍‌ first appeared on Sambad.

from ବିଶେଷ | Sambad https://ift.tt/3vyhqYZ

Post a Comment

0 Comments