ନବରଙ୍ଗପୁର ପୌରପାଳିକା: ପୂର୍ବତନ ବିଧାୟକରୁ ପୌରାଧ୍ୟକ୍ଷ

୧୯୯୨ ମସିହାରେ ଶେଷଥର ପାଇଁ ହୋଇଥିଲା ପୌରାଧ୍ୟକ୍ଷ ପଦବି ନିମନ୍ତେ ପ୍ରତ୍ୟକ୍ଷ ନିର୍ବାଚନ। ଏହି ନିର୍ବାଚନରେ ପୂର୍ବତନ ବିଧାୟକରୁ ପୌରାଧ୍ୟକ୍ଷ ହୋଇଥିଲେ ଜଗନ୍ନାଥ ତ୍ରିପାଠୀ।

୧୯୫୭ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସଦାଶିବ ତ୍ରିପାଠୀ ନବରଙ୍ଗପୁର ଆସନରୁ କଂଗ୍ରେସ ଦଳରୁ ବିଧାୟକ ଭାବେ ବିଜୟୀ ହୋଇଥିଲେ। କିନ୍ତୁ ୧୯୫୯ ମସିହାରେ ସେ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ତେଣୁ ସେହିବର୍ଷ ହିଁ ଖାଲି ପଡ଼ିଥିବା ଆସନ ପାଇଁ ଉପନିର୍ବାଚନ ହୋଇଥିଲା। ସ୍ବାଧୀନତା ସଂଗ୍ରାମୀ ଭାବେ ସ୍ବତନ୍ତ୍ର ପରିଚୟର ଅଧିକାରୀ ଜଗନ୍ନାଥ ତ୍ରିପାଠୀଙ୍କୁ ଏହି ଉପନିର୍ବାଚନରେ ଟିକେଟ୍‌ ଦେଇଥିଲା କଂଗ୍ରେସ। ଯେଉଁ ଭରସା ଏବଂ ଆଶା ନେଇ ଦଳ ତାଙ୍କୁ ଟିକେଟ୍‌ ଯାଇଥିଲା ତାହାକୁ ପୂର୍ଣ୍ଣ କରିଥିଲେ ଜଗନ୍ନାଥ। ୧୯୫୯ରୁ ୧୯୬୧ ମସିହା ପର୍ଯ୍ୟନ୍ତ ନବରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ଦାୟିତ୍ବ ତୁଲାଇଥିଲେ। ୧୯୬୧ ମସିହା ନିର୍ବାଚନରେ ଜଗନ୍ନାଥଙ୍କ ନିର୍ବାଚନ ମଣ୍ଡଳୀ ପରିବର୍ତ୍ତନ କରାଯାଇଥିଲା। ତେବେ ଲୋକପ୍ରିୟତା ଯୋଗୁଁ ଡାବୁଗାଁ ଆସନରୁ ପୁଣି ବିଜୟୀ ହେଲେ। କ୍ରମାଗତ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ବି ପରବର୍ତ୍ତୀ ରାଜନୈତିକ ଜୀବନରେ ଅନେକ ଉତ୍‌ଥାନ ଏବଂ ପତ୍ତନର ସମ୍ମୁଖୀନ ହୋଇଥିଲେ। କିନ୍ତୁ ସକ୍ରିୟ ରାଜନୀତିରେ ରହିଥିଲେ।

ଯାହାଫଳରେ ୧୯୯୨ ମସିହାରେ ହୋଇଥିବା ପ୍ରତ୍ୟକ୍ଷ ପୌରାଧ୍ୟକ୍ଷ ନିର୍ବାଚନରେ କଂଗ୍ରେସ ତାଙ୍କୁ ଟିକେଟ୍‌ ଦେଇଥିଲା।

ଜନତା ଦଳ ପ୍ରାର୍ଥୀ କେଦାରନାଥ ତ୍ରିପା‌ଠୀ, ବିଜେପି ପ୍ରାର୍ଥୀ ତଥା ଆଇନଜୀବୀ ଝାଡ଼େଶ୍ବର ଖାଡଙ୍ଗା, ସ୍ବାଧୀନ ପ୍ରାର୍ଥୀ ତଥା ଆଇନଜୀବୀ ଉମାଶଙ୍କର ତ୍ରିପାଠୀ ଓ ଡାକ୍ତର କେ. ଧନୁର୍ଯ୍ୟୟଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରି ବିଜୟୀ ହୋଇଥିଲେ ଜଗନ୍ନାଥ। ମୋଟ ୧୩ଟି ୱାର୍ଡ ମଧ୍ୟରୁ ୧୨ଟି ୱାର୍ଡରେ ଅନ୍ୟ ପ୍ରତିଦ୍ବନ୍ଦ୍ବିଙ୍କ ଠାରୁ କମ ଭୋଟ ପାଇବା ସତ୍ତ୍ବେ ବାଜିମାତ୍ କରିଥିଲେ କଂଗ୍ରେସର ଏହି ଭେଟେରାନ ନେତା। ୧୯୯୨ରୁ ୧୯୯୫ ମସିହା ପର୍ଯ୍ୟନ୍ତ ପୌରାଧ୍ୟକ୍ଷ ଭାବେ ଜଗନ୍ନାଥ ଦାୟିତ୍ବ ତୁଲାଥିଲେ। ସେହିପରି କଂଗ୍ରେସର ହିଁ ପ୍ରଦୀପ୍ତ ପଟ୍ଟନାୟକ କାଉନସିଲରଙ୍କ ଦ୍ବାରା ପୌର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ।

The post ନବରଙ୍ଗପୁର ପୌରପାଳିକା: ପୂର୍ବତନ ବିଧାୟକରୁ ପୌରାଧ୍ୟକ୍ଷ first appeared on Sambad.

from ବିଶେଷ | Sambad https://ift.tt/3sXWn0J

Post a Comment

0 Comments