
ନୂଆଦିଲ୍ଲୀ: ବାୟୁମଣ୍ଡଳ ବିଭିନ୍ନ କାରଣ ପାଇଁ ପ୍ରଦୂଷଣ ହେଉଛି। ଏହି ପ୍ରଦୂଷିତ ବାୟୁ ଆମେ ନିଶ୍ବାସରେ ନେବା ଦ୍ବାରା ବିଭିନ୍ନ ପ୍ରକାର ରୋଗ ବି ହେଉଛି। ତେବେ ନିକଟରେ ହୋଇଥିବା ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି ରାନ୍ଧିବା ସମୟରେ ନିର୍ଗତ ହେଉଥିବା ଧୂଆଁରୁ ନିର୍ଗତ କଣିକା ବାୟୁମଣ୍ଡଳରେ ଦୀର୍ଘ ସମୟ ଧରି ରହିଥାଏ। ଫଳସ୍ୱରୂପ ବାୟୁର ଗୁଣବତ୍ତା ଖରାପ ହେବା ସହିତ ଏହା ମଣିଷର ସ୍ୱାସ୍ଥ୍ୟ ପାଇଁ ବିପଦଜନକ ପ୍ରମାଣିତ ହୋଇଥାଏ । ଧୂଆଁରୁ ବାହାରୁଥିବା କାର୍ବନିକ ପଦାର୍ଥ ସହରର ଏରୋସୋଲର ଏକ ବୃହତ ଅଂଶକୁ ଆବୃତ କରିଥାଏ। ଏହି ପ୍ରଦୂଷଣ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ଅଧିକ। ସହରମାନଙ୍କରେ ରାସ୍ତାକଡ଼ ଫାଷ୍ଟଫୁଡ୍, ଜଳଖିଆ ଦୋକାନ, ରେସ୍ତୋରାଁର ସଂଖ୍ୟା ଅଧିକ ତେଣୁ ରନ୍ଧାଧଆଁର ପରିମାଣ ମଧ୍ୟ ଅଧିକ।

ୟୁନିଭର୍ସିଟି ଅଫ ବର୍ମିଂହମର ଗବେଷକମାନେ ଦର୍ଶାଇଛନ୍ତି ଯେ ରାନ୍ଧିବା ଦ୍ବାରା ନିର୍ଗତ ହେଉଥିବା ଧୂଆଁରେ ଥିବା କଣିକା ବାୟୁମଣ୍ଡଳରେ ବ୍ୟାପି ଯାଇଥାଏ, ଯାହା ବାୟୁକୁ ପ୍ରଦୂଷିତ କରିଥାଏ। ବିଭିନ୍ନ ଦେଶରେ ଓ ବିଶେଷତଃ ସହରରେ ଏଗୁଡ଼ିକର ଅନୁପାତ ଭିନ୍ନ ରହିଥାଏ।
ଯେପରିକି ବ୍ରିଟେନର ବାୟୁମଣ୍ଡଳରେ ଏହାର ଅନୁପାତ ୧୦ ପ୍ରତିଶତ ପର୍ଯ୍ୟନ୍ତ ଥିବାବେଳେ ଚାଇନାରେ ଏହା ୨୨ପ୍ରତିଶତ ରହିଛି। ଏହି କଣିକାଗୁଡ଼ିକ ଭାଙ୍ଗିବା ଏବଂ ବିସ୍ତାର କରିବା ପରିବର୍ତ୍ତେ, ଏହା ବାୟୁମଣ୍ଡଳରେ ଅନେକ ଦିନ ପର୍ଯ୍ୟନ୍ତ ଜମି ରହିଥାଏ।
ଗବେଷକମାନେ ବାଥ୍ ବିଶ୍ୱବିଦ୍ୟାଳୟର ସେଣ୍ଟ୍ରାଲ୍ ଲେଜର ଫ୍ୟାସିଲିଟି ଓ ଡଏମଣ୍ଡ ଲାଇଟ ସୋର୍ସ ବିଶେଷଜ୍ଞଙ୍କ ସହ ଏକାଠି ହୋଇ ଫ୍ୟାଟି ଏସିଡ ଅଣୁଗୁଡ଼ିକ ବାୟୁମଣ୍ଡଳରେ ପ୍ରାକୃତିକ ଭାବରେ ମିଳୁଥିବା ଅଣୁଗୁଡ଼ିକ ସହିତ କିପରି ପ୍ରତିକ୍ରିୟା କରିଥାଆନ୍ତି ତାର ଅନୁଧ୍ୟାନ କରିଛନ୍ତି । ପ୍ରତିକ୍ରିୟା ସମୟରେ କଣିକାର ବାହାରେ ଏକ ଆବରଣ କିମ୍ବା କୋଟିଂ/କ୍ରଷ୍ଟ ସୃଷ୍ଟି ହୁଏ, ଯାହା ଓଜୋନ ଭଳି ଗ୍ୟାସର ଭିତରେ ଫ୍ୟାଟି ଏସିଡଅଣୁକୁ ରକ୍ଷା କରିଥାଏ । ଏହି ପ୍ରକ୍ରିୟା ଫଳରେ ଧୂଆଁର କଣିକାଗୁଡ଼ିକ ଭାଙ୍ଗେ ନାହିଁ, ଅତୁଟ ରହିଥାଏ।

ପ୍ରଥମ ଥର ପାଇଁ ବୈଜ୍ଞାନିକମାନେ ଏହି ପରି ଏକ ପ୍ରକ୍ରିୟାକୁ ପରଖିବାରେ ସକ୍ଷମ ହୋଇଛନ୍ତି। ଗବେଷଣାଗାରରେ ଡାଏମଣ୍ଡ ଲାଇଟ ସୋର୍ସରେ ଶକ୍ତିଶାଳୀ ଏକ୍ସ-ରେ ରଶ୍ମୀ ବ୍ୟବହାର କରି ରନ୍ଧନ ସମୟରେ ଅଣୁଗୁଡ଼ିକର ପତଳା ସ୍ତରରୁ ପ୍ରତି ମିନିଟରେ ନିର୍ଗତ ହେଉଥିବା ଧୁଆଁକୁ ଅଧ୍ୟୟନ କରାଯାଇଥିଲା। ଏହି କଣିକାଗୁଡ଼ିକ ବାୟୁ ମଣ୍ଡଳରେ ରହିବାର କ୍ଷମତା ହେତୁ ଜଳବାୟୁ ପରିବର୍ତ୍ତନ ଓ ମାନବ ସ୍ବାସ୍ଥ୍ୟ ପାଇଁ ଅନେକ ସମସ୍ୟା ଛିଡ଼ା କରିଛି।
(ଏହି ଆଲେଖ୍ୟଟି ‘ସମ୍ବାଦ ଡିଜିଟାଲ୍’ର ପରିବେଶ ସଚେତନତା ଅଭିଯାନ ‘ପୁନଶ୍ଚ ପୃଥିବୀ-ୱାନ୍ ଆର୍ଥ, ୟୁନାଇଟ୍ ଫର୍ ଇଟ୍’ର ଅଂଶବିଶେଷ)
The post ରନ୍ଧାଧୂଆଁ ବାୟୁ ପ୍ରଦୂଷଣ ବଢ଼ାଏ, ଶରୀର ଲାଗି ବି କ୍ଷତିକାରକ ! ଗବେଷଣାରୁ ଆସିଲା ନୂଆ ତଥ୍ୟ first appeared on Sambad.from ବିଶେଷ | Sambad https://ift.tt/3jiwgOh
0 Comments