ପରିସ୍ଥିତି ଯେବେ ବଦଳିଯାଏ: ଫୁଟପାଥରେ ଦିନ କାଟୁଛନ୍ତି ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଶାଳୀ

କୋଲକାତା: ଭାରତରେ ନେତାଙ୍କ ସମ୍ପର୍କୀୟ ମଧ୍ୟ ନିଜର ରୁବାବ ଦେଖାଇବାକୁ ପଛାନ୍ତି ନାହିଁ | ନେତାଙ୍କ ସମ୍ପର୍କୀୟ ହେଲେ ବି ନିଜ ଜୀବନଶୈଳୀକୁ ଏକଦମ ବିଳାସବ୍ୟସନରେ କାଟନ୍ତି | କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ମହିଳାଙ୍କ ବାବଦରେ କହିବୁ ଯିଏ କି ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଶାଳୀ ହୋଇଥିଲେ ବି ଫୁଟପାଥରେ ରୁହନ୍ତି ଓ ଚିରା, ଫଟା ପୋଷାକ ପିନ୍ଧନ୍ତି | ଦିନେ ତାଙ୍କ ପାଖରେ ସବୁ କିଛି ଥିଲା, ଚାକିରି ଥିଲା, ମାସିକ ଦରମା ଥିଲା ଆଉ ସମ୍ପର୍କୀୟ ବି ଥିଲେ | କିନ୍ତୁ ସମୟ ବଦଳିବା ସାଙ୍ଗକୁ ସମ୍ପର୍କୀୟ ଦୂରେଇବାକୁ ଲାଗିଲେ, ଆଉ ବେସାହାରା ଭାବେ ଫୁଟପାଥକୁ ନିଜର ଠିକଣା କରିଦେଲେ ଏହି ମହିଳା |

ପଶ୍ଚିମବଙ୍ଗର ଉତ୍ତର ଚବିଶ ପ୍ରଗଣାରେ ଥିବା ଡ଼ନଲପ ଫ୍ଲାଇଓଭର ଫୁଟପାଥରେ ପ୍ରାୟ ୨ ବର୍ଷ ହେଲା ରହିଆସୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଶାଳୀ ଇରା ବସୁ | ଭାଇରୋଲୋଜିରେ ପିଏଚଡି କରିଥିବା ଇରା ଉଭୟ ଇଂରାଜୀ ଓ ବଙ୍ଗଳା ଖୁବ ଭଲ ଭାବରେ କହିପାରନ୍ତି | ଦିନେ ରାଜ୍ୟସ୍ତରୀୟ ଆଥଲେଟ ଭାବେ ପରିଚିତ ଇରା ଉତ୍ତର ଚବିଶ ପ୍ରଗଣାର ଏକ ସ୍କୁଲରେ ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ | ୩୪ ବର୍ଷର ଚାକିରି ସରିବା ପରେ ସେ ଅବସର ନେଇଥିଲେ | ଆଉ ସେତେବେଳେ ବୁଦ୍ଧଦେବ ମୁଖ୍ୟମନ୍ତ୍ରୀ ପଦରେ ମଧ୍ୟ ଥିଲେ | ଅବସର ପରେ ବି ସେ ସ୍କୁଲରେ ପାଠ ପଢ଼ାଉଥିଲେ | ତେବେ ସେତେବେଳେକୁ ତାଙ୍କ ମାନସିକ ଅବସ୍ଥା ବିଗିଡ଼ିବାରେ ଲାଗିଥିଲା | ତାଙ୍କୁ ନିଜର କାଗଜପତ୍ର ଦେବାକୁ ସ୍କୁଲ ପକ୍ଷରୁ କୁହାଯାଇଥିଲା | କିନ୍ତୁ ସେ ଦେଇପାରିନଥିଲେ | ଆଉ ସେଥିପାଇଁ ତାଙ୍କୁ ଏପର୍ଯ୍ୟନ୍ତ ପେନସନ ମଧ୍ୟ ମିଳିପାରିନାହିଁ |

ଚଳିତବର୍ଷ ଗୁରୁ ଦିବସ ଅବସରରେ ସ୍ଥାନୀୟ ଅଞ୍ଚଳର କିଛି ସ୍ବେଛାସେବୀ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ | ଆଉ ଏହି ସମୟରେ ଇରା କହିଥିଲେ ଯେ ଛାତ୍ରୀମାନେ ମତେ ମନେରଖିଛନ୍ତି ଓ ମୁଁ ବି ସେମାନଙ୍କୁ ରଖିଛି | ଯେତେବେଳେ ତାଙ୍କ ଭିଣୋଇ ବୁଦ୍ଧଦେବ ଭଟ୍ଟାଚାର୍ଜୀ ଏବଂ ଭଉଣୀ ମୀରା ଭଟ୍ଟାଚାର୍ଯ୍ୟଙ୍କ ବିଷୟରେ ପଚରାଗଲା, ଇରା ରାଗିଯାଇ କହିଥିଲେ ଯେ ସେମାନଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ତେବେ ଇରାଙ୍କ ବାବଦରେ ଆପଣ ଭାବୁଥିବେ ଯେ ସେ ଭିକ ମାଗି ଚଳୁଥିବେ | କିନ୍ତୁ ଏହା ସମ୍ପୂର୍ଣ୍ଣ ମିଛ | ଇରା କାହାକୁ ଭିକ୍ଷା ମାଗନ୍ତି ନାହିଁ | ଏପରିକି ସେ ନିଜ ଟଙ୍କାରେ ଚା କିଣନ୍ତି ଓ ପିଇଥା’ନ୍ତି | ଖାଲି ସେତିକି ନୁହେଁ, ସେ ନିଜ ଟଙ୍କାରେ, ପାଖରେ ଥିବା ଦୋକାନୀଙ୍କୁ ବିରିୟାନି ମଧ୍ୟ ଖାଇବାକୁ ଦିଅନ୍ତି | ଏକ ହୋଟେଲରୁ ପ୍ରତିଦିନ ଭାତ, ଡାଲି, ତରକାରୀ କିଣନ୍ତି |

photo-india today

ଯଦି କେହି ତାଙ୍କୁ ଖାଦ୍ୟ ଦିଅନ୍ତି, ସେ ନେବାକୁ ମନା କରନ୍ତି | ଇରାଙ୍କର ନିଜସ୍ୱ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଅଛି, ଯେଉଁଥିରୁ ସେ ନିଜ ଆବଶ୍ୟକତା ଅନୁଯାୟୀ ସମୟ ସମୟରେ ଟଙ୍କା ଉଠାନ୍ତି | ମାନସିକ ସ୍ତରରେ ଅସୁସ୍ଥ ଥିଲେ ମଧ୍ୟ ଇରା କରୋନା ପ୍ରତି ବହୁତ ସତର୍କ ରୁହନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ସତର୍କ କରନ୍ତି | ସେ କୁହନ୍ତି ଯେ କେବଳ ମାସ୍କ ପିନ୍ଧିଲେ ହେବ ନାହିଁ, ବରଂ ଶାରୀରିକ ଦୂରତା ବଜାୟ ରଖିବାକୁ ପଡିବ | ସବୁ ସ୍ଥାନରେ ଛେପ ପକାଇବା ବନ୍ଦ କରିବାକୁ ପଡିବ | ଇରା ପ୍ରତିଦିନ ଇଂରାଜୀ ଏବଂ ବଙ୍ଗାଳୀ ଖବରକାଗଜ ପଢ଼ନ୍ତି | ସେ ଅନଲାଇନ୍ ପାଠପଢ଼ାର ଘୋର ବିରୋଧୀ | ସେ ବିଶ୍ୱାସ କରନ୍ତି ଯେ ପିଲାମାନଙ୍କର ଶିକ୍ଷା ଉପରେ ଏହାର ବହୁତ କୁପ୍ରଭାବ ପଡିଛି। ସୋସିଆଲ ମିଡିଆରେ ଖବର ପ୍ରସାରଣ ପରେ ବର୍ତ୍ତମାନ ଇରାଙ୍କୁ ମାନସିକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

The post ପରିସ୍ଥିତି ଯେବେ ବଦଳିଯାଏ: ଫୁଟପାଥରେ ଦିନ କାଟୁଛନ୍ତି ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଶାଳୀ first appeared on Sambad.

from ବିଶେଷ | Sambad https://ift.tt/3jX7K6b

Post a Comment

0 Comments