ହଜାରହଜାର ଛାତ୍ରଛାତ୍ରୀଙ୍କୁ ବଦନାମ୍ କରୁଛି ବିଜେପି: ବିଜେଡି

ଭୁବନେଶ୍ବର : ମହାଲିଙ୍ଗ କଲେଜରେ ବିଭିନ୍ନ ଅନୈତିକ କାର୍ଯ୍ୟ ଚାଲିଥିଲା ଏବଂ ଏଠାକୁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବାରମ୍ବାର ଯାଉଥିଲେ ବୋଲି ବିଜେପି ଅଭିଯୋଗ କରିବା ପରେ ବିଜେଡି ଏହାର ଜବାବ୍ ଦେଇଛି। ବିଜେଡି ପ୍ରବକ୍ତା ଇପ୍ସିତା ସାହୁ ପ୍ରଶ୍ନ କରିଛନ୍ତି ଯେ କାହିଁକି ଓଡ଼ିଶା ବିଜେପି ହଜାର ହଜାର ଛାତ୍ରଛାତ୍ରୀଙ୍କୁ ବଦନାମ କରୁଛି? ଏହା ଅତି ଆଶ୍ଚର୍ଯ୍ୟଜନକ ଏବଂ ଦୁର୍ଭାଗ୍ୟଜନକ ଯେ ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ଏବଂ ଓଡ଼ିଶା ବିଜେପି ମିଥ୍ୟା ଓ ଭିତ୍ତିହୀନ ବିବୃତି ଦେଇ ସମସ୍ତ ଶିକ୍ଷାନୁଷ୍ଠାନକୁ ବଦନାମ୍ କରୁଛନ୍ତି। ଯେଉଁଠାରେ ବହୁ ସଂଖ୍ୟାରେ ଝିଅ ପାଠ ପଢ଼ୁଛନ୍ତି। ଓଡ଼ିଶା ବିଜେପି ଦ୍ବାରା କରାଯାଉଥିବା ବଦନାମକୁ ଏହି ଅନୁଷ୍ଠାନରେ ପଢ଼ୁଥିବା ପିଲାଙ୍କର ବାପାମା’ କଦାପି ବରଦାସ୍ତ କରିବେ ନାହିଁ ଏବଂ ଏହାର ଠିକଣା ଉତ୍ତର ନିଶ୍ଚିତ ଦେବେ। ନିରୀହ ପିଲାମାନଙ୍କ ଜୀବନକୁ ନେଇ ଏଭଳି ଶସ୍ତା ରାଜନୀତି କରିଥିବାରୁ ଓଡ଼ିଶା ବିଜେପି ଲଜ୍ଜିତ ହେବା ଉଚିତ।

ଏହି ଅନୁଷ୍ଠାନର ପରିଚାଳନା ବୋର୍ଡରେ ସ୍ଥାନୀୟ ସାଂସଦ ମଧ୍ୟ ପ୍ରତିନିଧି ଅଛନ୍ତି। ଓଡ଼ିଶା ବିଜେପି କ’ଣ କହିବ କି ଏହି ଅପରାଧରେ ସେ ମଧ୍ୟ ସଂପୃକ୍ତ ଅଛନ୍ତି। ବିଜେପି ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ସଂପୃକ୍ତି ବିଷୟରେ ବାରମ୍ବାର କହୁଛି। ଯଦି ଏହାର କୌଣସି ପ୍ରମାଣ ଅଛି ତେବେ ତାକୁ କୋର୍ଟରେ ଦିଅନ୍ତୁ। ଓଡ଼ିଶା ବିଜେପି କୁମ୍ଭୀର କାନ୍ଦଣା କାନ୍ଦିବା ଏବଂ ଦୋମୁହଁା ନୀତି ଆପଣାଇବାରେ ଧୁରନ୍ଧର। ସେମାନେ ଦାବି କରିଥିଲେ ଜୟରାମ ପାଙ୍ଗି ଟିକିରି ଶିକ୍ଷୟିତ୍ରୀ ମୃତ୍ୟୁ ଘଟଣାରେ ଜଡ଼ିତ। କିନ୍ତୁ ୨୦୧୯ରେ ଶ୍ରୀ ପାଙ୍ଗିଙ୍କୁ କୋରାପୁଟ ଲୋକସଭା ଆସନରୁ ଲଢ଼ିବା ପାଇଁ ବିଜେପି ଟିକେଟ୍ ଦେଇଥିଲା। ଶସ୍ତା ରାଜନୀତି କରିବାରେ ଓଡ଼ିଶା ବିଜେପିର ଅଭ୍ୟାସ ସଂକ୍ରାନ୍ତରେ ରାଜ୍ୟବାସୀ ଭଲ ଭାବେ ଜାଣିଛନ୍ତି ଏବଂ ମହିଳାଙ୍କ ପ୍ରତି ଏପରି ସମ୍ବେଦନଶୀଳ ଅପରାଧକୁ ରାଜନୀତିକରଣ କରିଥିବାରୁ ସେମାନେ ବିଜେପିକୁ କେବେ ହେଲେ କ୍ଷମା କରିବେନି ବୋଲି ଇପ୍ସିତା କହିଛନ୍ତି।

The post ହଜାରହଜାର ଛାତ୍ରଛାତ୍ରୀଙ୍କୁ ବଦନାମ୍ କରୁଛି ବିଜେପି: ବିଜେଡି first appeared on Sambad.

from ବିଶେଷ | Sambad https://ift.tt/3Gdagy4

Post a Comment

0 Comments