
ଭୁବନେଶ୍ବର : ପୋଲିଓ ଆକ୍ରାନ୍ତ ଜଣେ ଖେଳାଳି ଦିନେ ୪ ଥର ବିଶ୍ବବିଜେତା ଓ ଥରେ ପାରାଲିମ୍ପିକ୍ ବିଜେତା ହେବ କେବେ ବିଶ୍ବାସ କରି ହୁଏନି। ପ୍ରମୋଦ ଭଗତ ଏହା କରି ଦେଖାଇଛନ୍ତି। ପ୍ରମୋଦଙ୍କ ପରିବାର ବିହାରରୁ ଆସିଥିଲେ ମଧ୍ୟ ବରଗଡ଼ ଜିଲ୍ଲା ଅତାବିରାରେ ତାଙ୍କ ଜନ୍ମ। ପ୍ରମୋଦ ଏବେ କିନ୍ତୁ ଭୁବନେଶ୍ବରର ଅଧିବାସୀ। ମାତ୍ର ୫ ବର୍ଷ ବୟସରେ ତାଙ୍କ ବାମ ଗୋଡ଼ ପୋଲିଓ ସଂକ୍ରମିତ ହୋଇଥିଲା। ୧୩ ବର୍ଷ ବୟସରେ ସେ ଏକ ବ୍ୟାଡମିଣ୍ଟନ୍ ମ୍ୟାଚ୍ ଦେଖିବା ପରେ ଏହାର ପ୍ରେମରେ ପଡ଼ିଯାଇଥିଲେ। ୧୫ ବର୍ଷ ବୟସରେ ସାଧାରଣ ବର୍ଗର ଖେଳାଳିଙ୍କ ସହ ଖେଳି ନିଜକୁ ବିକଶିତ କରିଥିଲେ। ଖେଳ ଜୀବନରେ ଦେଢ଼ ଦଶନ୍ଧି ଭିତରେ ପ୍ରମୋଦ କେବଳ ପାରାଲିମ୍ପିକ୍ସ ପଦକ ଛଡ଼ା ଅନ୍ୟ ସମସ୍ତ ପ୍ରମୁଖ ପଦକ ଜିତିସାରିଥିଲେ। ଏବେ ସେହି ଅଧୁରା ସ୍ବପ୍ନ ପଦାର୍ପଣରେ ସାକାର ହୋଇଛି। ପ୍ରଥମ ଓଡ଼ିଆ ଭାବେ ମଧ୍ୟ ପାରାଲିମ୍ପିକ୍ସ ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି। ଦ୍ରୋଣାଚାର୍ଯ୍ୟ ଶିବ ପ୍ରସାଦ ଦାସଙ୍କ ପ୍ରଶିକ୍ଷଣ ତାଙ୍କୁ ପ୍ରଷ୍ଫୁଟିତ କରିଛି। ଟୋକିଓ ସ୍ବର୍ଣ୍ଣ ପଦକ ପୂର୍ବରୁ ୬ଟି ବିଶ୍ବ ପଦକ ସେ (୨୦୧୩-ପୁରୁଷ ଯୁଗଳ ସ୍ବର୍ଣ୍ଣ, ୨୦୧୫-ପୁରୁଷ ଏକକ ସ୍ବର୍ଣ୍ଣ ଓ ଯୁଗଳ କାଂସ୍ୟ , ୨୦୧୭ରେ ପୁରୁଷ ଏକକ କାଂସ୍ୟ, ୨୦୧୯ରେ ପୁରୁଷ ଏକକ ଓ ଯୁଗଳ ସ୍ବର୍ଣ୍ଣ) କବ୍ଜା କରି ସାରିଥିଲେ। ୨୦୧୯ ସାରଜା ବିଶ୍ବ କ୍ରୀଡ଼ାରେ ୨ ସ୍ବର୍ଣ୍ଣ, ୧ ରୌପ୍ୟ, ୨୦୧୮ ଏସୀୟ ପାରାକ୍ରୀଡ଼ାରେ ୧ ସ୍ବର୍ଣ୍ଣ, ୨ ରୌପ୍ୟ, ଏସୀୟ ପାରା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାରେ ୨ କାଂସ୍ୟ (୨୦୧୬, ବେଜିଂ) ସାମିଲ ରହିଛି। ମୋଟ ଉପରେ ଦେଢ଼ ଦଶନ୍ଧିର କ୍ରୀଡ଼ା ଜୀବନରେ ପ୍ରମୋଦ ୫୦ରୁ ଊର୍ଧ୍ବ ଅନ୍ତର୍ଜାତୀୟ ପଦକ ଜିତିଛନ୍ତି।
୨୦୧୯ରେ ଅର୍ଜୁନ ପୁରସ୍କାର
ବିଶ୍ବର ଏକ ନମ୍ବର ସ୍ଥାନ ଦଖଲ କରିବା ସହ ୪ ଥର ବିଶ୍ବ ଏବଂ ଥରେ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ହେବା କାରଣରୁ ପ୍ରମୋଦଙ୍କୁ ୨୦୧୯ ମସିହାରେ କେନ୍ଦ୍ର ସରକାର ସମ୍ମାନଜନକ କ୍ରୀଡ଼ା ସମ୍ମାନ ‘ଅର୍ଜୁନ ପୁରସ୍କାର’ ପ୍ରଦାନ କରିଥିଲେ। ସେହି ବର୍ଷ ସେ ମଧ୍ୟ ରାଜ୍ୟର ଶ୍ରେଷ୍ଠ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଅର୍ଜନ କରିଥିଲେ। ଚଳିତ ବର୍ଷ ମାର୍ଚ୍ଚ ମାସରେ ମଧ୍ୟ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍ଜା)ର ବାର୍ଷିକ କ୍ରୀଡ଼ା ପୁରସ୍କାର ହାସଲ କରିଥିଲେ।

