
ଭୁବନେଶ୍ବର: ବନ୍ଧୁତ୍ବର ଦୁର୍ଲଭ ନିଦର୍ଶନ ପ୍ରଦର୍ଶନ କରି ପୂର୍ବତନ ରାଜ୍ୟ ମହିଳା କମିସନ୍ ସଦସ୍ୟା (ଏସ୍ସିଡବ୍ଲୁ) ସଦସ୍ୟା ନମ୍ରତା ଚଡ୍ଡା। ପୁରୀସ୍ଥିତ ସ୍ବର୍ଗଦ୍ବାରରେ ତାଙ୍କର ଅନ୍ତଃରଙ୍ଗ ବାନ୍ଧବୀ ରାଜଲକ୍ଷ୍ମୀଙ୍କର ଶବ ସତ୍କାର କରିଛନ୍ତି।
ନିକଟ ଅତୀତରେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ରାଜଲକ୍ଷ୍ମୀଙ୍କ ଚିକିତ୍ସା ନିମନ୍ତେ ନମ୍ରତା ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପାରୁପର୍ଯ୍ୟନ୍ତ ଉଦ୍ୟମ କରିଥିଲେ। କିନ୍ତୁ, ୬୩ ବର୍ଷୀୟ ରାଜଲକ୍ଷ୍ମୀ ବଞ୍ଚିଲେନାହିଁ। ମୃତ୍ୟୁ ସମୟରେ ନମ୍ରତା ତାଙ୍କ ପାଖରେ ଉପସ୍ଥିତ ଥିଲେ।
ବାନ୍ଧବୀଙ୍କ ଇଚ୍ଛା ଅନୁସାରେ, ନମ୍ରତା ତାଙ୍କ ଶବ ସହ ପୁରୀରେ ପହଞ୍ଚି ଜୁଇରେ ମୁଖାଗ୍ନି ଦେଇ ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ସମାଜ ସେବା କାର୍ଯ୍ୟରେ ନିୟୋଜିତ ହେବା ସମୟରୁ ନମ୍ରତା ଓ ରାଜଲକ୍ଷ୍ମୀଙ୍କର ପରିଚୟ ହୋଇଥିଲା। ସମୟକ୍ରମେ ଉଭୟ ଘନିଷ୍ଠତର ହୋଇଯାଇଥିଲେ ଏବଂ ସେମାନଙ୍କର ବନ୍ଧୁତ୍ବ କଥା ସାମାଜିକ ପରିସରରେ ବେଶ୍ ଚର୍ଚ୍ଚିତ ହେଉଥିଲା।
ପରେ ନମ୍ରତା ‘ଏସ୍ସିଡବ୍ଲୁ’ର ସଦସ୍ୟା ହୋଇଥିଲେ ମଧ୍ୟ ରାଜଲକ୍ଷ୍ମୀ ‘ରାଜ୍ୟ ଶିଶୁ ସୁରକ୍ଷା ଅଧିକାର’ର ଜିଲ୍ଲାସ୍ତରୀୟ ସଦସ୍ୟା ହୋଇ ରହିଥିଲେ। ଏଥିଯୋଗୁଁ ସେମାନଙ୍କ ବନ୍ଧୁତ୍ବରେ କୌଣସି ବିଭେଦ ଉପୁଜି ନ ଥିଲା।
ପରେ ନମ୍ରତା ‘ମଧ୍ୟମ’ ନାମରେ ଗୋଟାଏ ସାମାଜିକ ସେବା ସଙ୍ଗଠନ ଆରମ୍ଭ କଲେ। ତା’ର ସଚିବ ଥିଲେ ତାଙ୍କର ବାନ୍ଧବୀ ରାଜଲକ୍ଷ୍ମୀ। ନମ୍ରତା କହନ୍ତି, ମୋ ଜୀବନର ବନ୍ଧୁ ତାଲିକାରେ ରାଜଲକ୍ଷ୍ମୀ ସର୍ବଦା ଶୀର୍ଷରେ ରହିବେ। କେବଳ ତାଙ୍କର ସହାୟତା ଏବଂ ସହଯୋଗ ବଳଳରେ ହିଁ ମୁଁ ନିଜସ୍ବ ପରିଚୟ ସୃଷ୍ଟି କରି ପାରିଛି।
The post ବନ୍ଧୁତ୍ବର ନୂତନ ନିଦର୍ଶନ: ବାନ୍ଧବୀ ରାଜଲକ୍ଷ୍ମୀଙ୍କର ଶେଷକୃତ୍ୟ ସମ୍ପନ୍ନ କଲେ ପୂର୍ବତନ ମହିଳା କମିସନ୍ ସଦସ୍ୟା ନମ୍ରତା ଚଡ୍ଡା first appeared on Sambad.from ବିଶେଷ | Sambad https://ift.tt/3l2FhfE
0 Comments