ଜଣେ ନିର୍ଭୀକ ରାଜନେତା ଭାବେ ମନେ ରହିବେ ଅରୁଣ ଦାଦା

ଜଣେ ନିର୍ଭୀକ ରାଜନେତା ଭାବେ ମନେ ରହିବେ ଅରୁଣ ଦାଦା। କୌଣସି ଚାପ କିମ୍ବା ପରିସ୍ଥିତି ଆଗରେ ସେ ହାର୍‌ ମାନୁନଥିଲେ। ତାଙ୍କର ଗୋଟିଏ ଆୱାଜରେ ରୁଣ୍ଡ ହେଉଥିଲେ ଶହଶହ ଶ୍ରମିକ। ୯୦ ଦଶକରେ ଅରୁଣଙ୍କ ସ୍ବର ଏତେ ଶାଣିତ ଥିଲା ଯେ, ସେ ବନ୍ଦ ଡାକରା ଦେଲେ ଜିଲ୍ଲାଯାକର ଶ୍ରମିକ ଗୋଷ୍ଠୀ ତାଙ୍କ ପଛରେ ଠିଆ ହେଉଥିଲେ। ଅରୁଣଙ୍କ ସ୍ବରକୁ ଯେ ଚପାଇ ହେବନି, ଏ କଥା ସମସ୍ତଙ୍କୁ ଜଣାଥିଲା। ତେବେ ନିଜର ନିର୍ଭୀକ ବୟାନ ପାଇଁ ସେ ଯେତିକି ଚର୍ଚ୍ଚିତ ଥିଲେ, ‌ସେତିକି ବିବାଦୀୟ ମଧ୍ୟ ଥିଲେ। ତାଙ୍କର ସେମିତି କିଛି କଥା ଯାହା ଆଜି ବି ମନେପଡ଼େ…

ହୁ ୱାଣ୍ଟସ୍‌ ଟୁ ବି ଏ ମିନିଷ୍ଟର
ତାଙ୍କୁ ଥରେ ପଚରା ଯାଇଥିଲା ଆପଣ ୫ ଥର ବିଧାୟକ। କେବେ କଣ ମନ୍ତ୍ରୀ ହେବାକୁ ଇଚ୍ଛା ନଥିଲା। ଜବାବରେ ସେ ନିଜ ଖିଆଲି ଢଙ୍ଗରେ କହିଥିଲେ ‘ହୁ ୱାଣ୍ଟସ୍‌ ଟୁ ବି ଏ ମିନିଷ୍ଟର’? ବିଧାୟକ ଭାବେ ମୁଁ ଯେମିତି କାମ କରିଛି, ମନ୍ତ୍ରୀ ଥିଲେ କରିପାରିନଥାନ୍ତି। କୌଣସି ଗୋଟିଏ ପୋର୍ଟ‌ଫୋଲିଓରେ ବାନ୍ଧି ହୋଇଗଲେ ବାକି କଥା ବୁଝିହୁଏନି। ବିଧାୟକ ଭାବେ ବିଧାନସଭାରେ ସବୁବେ‌ଳେ ନିର୍ଭୀକ ଭାବେ ମୁଁ ଜନତାଙ୍କ ପାଇଁ ସ୍ବର ଉଠାଇଛି।

ବିଜୁ ବାବୁ ମନ୍ତ୍ରୀପଦ ଯାଚିଥିଲେ: ଏକ ସାକ୍ଷାତକାରରେ ଅରୁଣ କହିଥିଲେ ବିଜୁବାବୁ ତାଙ୍କୁ ଅନେକ ଥର ମନ୍ତ୍ରୀ ପଦ ଯାଚିଥିଲେ। ହେଲେ ମନ୍ତ୍ରୀ ହେବାକୁ ତାଙ୍କର ଅଭିଳାଷ ନଥିଲା। ସ୍ବାଧୀନ ଭାବେ କାମ କରିବା ପାଇଁ ଚାହୁଁଥିଲି। ତେଣୁ ମନ୍ତ୍ରପଦ ପାଇଁ ଲାଳାୟିତ ହୋଇନଥିଲି ବୋଲି କହିଥିଲେ ଅରୁଣ।

ଏସ୍‌ପି ହୋମ୍‌ଗାର୍ଡ ହେବାକୁ ବି ଯୋଗ୍ୟ ନୁହନ୍ତି: କିଛି ବର୍ଷ ତଳେ ବାଲେଶ୍ବରରେ ଆଇନଶୃଙ୍ଖଳା ସ୍ଥିତି ଖରାପ ଥିବା ବେଳେ ଏ ‌ସମ୍ପର୍କରେ ଅରୁଣ ଦେ’ଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲା ଗଣମାଧ୍ୟମ। ଅରୁଣ ସିଧାସିଧା କହିଥିଲେ, ଅପରାଧୀଙ୍କୁ ଧରିବାକୁ ଡରୁଛି ପୁଲିସ। ବର୍ତ୍ତମାନର ଏସ୍‌ପି ଜଣେ ହୋମ୍‌ଗାର୍ଡ ହେବାକୁ ବି ଯୋଗ୍ୟ ନୁହନ୍ତି ବୋଲି ବୟାନ ଦେଇ ବିବାଦୀୟ ହୋଇ ପଡ଼ିଥିଲେ ଅରୁଣ।

ବିଧାୟକ ହେଲେ କଣ ସ୍ବର୍ଗକୁ ଯିବି: ୨୦୧୯ ବିଧାନସଭା ନିର୍ବାଚନରେ ଅରୁଣ ଦେ’ ମଇଦାନକୁ ଓହ୍ଲାଇବେ କି ନାହିଁ ସେ ନେଇ ଚର୍ଚ୍ଚା ହେଉଥିଲା। ସେ ନିଜେ ଲଢ଼ିବେ ନା କାହାକୁ ସମର୍ଥନ କରିବେ ସେ ନେଇ ପ୍ରଶ୍ନ ହେବାରୁ ଅରୁଣ କହିଥିଲେ ୫ ଥର ବିଧାୟକ ହୋଇସାରିଛି। ଆଉ ଥରେ ହେଲେ କଣ ସ୍ବର୍ଗକୁ ଯିବି। ମୁଁ ଆଉ ନିର୍ବାଚନ ଲଢ଼ିବିନି ବୋଲି ରୋକ୍‌ଠୋକ୍‌ କହିଥିଲେ ଅରୁଣ।

The post ଜଣେ ନିର୍ଭୀକ ରାଜନେତା ଭାବେ ମନେ ରହିବେ ଅରୁଣ ଦାଦା first appeared on Sambad.

from ବିଶେଷ | Sambad https://ift.tt/3jxdulR

Post a Comment

0 Comments