
ବିଶ୍ବାସ କରିହେଉନି… ସବୁରି ପ୍ରିୟ ଦାଦା ଜନନେତା ଅରୁଣ ଦେ’ ଆଉନାହାନ୍ତି ବୋଲି। ସେ ଥିଲେ ମହାଭାରତର କର୍ଣ୍ଣଙ୍କ ଭଳି ଓଡ଼ିଶା ରାଜନୀତିରେ ଜଣେ ତେଜୋଦୀପ୍ତ ଯୋଦ୍ଧା। ଦଳିତ, ନିଷ୍ପେସିତ, ଅବହେଳିତଙ୍କ ସବୁଦିନିଆ ସଚ୍ଚା ସାଥୀ। ବିଧାନସଭାରେ ବିରୋଧୀଙ୍କ ବିଚକ୍ଷଣ ଓ ଶାଣିତ ସ୍ବର। ରାତି ପାହିଲେ ଆଉ କିଏ ବୁଝିବ ବାଲେଶ୍ବରର ମେହେନ୍ତର ସାହିଠୁ ନେଇ ମଲ୍ଲିକାଶପୁର ଯାଏ ସାଧାରଣ ଲୋକଙ୍କ କଥା? ଦେଖା ହେଲେ ଆଉ କିଏ ତାଙ୍କ ଭଳି ଅଭିଭାବକୀୟ ଅଧିକାରରେ ଖବରକାଗଜରେ ଲୋକଙ୍କ ସମସ୍ୟା ଲେଖିବାକୁ ତାଗିଦ୍ କରିବ? ଗରମ ଗରମ ନାଲି ଚା’ ଆଉ ସିଗାରେଟ୍ର ଧୂମକୁଣ୍ଡଳୀ ଭିତରେ ଆଉ କିଏ କରିବ ବିଲ୍ କ୍ଲିଣ୍ଟନ୍ଠୁ ବିଜୁ ବାବୁଙ୍କ ଯାଏ ଗହନ ରାଜନୀତିର ଚର୍ଚ୍ଚା? ବିଧାନସଭାରେ ବାଘ ଭଳି ଗର୍ଜନ କରି ସରକାରଙ୍କୁ ପ୍ରଶ୍ନ ବାଣରେ କିଏ ଘାଇଲା କରିବ? ସଭାସମିତିରେ ନିଜର ବୁଦ୍ଧିଦୀପ୍ତ ଭାଷଣରେ ଲୋକଙ୍କୁ କିଏ ବା ଏମିତି ଚମତ୍କୃତ କରିପାରିବ? ହୃଦୟରୁ ଆପଣଙ୍କୁ ପ୍ରଣାମ ଦାଦା! ଆପଣ ଏମିତି ସବୁଦିନ ପାଇଁ ସମସ୍ତଙ୍କ ହୃଦୟରେ ରହିବେ। ଅନିର୍ବାଣ ଦୀପଶିଖାଟିଏ ହୋଇ ଚିରକାଳ ଜଳୁଥିବେ।

ଏମିତି ରାଜନେତା କ୍ବଚିତ୍ ଦେଖାଯାଆନ୍ତି
ଅରୁଣ ଦେ ଙ୍କ ସହିତ ୧୯୮୩ ମସିହାରେ ସଂପର୍କରେ ଅସିଥିଲି। ସେତେବେଳେ ବାଲେଶ୍ବରରେ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ସମ୍ମିଳନୀ ହେଉଥାଏ। ଆମେ ଉଭୟ ଏହି ପାର୍ଟିରେ ଥିଲୁ। ତାହା ଥିଲା ତାଙ୍କ ସହ ପ୍ରଥମ ଦେଖା। ଓଜସ୍ବିନୀ ଭାଷଣ ଦେଉଥିଲେ। ମେଳାପୀ ଥିଲେ। ଜନପ୍ରିୟ ନେତା ଥିଲେ। ସେତେବେଳେ ସେ ଥିଲେ ଛାତ୍ର। ପରବର୍ତ୍ତୀ ସମୟରେ ଅନେକ ଥର ଦେଖା ହୋଇଥିଲା ବିଭିନ୍ନ ସଭା ଓ କାର୍ଯ୍ୟକ୍ରମରେ। ବହୁବାର ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଛାତ୍ର ଜୀବନରୁ ସେ କମ୍ୟୁନିଷ୍ଟ ପାର୍ଟିରୁ ଅନୁପ୍ରାଣିତ ହୋଇ ଜନସେବା କରିଥିଲେ। ବଳିଷ୍ଠ ବିଧାୟକ ଥିଲେ। ସୁନାମ ଅର୍ଜନ କରିଥିଲେ। ଯଦିଓ ଚିନ୍ତାଧାରା ସାମ୍ୟବାଦ ଥିଲା, ସେ କିନ୍ତୁ ସମସ୍ତଙ୍କର ପ୍ରିୟ ଭାଜନ ହୋଇପାରିଥିଲେ। ସବୁ ଦଳର ବିଧାୟକଙ୍କ ସହିତ ତାଙ୍କର ଭଲ ସଂପର୍କ ଥିଲା। ଗରିବ ଖଟିଖିଆ ମଜଦୁରଙ୍କ ସ୍ବାର୍ଥରକ୍ଷା ପାଇଁ ସବୁବେଳେ ଚେଷ୍ଟିତ ଥିଲେ। ତାଙ୍କର ଲୋକଙ୍କ ଯାହା କାମ ଥିଲା, ତାହା ସରକାରଙ୍କଠୁ ହାସଲ କରିବା ପାଇଁ ସେ ସବୁ ପ୍ରକାର ଉପାୟ ଅବଲମ୍ବନ କରୁଥିଲେ ଓ ସଫଳ ହୋଇଥିଲେ।
ଗୋଟିଏ ଘଟଣା ଅଜି ବି ମନେ ଅଛି। ୧୯୯୭ରେ ବିଧାୟକଙ୍କ ଦରମା ବୃଦ୍ଧି କରାଗଲା। ସେଥିରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସମସ୍ତ ସଦସ୍ୟ ତାଙ୍କୁ ସମର୍ଥନ କରିଥିବାବେଳେ ମୁଁ ବିରୋଧ କରିଥିଲି। ବିରୋଧ କଲାବେଳେ ମୁଁ ତାଙ୍କ ଉପରେ ଟିପ୍ପଣୀ ଦେଇ କହିଥିଲି ଯେ, ଯିଏ ସବୁବେଳେ ଗରିବଙ୍କ ପାଇଁ ଲଢ଼ୁଛନ୍ତି ସେ ପୁଣି ନିଜର ଦରମା ପାଇଁ କେମିତି ଯୁକ୍ତି କରୁଛନ୍ତି। ସେ ଏଥିରେ ପ୍ରତିଆକ୍ରମଣ କରି କହିଥିଲେ, ନରସିଂହ ବାବୁ ଯେହେତୁ ଜଣେ ପ୍ରତିଷ୍ଠିତ ଓକିଲ ତାଙ୍କର ଦରମାର ଆବଶ୍ୟକତା ନାହିଁ। କିନ୍ତୁ ବିଧାନସଭାରେ ନିଜର କାମ ଠିକ୍ କରିବା ପାଇଁ ବଂଚି ରହିବା ଆବଶ୍ୟକ। ଏବଂ ଦରମା ନବଢ଼ିଲେ ଲୋକଙ୍କୁ ଯାହାଯ୍ୟ କରିହେବ ନାହିଁ। ଅନେକ ସମୟରେ ଲୋକ ଏମଏଲଏଙ୍କୁ ଆର୍ଥିକ ସାହାଯ୍ୟ ମାଗିଥାନ୍ତି। ଏମଏଲଏ ବାଧ୍ୟ ହୋଇଥାଏ ଆର୍ଥିକ ସହଯୋଗ କରିବାକୁ। ସେ ପଇସା ଆଣିବ କୋଉଠୁ। ମୋତେ କହିଥିଲେ ଆପଣ ଯେତେବେଳେ ବିରୋଧ କରୁଛନ୍ତି ବର୍ଦ୍ଧିତ ଦରମା ଆପଣ ନେବେ ନାହିଁ ବୋଲି ଘୋଷଣା କରନ୍ତୁ। ମୁଁ ବିଧାନସଭାରେ ଘୋଷଣା କରିଥିଲି ବର୍ଦ୍ଧିତ ଦରମା ନେବି ନାହିଁ। ୨୦୦୦ ମସିହା ପର୍ଯ୍ୟନ୍ତ ବର୍ଦ୍ଧିତ ଦରମା ନେଇନଥିଲି। ବିଧାନସଭା ସଚିବଙ୍କୁ ଲେଖିକି ଦେଇଥିଲି ବର୍ଦ୍ଧିତ ଦରମା ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସଂଗଠନକୁ ଦିଆଯାଉ। ତାହା ହିଁ ହୋଇଥିଲା। ଯଦିଓ ତାଙ୍କର ଯୁକ୍ତି ଅକାଟ୍ୟ ଥିଲା ଏବଂ ମୁଁ ତାଙ୍କୁ ଯୁକ୍ତିରେ ପରାସ୍ତ କରିପାରିନଥିଲି ତେଣୁ ଏହି ଘଟଣାଟି ମୋର ସବୁଦିନ ମନେ ରହିଛି।
ସେ ଭାରି ଖାଦ୍ୟପ୍ରିୟ ଥିଲେ। ବିବାହ କରିନଥିଲେ। ସେ କମ୍ୟୁନିଷ୍ଟ ମତବାଦର ହୋଇ ମଧ୍ୟ ଆମେରିକାର ଗଣତନ୍ତ୍ରକୁ ପସନ୍ଦ କରୁଥିଲେ। ଏଭଳି ରାଜନେତା କ୍ବଚିତ ଦେଖାଯାଆନ୍ତି। ବାଲେଶ୍ବର ଯେବେବି ଯାଇଛି ତାଙ୍କ ଘରକୁ ଯାଇଛି। ସେ ଅନ୍ୟକୁ ଖୁଆଇବାରେ ଆନନ୍ଦ ପାଆନ୍ତି। ବହୁତ ଦିନ ହେଲା ତାଙ୍କ ସହିତ ଦେଖା ହୋଇନଥିଲା। ଆମକୁ ଛାଡ଼ି ଚାଲିଯାଇଛନ୍ତି। ତାଙ୍କ ବିୟୋଗରେ ମୁଁ ମର୍ମାହତ। ରାଜ୍ୟବାସୀ ଜଣେ ଦକ୍ଷ ସାଂଗଠାନିକ ବ୍ୟକ୍ତିଙ୍କୁ ହରାଇଛନ୍ତି। ସର୍ବହରା ତାଙ୍କର ପ୍ରକୃତ ବନ୍ଧୁଙ୍କୁ ଆଉ ଦେଖିବାକୁ ପାଇବେ ନାହିଁ। ତାଙ୍କ ଦେହାନ୍ତ ରାଜ୍ୟରେ ଅପୂରଣୀୟ କ୍ଷତି ହୋଇଛି।
ନରସିଂହ ମିଶ୍ର, ବିଧାୟକ, ବଲାଙ୍ଗୀର
The post ଅଲ୍ବିଦା ଦାଦା: ଏମିତି ରାଜନେତା କ୍ବଚିତ୍ ଦେଖାଯାଆନ୍ତି first appeared on Sambad.from ବିଶେଷ | Sambad https://ift.tt/3Cc0FWw
0 Comments