
ଚଳିତଥର ମେୟର, ପୌରାଧ୍ୟକ୍ଷ ପଦପଦବି ପାଇଁ ସିଧାସଳଖ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏଭଳି ସ୍ଥିତିରେ ରାଜ୍ୟରେ ଦୁଇଥର ସିଧାସଳଖ ପୌରାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତେବେ ବିଜୁ ପଟ୍ଟନାୟକଙ୍କ ଅମଳରେ ପୌରାଧ୍ୟକ୍ଷ ପଦ ପାଇଁ ରାଜ୍ୟରେ ଦ୍ବିତୀୟ ଥର ପାଇଁ ୧୯୯୨ ମସିହାରେ ହୋଇଥିବା ସିଧାସଳଖ ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅତୀତର ଏହି ନିର୍ବାଚନରେ ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି ପୌରାଧ୍ୟକ୍ଷ ପଦ ଅକ୍ତିଆର କରିବାର ଗୌରବ ଅର୍ଜନ କରିଥିଲେ। ସେ ଜନତା ଦଳରୁ ଲଢ଼ୁଥିଲେ। ଆଦିତ୍ୟ ହୃଦୟ ମିଶ୍ର ଥିଲେ ଶ୍ରୀ ମହାନ୍ତିଙ୍କ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ। ସେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିଲେ। ସେ ସମୟରେ ପୁରୀ ପୌରାଞ୍ଚଳର ଜନସଂଖ୍ୟା ପ୍ରାୟ ଦେଢ଼ ଲକ୍ଷ ଥିଲା। ୱାର୍ଡ଼ ସଂଖ୍ୟା ଥିଲା ୨୪। ସେ ସମୟରେ ଶ୍ରୀ ମହାନ୍ତି ପ୍ରାୟ ୧୮ହଜାର ଭୋଟ ପାଇଥିଲେ। ସ୍ବାଧୀନ ପ୍ରାର୍ଥୀ ଶ୍ରୀ ମିଶ୍ର ପ୍ରାୟ ୧୦ହଜାର ଭୋଟ୍ ପାଇଥିଲେ। ପ୍ରାୟ ୮ହଜାର ଭୋଟ୍ ବ୍ୟବଧାନରେ ହାରିଥିଲେ ଶ୍ରୀ ମିଶ୍ର। ଶ୍ରୀ ମହାନ୍ତିଙ୍କୁ ସର୍ବାଧିକ ଭୋଟ୍ ପେଣ୍ଠକଟା ଓ ଆଖପାଖ ଅଞ୍ଚଳରୁ ମିଳିଥିଲା। କଂଗ୍ରେସ ବି ବହୁ କମ୍ ଭୋଟ୍ ପାଇଥିଲା। ଏ ସମ୍ପର୍କରେ ଶ୍ରୀ ମହାନ୍ତି କହିଛନ୍ତି ଯେ ସେ ୧୯୮୫-୯୦ ମସିହାରେ ସେ ପ୍ରଥମେ ପୁରୀ ପୌରାଞ୍ଚଳର ପୌରାଧ୍ୟକ୍ଷ ହୋଇଥିଲେ। ସେତେବେଳେ କାଉନ୍ସିଲରଙ୍କ ଦ୍ବାରା ନିର୍ବାଚିତ ହୋଇଥିଲେ। ପରେ ୧୯୯୨ ମସିହା ମାର୍ଚ୍ଚ ମାସରେ ସିଧାସଳଖ ଭୋଟରଙ୍କ ଦ୍ବାରା ନିର୍ବାଚିତ ହୋଇ ପୌରାଧ୍ୟକ୍ଷ ହୋଇଥିଲେ। ପୁରୀ ସହରର ବିକାଶ ତଥା ଜନତାଙ୍କ ସେବା କରିବାର ଇଚ୍ଛା ତାକୁ ରାଜନୀତିକୁ ଟାଣି ଆଣିଥିଲା। ଯାହା ଆଜି ବି ସେ ଅତୁଟ ରଖିଛନ୍ତି ବୋଲି କହିଛନ୍ତି।
ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଶ୍ରୀ ମିଶ୍ର କହିଛନ୍ତି କି ସେ ସମୟରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବା ବହୁ କଷ୍ଟକର ଥିଲା। ନିଜେ ରିକ୍ସା ଧରି ପ୍ରଚାର କରୁଥିଲି। କାଁ ଭାଁ କେତେଜଣଙ୍କୁ ସାଙ୍ଗରେ ଧରି ରିକ୍ସାରେ ମାଇକ୍ ଲଗାଇ ନିଜେ ପ୍ରଚାର କରୁଥିଲି। ପାଖରେ ଟଙ୍କା ବି ନଥିଲା। ଏପରିକି ଟଙ୍କା ଅଭାବରୁ ବୁଥ୍ ଏଜେଣ୍ଟ ବି ଦେଇ ପାରିନଥିଲି। ନିର୍ମଳ ଭାବମୂର୍ତ୍ତି ସହ ମୁଁ ନିର୍ବାଚନ ଲଢ଼ୁଥିଲି। ସ୍ବରଚିତ କିଛି ଗୀତ ସହ ପ୍ରଚାରକୁ ଓହ୍ଲାଇଥିଲି। ସାହି ଗଳିକନ୍ଦିରେ ଏହି ସ୍ଲୋଗାନ୍ ଲେଖି ପ୍ରଚାର କରୁଥିଲି। ଯେଉଁଥିରେ ପୁରୀର ଜରାଜୀର୍ଣ୍ଣ ଅବସ୍ଥା ଓ ନର୍ଦ୍ଦମାର ଅବ୍ୟବସ୍ଥା କଥା ଉଲ୍ଲେଖ ରହିଥିଲା ବୋଲି ସେ କହିଛନ୍ତି। ସେତେବେଳେ ୭ ଟଙ୍କାରେ ସାଦା ମିଲ୍ ଓ ୧୦ ଟଙ୍କାରେ ଆମିଷ ମିଲ୍ ମିଳୁଥିଲା। ତଥାପି ସେତେବେଳେ ନିର୍ବାଚନ ଲଢ଼ିବାର ନିଆରା ଅନୁଭୂତି ରହିଥିଲା। ଏ ଭିତରେ ବର୍ତ୍ତମାନ ଓ ଅତୀତ ଭିତରେ ଆକାଶ-ପାତାଳ ତଫାତ୍ ଦେଖାଦେଇଛି।
The post ପୁରୀ ପୌରାଧ୍ୟକ୍ଷ: ମହେଶ୍ବର ଜିତିଥିଲେ ସିଧାସଳଖ ନିର୍ବାଚନ first appeared on Sambad.from ବିଶେଷ | Sambad https://ift.tt/38rqhRG
0 Comments