
ବିଶ୍ବର କେଉଁଠି ଅନାହାର ମୃତ୍ୟୁ ଘଟୁଥିବା ବେଳେ କେଉଁଠି ଲୋକେ ଅପପୁଷ୍ଟିକର ଶିକାର ହେଉଛନ୍ତି। ଆକଳନ ଅନୁଯାୟୀ, ୮୧ କୋଟି ଲୋକ ସେମାନଙ୍କ ପରବର୍ତ୍ତୀ ଭୋଜନ କେଉଁଠି ମିଳିବ, ସେ ବିଷୟରେ ନିଶ୍ଚିତ ନୁହନ୍ତି। ବିଭିନ୍ନ ସ୍ଥାନରେ ଲାଗି ରହିଥିବା ଖାଦ୍ୟ ସମସ୍ୟା ଯୋଗୁଁ ଏଭଳି ସଂକଟଜନକ ପରସ୍ଥିତି ଉପୁଜୁଛି। ତେବେ ଏହି ବୈଶ୍ବିକ ସମସ୍ୟା କେବଳ ଖାଦ୍ୟ ଅଭାବରୁ ନୁହେଁ। କାରଣ ପୃଥିବୀରେ ବର୍ଷକୁ ସମୁଦାୟ ୯୩୧ ନିୟୁତ ମେଟିକ୍ ଟନ୍ ଓଜନର ଖାଦ୍ୟ ନଷ୍ଟ ହେଉଥିବା ଚିନ୍ତାର ବିଷୟ ହୋଇଛି।
ତେବେ ୫୪ଟି ଦେଶକୁ ସାମିଲ କରି ସଂଗଠିତ ଅନୁଧ୍ୟାନ-୨୦୨୧ର ଖାଦ୍ୟ ନଷ୍ଟ ମାନକ ସାରଣୀ ଅନୁଯାୟୀ, ନଷ୍ଟ ହେଉଥିବା ମୋଟ ଖାଦ୍ୟ ପରିମାଣର ୬୧ ପ୍ରତିଶତ ହିଁ ଗୃହମାନଙ୍କରେ ହେଉଛି। ସେହିପରି ବିଭିନ୍ନ ହୋଟେଲ, ଭୋଜନାଳୟ ଓ ଅନ୍ୟାନ୍ୟ ଖାଦ୍ୟ ଯୋଗାଣ ସଂସ୍ଥା ଦ୍ବାରା ୨୬ ପ୍ରତିଶତ ଖାଦ୍ୟ ନଷ୍ଟ ହେଉଥିବା ବେଳେ ବାକି ୧୩ ପ୍ରତିଶତ ଖାଦ୍ୟପଦାର୍ଥ ତେଜରାତି ଦୋକାନମାନଙ୍କରେ ହିଁ ଦେଖାଯାଇଛି। ମୋଟାମୋଟି ଭାବେ ବିଶ୍ବରେ ଉତ୍ପାଦିତ ହେଉଥିବା ମୋଟ ଖାଦ୍ୟ ପଦାର୍ଥର ଏକ ତୃତୀୟାଂଶ ନଷ୍ଟ ହୋଇ ଯାଉଥିବା ଜଣାଯାଇଛି। ଯଦି ଏଥିରେ ସୁଧାର ଆଣି ନଷ୍ଟ ଖାଦ୍ୟଗୁଡ଼ିକର ପୂର୍ଣ୍ଣ ବିନିଯୋଗ ହୋଇପାରନ୍ତା ତେବେ ସେଥିରେ ଆଉ ୨୦୦ କୋଟି ଲୋକ ଉପକୃତ ହୋଇପାରନ୍ତେ।
ଅପରପକ୍ଷେ, ଏହି ଖାଦ୍ୟ ନଷ୍ଟ ଯୋଗୁଁ ବାର୍ଷିକ ୩୩୦ କୋଟି ଟନ୍ ଅଙ୍ଗାରକାମ୍ଳ ବାଷ୍ପ ଅଯଥାରେ ବାୟୁମଣ୍ଡଳରେ ମିଶୁଛି ଯାହା ବିଶ୍ବ ତାପମାତ୍ରା ବଢ଼ାଇବାର ଅନ୍ୟତମ କାରଣ ସାଜିଛି। ତେଣୁ ଏପରି ଖାଦ୍ୟ ନଷ୍ଟକୁ ରୋକିବା ପାଇଁ ସାମୂହିକ ଉଦ୍ୟମର ଆବଶ୍ୟକତା ରହିଛି। ନିଜର ରୁଚି ଅନୁସାରେ ଖାଦ୍ୟ ଗ୍ରହଣ କରି ଉଚ୍ଛିଷ୍ଟ ନ ଛାଡ଼ିବା, ସାଇତା ବଳକା ଖାଦ୍ୟକୁ ବ୍ୟବହାର କରିନେବା ଏବଂ ଆବଶ୍ୟକ ଅନୁଯାୟୀ ବଜାରରୁ ଅଳ୍ପ ଖାଦ୍ୟ ପଦାର୍ଥ କିଣିବା ପରି ଛୋଟ ଛୋଟ ପ୍ରୟାସ ମଧ୍ୟ ଏଦିଗରେ ଯଥେଷ୍ଟ ସହାୟକ ହେବ।
The post ବର୍ଷକୁ ନଷ୍ଟ ହେଉଛି ୧୦୦ କୋଟି ଟନ୍ ଖାଦ୍ୟ first appeared on Sambad.from ବିଶେଷ | Sambad https://ift.tt/3m5eYGN
0 Comments