ପାନୀୟଜଳ ଯୋଗାଣର ବ୍ୟବସ୍ଥା କରାନଗଲେ ପଞ୍ଚାୟତ ନିର୍ବାଚନ ବର୍ଜନ କରିବେ ମେଣ୍ଢାବାରୁ ଗ୍ରାମବାସୀ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକର ଅତି ଦୁର୍ଗମ ଝିରିପାଣି ପଞ୍ଚାୟତ କୁଟିଆ କନ୍ଧ ବହୁଳ ଗାଁପୁଞ୍ଜକୁ ନେଇ ଗଠିତ। ଯେଉଁଠିକୁ ନା ଅଛି ରାସ୍ତା, ବିଜୁଳି, ସ୍କୁଲ କି ଅଙ୍ଗନବାଡ଼ି କେନ୍ଦ୍ର। ଗାଁରେ ପାଣି ଟୋପାଏ ପିଇବା ପାଇଁ ଆଜି ବି ଲୋକଙ୍କୁ ସଂଘର୍ଷ କରିବାକୁ ପଡ଼ୁଛି। ସ୍ବାଧୀନତାର ସାତ ଦଶନ୍ଧି ବିତି ଯାଇଥିଲେ ମଧ୍ୟ ଏ ଗାଁର କୁଟିଆ କନ୍ଧଙ୍କୁ ସରକାର ସର୍ବନିମ୍ନ ମୌଳିକ ଆବଶ୍ୟକତା ଯୋଗାଇ ଦେବାରେ ବିଫଳ ହୋଇଛନ୍ତି। ଝିରିପାଣି ପଞ୍ଚାୟତଟି କନ୍ଧମାଳ ଜିଲ୍ଲାର ଏକ ଅପହଞ୍ଚ ତଥା ଦୁର୍ଗମ ଅଞ୍ଚଳ ଭାବେ ଜଣାଶୁଣା ଏବଂ ଏହି ପଞ୍ଚାୟତଟି ପଡ଼ୋଶୀ କଳାହାଣ୍ଡି ଜିଲ୍ଲାର ସୀମାକୁ ଲାଗି ରହିଛି। ତେବେ ଝିରିପାଣି ପଞ୍ଚାୟତ ଅଧୀନ ମେଣ୍ଢାବାରୁ ଗାଁଟି ସ୍ବାଧୀନତାର ଦୀର୍ଘ ସାତ ଦଶନ୍ଧି ପରେ ବି ଅବହେଳିତ ଅବସ୍ଥାରେ ରହିଛି। ଆଜିର ଦିନରେ ଏ ଗାଁକୁ ସରକାରୀ ବାବୁଙ୍କ ପାଦ ପଡ଼ିନାହିଁ।

ଏହି ଗାଁକୁ ଆଜିର ଦିନରେ ବି ଭଲ ରାସ୍ତାଟିଏ ସମ୍ଭବ ହୋଇପାରି ନାହିଁ। ଝିରିପାଣି ପଞ୍ଚାୟତ ସଦର ମହକୁମାରରୁ ପ୍ରାୟ ୫ କିଲୋମିଟର ପାହାଡ଼ିଆ ଘାଟି ରାସ୍ତା ଅତିକ୍ରମ କରି ଗଲାପରେ ବହୁ କଷ୍ଟରେ ଏହି ଗାଁ ପଡ଼ିଥାଏ। ଏଣୁ କୌଣସି ସରକାରୀ ପଦାଧିକାରୀ ଏ ଗାଁକୁ ଯାଇ ନଥା’ନ୍ତି। ଗାଁକୁ ବିଜୁଳି ସଂ‌ଯୋଗ ମଧ୍ୟ ହୋଇନାହିଁ। ବିଜୁଳି ନଥିବାରୁ ସମ୍ପୂର୍ଣ୍ଣ ଅନ୍ଧାରରେ ରହିଥାଏ ଗାଁ। ଆହୁରି ମଧ୍ୟ ଗାଁରେ ସ୍କୁଲ୍‌ ନଥିବାରୁ ଗାଁର ପିଲାମାନେ ପାଠ ପଢ଼ିବାକୁ ଝିରିପାଣି ପ୍ରାଥମିକ ବିଦ୍ୟାଳୟ ଉପରେ ନିର୍ଭର କରିଥାନ୍ତି। ଦୂରବାଟ ହେଉଥିବାରୁ ଏ ଗାଁର ପିଲାମାନେ ଝିରିପାଣି ସ୍କୁଲକୁ ପାଠ ପଢ଼ିବାକୁ ଯାଆନ୍ତି ନାହିଁ। ଫଳରେ ପିଲାମାନେ ଶିକ୍ଷା ଗ୍ରହଣରୁ ବଞ୍ଚିତ ହେଉଛନ୍ତି। ସବୁଠୁ ଦୁର୍ଭାଗ୍ୟର ବିଷୟ ହେଉଛି, ଗାଁରେ ଅଙ୍ଗନବାଡ଼ି କେନ୍ଦ୍ରଟିଏ ନାହିଁ।

