ପଙ୍ଖା ମେକାନିକ୍‌ରୁ ଅଲିମ୍ପିକ ସ୍ବର୍ଣ୍ଣ ପଦକ

ଅତାବିରା : ଅତାବିରା ରାସ୍ତା କଡ଼ରେ ପଙ୍ଖା ଦୋକାନରେ ବଡ଼ ଭାଇଙ୍କୁ ସହାୟତା କରୁଥିବା ପ୍ରମୋଦ ଭଗତ ନିଜେ ବି ତାକୁ ସଜାଡ଼ୁଥିଲେ। ୧୫ ବର୍ଷ ମଧ୍ୟରେ ସାମାନ୍ୟ ପଙ୍ଖା ମେକାନିକ୍‌ ଭାବେ ଜଣାଶୁଣା ଥିବା ପ୍ରମୋଦ ଆଜି ପାରା ଅଲିମ୍ପିକ୍‌ରେ ସ୍ବର୍ଣ୍ଣ ପଦକ ଆଣି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଳଟିଛନ୍ତି। ଅଭାବ, ଅନଟନ, ପାରିବାରିକ ସମସ୍ୟା, ଜୀବନଜୀବିକା ଦୋଛକିରେ ସଂଘର୍ଷ କରି ଆଜି ସାଧାରଣ ଜଣେ ଭିନ୍ନକ୍ଷମରୁ ଅସାଧାରଣ ବ୍ୟକ୍ତିତ୍ବରେ ଅଧିକାରୀ ହୋଇଛନ୍ତି ଅର୍ଜୁନ ପୁରସ୍କାରପ୍ରାପ୍ତ ପ୍ରମୋଦ। ତାଙ୍କ ବାସ୍ତବ ଜୀବନର ସଂଘର୍ଷମୟ କାହାଣୀ କୌଣସି ସିନେମା କାହାଣୀରୁ କିଛି କମ୍ ନୁହେଁ। ପ୍ରମୋଦ ଅତାବିରା ବାଳକ ହାଇସ୍କୁଲରେ ପଢ଼ିବା ପରେ ଅତାବିରା କଲେଜରୁ ଯୁକ୍ତ ୨ ପାସ୍ କରି ଯୁକ୍ତ ୩ରେ ନାମ ଲେଖାଇଥିଲେ। ଏହା ସହିତ ହୀରାକୁଦର ଏକ ଆଇଟିଆଇ କଲେଜରେ ନାମ ଲେଖାଇ ଥିଲେ। କିନ୍ତୁ ଅର୍ଥାଭାବ ଯୋଗୁଁ କଲେଜ ଫି’ ଦେଇ ନ ପାରିବାରୁ ଆଇଟିଆଇ ପାଠ୍ୟକ୍ରମ ସଂପୂର୍ଣ୍ଣ କରି ପାରିନଥିଲେ। ପରିବାର ଚଳାଇବା ପାଇଁ ପଙ୍ଖା, ଆଇରନ୍‌ ଆଦି ସଜାଡ଼ୁଥିଲେ। କିନ୍ତୁ ବ୍ୟାଡ୍‌ମିଣ୍ଟନ ଖେଳିବା ନିଶା କେବେ ତାଙ୍କ ବାଟରେ ପ୍ରତିବନ୍ଧକ ସୃଷ୍ଟି କରି ପାରିନଥିଲା। ବିଭିନ୍ନ ଗାଁରେ ସାଧାରଣ ବର୍ଗରେ ବ୍ୟାଡ୍‌ମିଣ୍ଟନ ଖେଳି ସେ ବିଜେତା ହୋଇଛନ୍ତି। ବରଗଡ଼ର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ୨୫ ଶହ ଟଙ୍କାରେ ସେ କୋଚ୍ ନିଯୁକ୍ତ ହୋଇଥିଲେ। ଅନୁଗୁଳ ନାଲକୋରେ ଇନ୍‌ଡୋର୍‌ରେ ଅଭ୍ୟାସ କରି ୨୦୦୬ରେ ବେଙ୍ଗାଲୁରୁର ଜାତୀୟ ଚାମ୍ପିଅନ୍‌ସିପରେ ବିଜେତା ହୋଇଥିଲେ। ଖେଳ ପାଇଁ ଅର୍ଥ ବାଧକ ହୋଇଥିଲେ ସୁଦ୍ଧା ପ୍ଲେୟାର କ୍ଲବ୍‌ର ଅନ୍ୟ ସାଥୀ କୌଶିକ ମହାକୁର, ଅମିତ ଚୌଧରୀ, ଚେତନ ଶର୍ମା, ସାମାଜିକ କର୍ମୀ ରବି ନାରାୟଣ ପଣ୍ଡାଙ୍କ ଉଦ୍ୟମକ୍ରମେ ବହୁ ଜାତୀୟ ଖେଳରେ ଭାଗ ନେଇ ସଫଳ ହୋଇଥିଲେ। ତାଙ୍କ ପ୍ରଥମ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ମାଲେସିଆର କ୍ବାଲାଲମ୍ପୁରରେ ଖେଳି ସେ ଉଭୟ ଏକକ ଓ ଡବଲ୍‌ରେ କାଂସ୍ୟ ପଦକ ପାଇଥିଲେ। ସେଠାରୁ ଆଉ ସେ ପଛକୁ ଫେରିନାହାନ୍ତି।

