କ୍ଷେତରେ ଝାଳ ବୁହାଉଛନ୍ତି ବିଧାୟକ ଅଙ୍ଗଦ କହଁର

ଫୁଲବାଣୀ: ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ତାଙ୍କ ସରଳ ଜୀବନଯାପନ ପାଇଁ ଅନ୍ୟ ରାଜନେତା ମହଲରେ ଆଦର୍ଶ ପାଲଟିଛନ୍ତି। ବିଧାୟକ ହୋଇଥିଲେ ମଧ୍ୟ ଜଣେ ଚାଷୀ ଭାବେ ନିଜର କୌଳିକ ବୃତ୍ତିକୁ ଛାଡ଼ି ପାରିନାହାନ୍ତି। ସବୁଠି ଖରିଫ୍‌ ଚାଷ କାମ ଆରମ୍ଭ ହୋଇଛି। ବିଧାୟକ ଶ୍ରୀ କହଁର ହଳ, ଲଙ୍ଗଳ ଧରି ବିଲକୁ ବାହାରି ପଡ଼ୁଛନ୍ତି। ଚଳିତ ଖରିଫରେ ସେ ନିଜର ୧୦ ଏକର ଜମିରେ ଧାନ ଫସଲ କରିଛନ୍ତି। ଏହା ପୂର୍ବରୁ ପନିପରିବା ଚାଷ ମଧ୍ୟ କରିଥିଲେ। ବର୍ଷତମାମ ବିଲରେ ପରିଶ୍ରମ କରି ଅଙ୍ଗଦ ଯେଉଁ ମାନସିକ ଶାନ୍ତି ପାଆନ୍ତି, ମୂଲିଆ ମଜୁରିଆ ଲଗାଇ କାମ କରିବାରେ ସେ ଶାନ୍ତି ମିଳି ନଥାଏ ବୋଲି କହିଛନ୍ତି।

ଅଙ୍ଗଦ କହନ୍ତି, ତାଙ୍କ ଅଞ୍ଚଳରେ ତାଙ୍କ ସହ ଜମିରେ ହଳ କରିବାରେ ‌କେହି ଟକ୍କର୍‌ ଦେଇ ପାରିବେ ନାହିଁ। ତାଙ୍କ ବଳଦ ତାଙ୍କ ବୋଲ ମାନନ୍ତି। ଅଙ୍ଗଦ ନିଜ ଯୋଡ଼ି ବଳଦଙ୍କୁ ଯେଉଁଭଳି ଢଙ୍ଗରେ ନିର୍ଦ୍ଦେଶ ଦିଅନ୍ତି, ବଳଦ ତାଙ୍କ କଥା ମାନି ଆଗକୁ ବଢ଼ନ୍ତି। ଯଦିଓ ଅଙ୍ଗଦ ଏବେ ଜଣେ ଜନପ୍ରତିନିଧି, ନିଜେ ବ୍ୟସ୍ତ ରହିବା ସ୍ବାଭାବିକ। ରାତି ପାହିଲେ ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳରୁ ଲୋକେ ଘର ସାମ୍ନାରେ ହାଜର ହୋଇଯାଆନ୍ତି। ସେ ସମସ୍ତଙ୍କ ସମସ୍ୟା କଥା ଶୁଣି ପ୍ରତିକାର କରିବାକୁ ଚେଷ୍ଟା କରନ୍ତି। ଅଙ୍ଗଦ ନିଜ ଦୈନନ୍ଦିନ ଜୀବନଚର୍ଯ୍ୟାକୁ ଶୃଙ୍ଖଳିତ ଭାବେ ପରିଚାଳନା କରି ପାରିଥିବାରୁ ତାଙ୍କୁ କୌଣସି କାମରେ କିଛି କଷ୍ଟ ଲାଗେନା।

ଅଙ୍ଗଦ ସକାଳ ୫ରୁ ବିଛଣା ଛାଡ଼ି ନିତ୍ୟକର୍ମ ସାରିବା ପରେ ୬ଟାରୁ ୯ଟା ପର୍ଯ୍ୟନ୍ତ ଜମିକୁ ଚାଲି ଯାଆନ୍ତି। ଏହା ପରେ ଘରକୁ ଫେରି ଗାଧୁଆ ସାରି ଲୋକଙ୍କ ଅଭିଯୋଗ ଶୁଣନ୍ତି। ଏହାପରେ ଜନସେବାରେ ବାହାରି ପଡ଼ନ୍ତି। ଅଙ୍ଗଦ ନିଜର ରାଜନୈତିକ ଜୀବନ ସରପଞ୍ଚରୁ ଆରମ୍ଭ କରିଛନ୍ତି। ସେ ୪ ଥର ସରପଞ୍ଚ ହେବା ସହିତ ଥରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ମଧ୍ୟ ଥିଲେ। ଏହାବ୍ୟତୀତ ଅଙ୍ଗଦ ଥରେ ଜିଲ୍ଲା ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ। ଗତ ୨୦୧୯ ନିର୍ବାଚନରେ ଅଙ୍ଗଦ ଫୁଲବାଣୀ ବିଧାନସଭା କ୍ଷେତ୍ରରୁ ନିର୍ବାଚିତ ‌ହୋଇ ଓଡ଼ିଶା ବିଧାନସଭାରେ ପାଦ ଥାପିଛନ୍ତି।

କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକର ଦୁର୍ଗମ ପକାରି ଗାଁରେ ତାଙ୍କର ଜନ୍ମ। ଅଙ୍ଗଦଙ୍କ ପତ୍ନୀ ଓ ପୁତ୍ର ମଧ୍ୟ ବିଲକୁ ଯାଇ ଚାଷ କାମରେ ସହଯୋଗ କରିଥାନ୍ତି। ଜଣେ ବିଧାୟକ ଭାବେ ତାଙ୍କର କିମ୍ବା ତାଙ୍କ ପରିବାର ସଦସ୍ୟଙ୍କର ଅହଂକାର ନଥାଏ। ସ୍ବାମୀ ବିଧାୟକ ହୋଇଥିଲେ ମଧ୍ୟ ତାଙ୍କ ପତ୍ନୀ ବିଲକୁ ଯାଇ ଚାଷ କାମ‌ ଦେଖାଶୁଣା କରିବା ସହ ଜଙ୍ଗଲରୁ ଶାଳପତ୍ର, ମହୁଲ ଫୁଲ ସଂଗ୍ରହ କରିଥାନ୍ତି। ଅଙ୍ଗଦଙ୍କ ଜେଜେ ବାପା ଜଣେ ପୋଖତ ଚାଷୀ ଥିଲେ। ଅଙ୍ଗଦ ନିଜ ଜେଜେ ବାପାଙ୍କଠାରୁ ଚାଷ କାର୍ଯ୍ୟ ଶିଖିଛନ୍ତି। ବିଧାୟକ ହେବା ପୂର୍ବରୁ ଅଙ୍ଗଦ ଜଣେ ସଫଳ ଚାଷୀ ଭାବେ ରାଜ୍ୟ ତଥା ରାଜ୍ୟ ବାହାରେ ବହୁ କୃଷି ପ୍ରଦର୍ଶନୀରେ ଭାଗ ନେଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଅଙ୍ଗଦକୁ ସଫଳ ଚାଷୀ ଭାବେ ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାମିଲ କରା ଯାଇଥାଏ।

The post କ୍ଷେତରେ ଝାଳ ବୁହାଉଛନ୍ତି ବିଧାୟକ ଅଙ୍ଗଦ କହଁର first appeared on Sambad.

from ବିଶେଷ | Sambad https://ift.tt/3joMBQJ

Post a Comment

0 Comments