ଶୂନ୍ୟ ନିର୍ଗମନ ଏକ ଭୁଲ ଧାରଣା: ସୁନୀତା ନାରାୟନ୍

ଭୁବନେଶ୍ବର : ଆଜିର ସମୟରେ ଆମେ ଯେଉଁ ଖାଦ୍ୟ ଖାଉଛୁ, ତାହା ପ୍ରକୃତିକୁ ନଷ୍ଟ କରୁଛି। ବିଶେଷ କରି ପ୍ରକ୍ରିୟାକୃତ ଖାଦ୍ୟ ବା ପ୍ରୋସେସ୍‌ଡ ଫୁଡ୍‌ ପରିବେଶର ମୂଲ୍ୟ ବିନିମୟରେ ପ୍ରସ୍ତୁତ କରାଯାଉଛି। ଆଜିର ସମୟରେ ମହୁ ଏକ ପ୍ରାକୃତିକ ଖାଦ୍ୟ ହୋଇ ରହିନାହିଁ। ଏହାକୁ ଚିନିର ଏକ ସିରମ୍ ବୋଲି କୁହାଯାଇ ପାରିବ। ଏଭଳି ପରିସ୍ଥିତିରେ ଲୋକମାନଙ୍କୁ ଭାବିବାକୁ ହେବ ଯେ ଜଙ୍ଗଲ ଓ ମଣିଷ ଭିତରେ ଭୂତାଣୁ କିଭଳି ଆସିଲା। କରୋନା ମହାମାରୀ ସମୟରେ ଯଦି ଜଣେ ବ୍ୟକ୍ତି ଟିକା ନେଇ ନାହାନ୍ତି ତା’ହାଲେ କୌଣସି ବ୍ୟକ୍ତି ସୁରକ୍ଷିତ ନୁହନ୍ତି। ‌ଠିକ୍ ସେହିଭଳି ପରିବେଶ ସୁରକ୍ଷିତ ନ ହେଲେ ପୃଥିବୀ ସୁରକ୍ଷିତ ନୁହେଁ ବୋଲି କହିଛନ୍ତି ବିଶିଷ୍ଟ ପରିବେଶବିତ ତଥା ସିଏସ୍‌ଇର ମହାନିର୍ଦେଶିକା ପଦ୍ମଶ୍ରୀ ସୁନୀତା ନାରାୟନ୍।

ପଞ୍ଚମୀ ମାନୁ ଉକିଲଙ୍କ ସହିତ ଆଲୋଚନା ସମୟରେ ଶ୍ରୀମତୀ ନାରାୟନ୍ କହିଥିଲେ ଯେ ଜଳବାୟୁ ପରିବର୍ତନ ଏକ ସତ୍ୟ, ଏହାକୁ ସ୍ବୀକାର କରିବାକୁ ହେବ। ଜଳବାୟୁ ପରିବର୍ତନର ପ୍ରଭାବ ଚାରିଆଡ଼େ ଦେଖିବାକୁ ମିଳୁଛି। ଏ ଦୃଷ୍ଟିରୁ ଓଡ଼ିଶା ଏକ ସମ୍ବେଦନଶୀଳ ରାଜ୍ୟ ପାଲଟି ଯାଇଛି। ହେଲେ ପାଣିପାଗ ବିଭାଗର ଆଗୁଆ ସତର୍କ ସୂଚନା ଯୋଗୁଁ ଜୀନଜୀବନ ରକ୍ଷା ସମ୍ଭବ ହୋଇପାରୁଛି। ଯାହାକି ମହାବାତ୍ୟା ସମୟରେ ହୋଇପାରି ନ ଥିଲା। ଜଳବାୟୁର ପରିବର୍ତନ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଉପରେ ଯଥେଷ୍ଟ ପ୍ରଭାବ ପକାଉଛି। ବନ୍ୟା/ବାତ୍ୟା/ମରୁଡ଼ି ଗ୍ରାମାଞ୍ଚଳର ଲୋକଙ୍କ ଅଣ୍ଟା ଭାଙ୍ଗି ଦେଉଛି। ପାଣି ଓ ଭୂମିର ଉପଯୁକ୍ତ ପରିଚାଳନାର ଅଭାବ ମଧ୍ୟ ଜଳବାୟୁ ପରିବର୍ତନର ଏକ ଅଂଶ। ଓଡ଼ିଶା, ବିହାର ଓ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ପାରମ୍ପାରିକ ଭାବେ ଜଳ ବେଶ୍ ଉପଯୁକ୍ତ ପରିଚାଳନା ହେଉଥିଲା। ମାତ୍ର ଏବେ ସମସ୍ତେ ହ୍ରଦ, ପୋଖରୀ ଆଦିକୁ ନଷ୍ଟ କରିବାରେ ଲାଗିଛୁ। ଜୀବାଶ୍ମ ଇନ୍ଧନ ଉପରେ ଆଧାରିତ ବିଶ୍ବ ଅର୍ଥନୀତିରୁ ଆମକୁ ବାହାରିବାକୁ ହେବ। ତେଣୁ ପଶ୍ଚିମ ଦେଶମାନଙ୍କୁ ଏଥିପାଇଁ ଅନେକ କିଛି କରିବାକୁ ହେବ।