ଏବେ ବି ରହୁଛନ୍ତି ଭଡ଼ା ଘରେ
ଅତାବିରା : ପ୍ରମୋଦଙ୍କ ମାତାପିତା ହେଲେ କୁସୁମ ଦେବୀ ଓ କୈଳାସ ଭଗତ। କୈଳାସଙ୍କ ୩ ପୁଅ ଓ ୩ ଝିଅ। ତିନିଝିଅ ବାହା ହେଲେଣି। ୧୫ ବର୍ଷ ତଳେ କୈଳାସଙ୍କ ମୃତ୍ୟୁ ଘଟିଥିବା ବେଳେ କରୋନାର ପ୍ରଥମ ଲହର ପରେ କୁସୁମ ଦେବୀଙ୍କ ପରଲୋକ ଘଟିଥିଲା। ବଡ଼ ପୁଅ ଅମୋଦ ପୈତୃକ ଗ୍ରାମ ବିହାରରେ ରୁହନ୍ତି। ‌ଛୋଟ ଭାଇ ଶେଖର ଅତାବିରାରେ ଏକ ଇଲେକ୍ଟ୍ରିକାଲ ଦୋକାନ ଦେଇଛନ୍ତି। ବଡ଼ଭାଇ କେବେ କେବେ ଅତାବିରାକୁ ଆସନ୍ତି। ଅତାବିରାଠାରେ ପରମେଶ୍ବର ମିଶ୍ରଙ୍କ ଘରେ ଭଡ଼ା ରୁହନ୍ତି। ପ୍ରମୋଦଙ୍କ ଖେଳ ପାଇଁ ଦେଶ ବିଦେଶ ଯାତ୍ରା କରୁଥିବାରୁ ଅତାବିରାକୁ କ୍ବଚିତ ଆସନ୍ତି। ଏଠାକୁ ଆସିଲେ ଭାଇ ଶେଖରଙ୍କ ସାଂଗେ ରହନ୍ତି। ଅର୍ଜୁନ ପୁରସ୍କାରପ୍ରାପ୍ତ ପ୍ରମୋଦ ଓ ତାଙ୍କ ଭାଇ ଶେଖର ଏବେ ବି ସେହି ଭଡ଼ା ଘରେ ରୁହନ୍ତି। ଅତାବିରାରେ ତାଙ୍କର କୌଣସି ଜମି ନାହିଁ କି ସରକାରଙ୍କ ପକ୍ଷରୁ କିଛି ମିଳି ନାହିଁ।

ଅତାବିରା ଓ ରାଜଧାନୀରେ ପ୍ରମୋଦ ଉତ୍ସବ

(ଅତାବିରାରୁ ନରେନ୍ଦ୍ର ଦାଶ): ବରଗଡ଼ ଜିଲ୍ଲା ଅତାବିରା ମାଟିର ପୁଅ ପ୍ରମୋଦ ଭଗତ ଟୋକିଓ ପାରା ଅଲିମ୍ପିକ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ଏକକ ବର୍ଗରେ ସ୍ବର୍ଣ୍ଣ ପଦକ ଜିଣିବା ପରେ ଅତାବିରା ଉତ୍ସବମୁଖର ହୋଇଉଠିଛି। ଫାଇନାଲ ମ୍ୟାଚ୍ ଦେଖିବା ପାଇଁ ଅତାବିରା ପ୍ଲେୟାର୍‌ କ୍ଲବ୍‌ ପକ୍ଷରୁ ଅଗ୍ରସେନ ଭବନଠାରେ ପ୍ରୋଜେକ୍ଟର ବ୍ୟବସ୍ଥା କରାଯାଇଥିଲା। ଶହ ଶହ ଯୁବ ଖେଳାଳି, ପ୍ରଶଂସକ ରୁଣ୍ଡ ହୋଇ ଫାଇନାଲ ମ୍ୟାଚ୍ ଉପଭୋଗ କରିଥିଲେ। ପ୍ରଥମ ସେଟ୍‌ରେ ପ୍ରମୋଦଙ୍କ ସହଜ ବିଜୟରେ ଦର୍ଶକମାନେ ବିଜୟ ନେଇ ସୁନିଶ୍ଚିତ ଥିଲେ। ଦ୍ବିତୀୟ ସେଟ୍‌ରେ ବିପକ୍ଷ ପ୍ରତିଯୋଗୀଙ୍କ ଉନ୍ନତ ଖେଳ ଦେଖି ପ୍ରଶଂସକ, ଦର୍ଶକଙ୍କ ମଧ୍ୟରେ କିଛିଟା ନିରାଶା ଦେଖା ଦେଇଥିଲା। ୧୦ ପଏଣ୍ଟ ପରେ ପ୍ରମୋଦଙ୍କ ଆକ୍ରମଣାତ୍ମକ ଖେଳ ଦେଖାଇ ଆଉ ପଛକୁ ଫେରିନଥିଲେ। ପ୍ରମୋଦ ଯେତିକି ପଏଣ୍ଟ ପାଉଥାନ୍ତି ଦର୍ଶକ ମଧ୍ୟରେ ଉତ୍ସାହ ସହ ଉତ୍ସବ ବଢ଼ି ଚାଲିଥିଲା।

‘ଜିତେଗା ଭାଇ ଜିତେଗା, ପ୍ରମୋଦ ଭଗତ ଜିତେଗା, ପ୍ରମୋଦ ଭଗତ ଜିନ୍ଦାବାଦ, ଜୟ ମାଁ ଦୁର୍ଗା, ଜୟ ମାଁ ସମଲେଇ ଧ୍ବନିରେ ହଲ୍‌ଟି ଗୁଂଜରିତ ହୋଇ ଉଠୁଥାଏ। ଶେଷ ତିନି ବିଜୟ ପଏଣ୍ଟ ପରେ ଦର୍ଶକ ନାଚି ଉଠିଥିଲେ। ଦ୍ବିତୀୟ ସେଟ୍‌ରେ ବିଜୟ ପରେ ପ୍ରଶଂସକମାନେ କୋଳାକୋଳି ହୋଇ ଉତ୍ସାହରେ ମସଗୁଲ ହୋଇଯାଇଥିଲେ। ପରେ ପ୍ରଶଂସକମାନେ ଆସି ବରଗଡ଼-ସମ୍ବଲପୁର ଜାତୀୟ ରାଜପଥ ଉପରେ ବାଣ ଫୁଟାଇ ବିଜୟୋତ୍ସବ ମନାଇଥିଲେ। ଅତାବିରାର ସବୁ ବର୍ଗର ଲୋକେ ଏଥିରେ ସାମିଲ ହୋଇଥିଲେ।

The post ପଙ୍ଖା ମେକାନିକ୍‌ରୁ ଅଲିମ୍ପିକ ସ୍ବର୍ଣ୍ଣ ପଦକ first appeared on Sambad.

from ବିଶେଷ | Sambad https://ift.tt/3zMIrcx

Post a Comment

0 Comments