ଘର ସାରା କପ୍, ସିଲ୍, ମେଡ଼ାଲ, ମାନପତ୍ର
ଅତାବିରା : ଅତାବିରାସ୍ଥିତ ଭଡ଼ା ଘରେ ଭିତରକୁ ଗଲେ ଥାକ, ଟେବୁଲରେ କପ୍, ସିଲ୍ ଏବଂ କାନ୍ଥ ସାରା ମାନପତ୍ର, ବିଭିନ୍ନ ସମ୍ମାନିତ ଫଟୋ ଦେଖିବାକୁ ମିଳିବ। ଦୁଇ ଅବିବାହିତ ଭାଇଙ୍କ ଆସବାବପତ୍ର ଅପେକ୍ଷା କପ୍, ସିଲ୍, ମେଡ଼ାଲ୍, ମାନପତ୍ର ଅଧିକ ଥିବା ଦେଖିବାକୁ ମିଳେ। ଏତେ ପୁରସ୍କାର ଅଛି ଯେ ସେ ସବୁ ଗୁଣ୍ଡ ଲାଗି ମଇଳା ହୋଇଗଲାଣି। ଏତେ ସମ୍ମାନ ଦେଖି କେତେ ବଡ଼ ଖେଳ ପ୍ରତିଭା ତାହା ସହଜରେ ଅନୁମାନ କରାଯାଇ ପାରିବ।
‘ସମ୍ବାଦ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଥିଲେ ପ୍ରମୋଦ

୨୦୧୪ ମସିହାରେ ସମ୍ବଲପୁରସ୍ଥିତ ଅଶୋକା ଟକିଜ୍ଠାରେ ‘ସମ୍ବାଦ’ର ଜୁଗାର ବିଶେଷାଙ୍କ ବାର୍ଷିକ ଉତ୍ସବରେ ପ୍ରମୋଦ ଭଗତ ସମ୍ମାନିତ ହୋଇଥିଲେ। ଏଥିରେ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ, ହକି ତାରକା ଦିଲୀପ ତିର୍କି, ପରିବେଶବିତ୍ ସ୍ବର୍ଗତ ଧ୍ରୁବରାଜ ନାୟକ,
ଶିକ୍ଷାବିତ୍ ପ୍ରୀତୀଶ୍ ଆଚାର୍ଯ୍ୟ, ତତ୍କାଳୀନ ସମ୍ବଲପୁର ସଂସ୍କରଣ ମହାପ୍ରବନ୍ଧକ ତଥା ବର୍ତ୍ତମାନର ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
The post ପ୍ରମୋଦ ଭଗତ: ପୋଲିଓରୁ ପରାକ୍ରମୀ first appeared on Sambad.ଶୁଭେଚ୍ଛାର ସୁଅ
ପ୍ରମୋଦଙ୍କ କୃତିତ୍ବ ପରେ ଚାରିପଟୁ ଶୁଭେଚ୍ଛାର ସୁଅ ଛୁଟିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଅଭିନନ୍ଦନ ଅଜାଡ଼ିଛନ୍ତି। ବରଗଡ଼ ଜିଲ୍ଲାର ସୁଯୋଗ୍ୟ ସନ୍ତାନ ପ୍ରମୋଦ ସ୍ବର୍ଣ୍ଣ ପଦକ ହାସଲ କରି ଦେଶକୁ ଗୌରବାନ୍ବିତ କରିଥିବାରୁ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ତାଙ୍କର ଏହି ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଶୁଭେଚ୍ଛା ବାର୍ତ୍ତାରେ ଉଭୟେ ଶ୍ରୀ ଭଗତ ବରଗଡ଼ ମାଟିର ଗର୍ବ ଓ ଗୌରବ ବୋଲି ଉଲ୍ଲେଖ କରିବା ସହିତ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି। ତାଙ୍କର ନିଷ୍ଠାପର ଉଦ୍ୟମ ଓ ଅକ୍ଲାନ୍ତ ପରିଶ୍ରମ ହିଁ ଭାରତ ପାଇଁ ସଫଳତା ଆଣି ଦେଇଥିବାରୁ ତାଙ୍କର ପ୍ରଶିକ୍ଷକ ସମେତ କୋଚଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।
ପ୍ରମୋଦଙ୍କ ସଫଳତାରେ ଅତାବିରା ବିଧାୟିକା ସ୍ନେହାଂଗିନୀ ଛୁରିଆ ଶୁଭେଚ୍ଛା ଜଣାଇଛନ୍ତି। ପ୍ରମୋଦଙ୍କ ଏହି ସଫଳତା ଅତାବିରା ମାଟିରୁ ଆରମ୍ଭ କରି ସାରା ବିଶ୍ବକୁ ଆମୋଦିତ କରିଛି। ସେ ଟୋକିଓରୁ ଫେରିଲେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବ। ତାଙ୍କୁ ବ୍ୟକ୍ତିଗତ ଭାବେ ଭେଟି ଶୁଭେଚ୍ଛା ଦେବାକୁ ଉତ୍ସୁକ ଅଛି ବୋଲି ବିଧାୟିକା ଶ୍ରୀମତୀ ଛୁରିଆ କହିଛନ୍ତି।
from ବିଶେଷ | Sambad https://ift.tt/3BIAnds




0 Comments