ଭାରତକୁ ବିଶ୍ବର ତୃତୀୟ କାର୍ବନ ବିଷାକ୍ତ ଧୂଆଁ ନିର୍ଗତ କରୁଥିବା ଦେଶ ବୋଲି କୁହାଯାଉଛି। ଭାରତ ତୁଳନାରେ ଚୀନ୍ ୧୦ ଗିଗାୱାଟ୍‌, ଆମେରିକା ୫ ଗିଗାୱାଟ ନିର୍ଗତ କରୁଛନ୍ତି। ହେଲେ ପଶ୍ଚିମ ଦେଶମାନଙ୍କ ସହିତ ଭାରତକୁ ତୁଳନା କରାଯାଇ ପାରିବ ନାହିଁ। ପୂର୍ବରୁ ଧନୀ ଦେଶମାନେ ଅଧିକ ଧୂଆଁ ନିର୍ଗମନ କରୁଥିଲେ, ଆଗକୁ ହୁଏତ ଗରିବ ଦେଶମାନେ ବାୟୁମଣ୍ଡଳକୁ ପ୍ରଦୂଷିତ କରିବେ। ତେଣୁ ଶୂନ୍ୟ ନିର୍ଗମନ ବା ନେଟ୍‌ ଜିରୋ ଏମିସନ୍ ଏକ ଭୁଲ ଧାରଣା। ତେଣୁ ଏହା ଉପରେ ଗଭୀର ଭାବେ ବିଚାର କରିବାର ସମୟ ଆସିଛି। ପରିବେଶ ସଚେତନତା ଦିଗରେ ଗଣମାଧ୍ୟମ କ୍ଷେତ୍ରରେ ଏକ ବିରାଟ ଶୂନ୍ୟ ସ୍ଥାନ ରହିଛି। ସ୍ବରହୀନଙ୍କ ସ୍ବର ପାଲଟି ଗଣମାଧ୍ୟମ ପରିବେଶକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବା ଦରକାର। ‘ସମ୍ବାଦ’ର ଏଭଳି ପ୍ରୟାସ ଆଗାମୀ ଦିନରେ ପରିବେଶ ସଚେତନତା ଦିଗରେ ବିଶେଷ ସହାୟକ ହୋଇପାରିବ ବୋଲି ଶ୍ରୀମତୀ ନାରାୟନ୍ ମତ ରଖିଥିଲେ।

The post ଶୂନ୍ୟ ନିର୍ଗମନ ଏକ ଭୁଲ ଧାରଣା: ସୁନୀତା ନାରାୟନ୍ first appeared on Sambad.

from ବିଶେଷ | Sambad https://ift.tt/37VyflE

Post a Comment

0 Comments