ଅଙ୍ଗନବାଡ଼ି କେନ୍ଦ୍ର ନଥିବାରୁ ଗାଁର ଶିଶୁମାନେ ଶିକ୍ଷା, ପୁଷ୍ଟି ଓ ପୋଷଣ କାର୍ଯ୍ୟକ୍ରମରୁ ବଞ୍ଚିତ ରହୁଛନ୍ତି। ଗାଁର ଲୋକେ କୌଣସି ସମସ୍ୟା, ଅଭିଯୋଗ ନେଇ ଯଦି କେବେ ପଞ୍ଚାୟତ କାର୍ଯ୍ୟାଳୟକୁ ଆସନ୍ତି, ପଞ୍ଚାୟତ କାର୍ଯ୍ୟାଳୟରେ କେବେ ପଞ୍ଚାୟତ ନିର୍ବାହୀ ଅଧିକାରୀ କିମ୍ବା ସରପଞ୍ଚଙ୍କୁ ପାଇ ନଥାନ୍ତି। କାରଣ ବର୍ଷର ଅଧିକାଂଶ ସମୟରେ ପଞ୍ଚାୟତ ଅଫିସ ବନ୍ଦ ରହିଥାଏ। ପାନୀୟଜଳ ଏହି ଗାଁର ସବୁଠୁ ବଡ଼ ସମସ୍ୟା ଭାବେ ମୁଣ୍ଡ ଟେକିଥାଏ। ପ୍ରତିବର୍ଷ ଖରାଦିନେ ପିଇବା ପାଣି ପାଇଁ ଗାଁ ଲୋକେ ନାକେଦମ ହୋଇ ପଡ଼ନ୍ତି। ଗାଁରେ ନଳକୂପଟିଏ ନାହିଁ। ଯଦିଓ ଗାଁରେ ଗୋଟିଏ କୂଅ ରହିଛି, ତାହା ଖରାଦିନ ଆସିବା ବେଳକୁ ଶୁଖି ଯାଇଥାଏ। ଏଣୁ ଖରାଦିନ ଆସିଲା ମାତ୍ରେ ଗାଁରେ ପାନୀୟଜଳ ସଂକଟ ଦେଖା ଦେଇଥାଏ।

ପାଣି ଟୋପାଏ ପାଇଁ ଗାଁର ମହିଳା ଓ ପୁରୁଷମାନେ ଚାଲି ଚାଲି ପାଞ୍ଚ କିମି. ଏକ ଝରଣାକୁ ଯାଇଥାନ୍ତି। ତାହା ମଧ୍ୟ ଖରାଦିନେ ଶୁଖି ଯାଏ। ଗ୍ରାମରେ ଏକ ନଳକୂପ ବସାଇବାକୁ ଗାଁ ଲୋକେ ବହୁବାର ପଞ୍ଚାୟତ ଅଫିସ ଆସି ଅଭିଯୋଗ ଜଣାଇଥିଲେ ମଧ୍ୟ ଆଜିଯାଏ ଗାଁରେ ନଳକୂପଟିଏ ସମ୍ଭବପର ହୋଇପାରିଲା ନାହିଁ। ତୁରନ୍ତ ଗାଁରେ ପାନୀୟଜଳ ଯୋଗାଣର ବ୍ୟବସ୍ଥା କରାନଗଲେ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଗ୍ରାମବାସୀ ଭୋଟ୍‌ ବର୍ଜନ କରିବେ ବୋଲି ଗାଁର ରାଉତା ମାଝୀ, ରାଜନ ମାଝୀ, ନିବେନ୍ଦ୍ର ମାଝୀ, ମୋହନ ମାଝୀ, ବିପିଲ ମାଝୀ, ପ୍ରତାପ ମାଝୀ, ତିଲା ମାଝୀ, ଶବର ମାଝୀ, ଜୁନା ମାଝୀ, ସୁଶାନ୍ତ ମାଝୀ ଓ ରିପ ମାଝୀ ଚେତାବନୀ ଦେଇଛନ୍ତି।

The post ପାନୀୟଜଳ ଯୋଗାଣର ବ୍ୟବସ୍ଥା କରାନଗଲେ ପଞ୍ଚାୟତ ନିର୍ବାଚନ ବର୍ଜନ କରିବେ ମେଣ୍ଢାବାରୁ ଗ୍ରାମବାସୀ first appeared on Sambad.

from ବିଶେଷ | Sambad https://ift.tt/3b02Lw5

Post a Comment

0 Comments