ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନର ସୂତ୍ରଧର ସୌମ୍ୟ

ଗୋଟିଏ ନୁହେଁ ଅନେକ ସୌମ୍ୟର ସମାହାର
ଜୟନ୍ତୀରେ ପ୍ରଶଂସାରେ ଶତମୁଖ

ଭୁବନେଶ୍ବର : ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନର ସୂତ୍ରଧର ହେଉଛନ୍ତି ସୌମ୍ୟରଂଜନ ପଟ୍ଟନାୟକ। ସେ କେବଳ ଗୋଟିଏ ସୌମ୍ୟ ନୁହନ୍ତି, ଅନେକ ସୌମ୍ୟର ସମାହାର। ରକ୍ତଦାନ, ସାଂସ୍କୃତିକ ଚେତନା, ଭାଷା, ସାହିତ୍ୟ, ରେଡିଓ, ଟିଭି ଏବଂ ଆଜି ଡିଜିଟାଲ। ପ୍ରତ୍ୟେକ କ୍ଷେତ୍ରରେ ସେ ନୂତନ ପରିବର୍ତ୍ତନ ଆଣିଛନ୍ତି। ‘ସମ୍ବାଦ’ ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ୭୦ ତମ ଜୟନ୍ତୀ ଅବସରରେ ଓଡ଼ିଶା ଜନସେବା ମଞ୍ଚ ପକ୍ଷରୁ ଭର୍ଚୁଆଲ ମୋଡ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ଭାଗନେଇ ବିଶିଷ୍ଟ ବକ୍ତାମାନେ ଏହି ମତ ପ୍ରକାଶ କରିଛନ୍ତି।

 

କାର୍ଯ୍ୟକ୍ରମରେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ କହିଲେ, ବାସି ଖବର ଯୁଗ ଶେଷ କରି ନୂତନ ଜ୍ଞାନକୌଶଳ ସହିତ ଓଡ଼ିଶା ସାମ୍ବାଦିକତାର ନୂତନ ଧାରା ଆରମ୍ଭ ହୋଇଥିଲା। ଅଳ୍ପ ଦିନରେ ଏଭଳି ଚ୍ୟାଲେଞ୍ଜ ସୃଷ୍ଟି କଲା ଯେ ‘ସମ୍ବାଦ’ ସମସ୍ତଙ୍କ ପାଇଁ ଅନୁକରଣୀୟ ହୋଇଗଲା। ୩୭ ବର୍ଷ ହେଲା ବେସରକାରୀ ଭାବରେ ରାଜ୍ୟର ସର୍ବାଧିକ ପ୍ରଭାବଶାଳୀ ଏବଂ ଜନାଦୃତ ବ୍ୟକ୍ତିଙ୍କ ମଧ୍ୟରେ ଅନ୍ୟତମ ହେଲେ ସୌମ୍ୟରଂଜନ। ସେ ବିଭିନ୍ନ ରାଜନୈତିକ ଦଳକୁ ଯାଇଛନ୍ତି ମାତ୍ର ରାଜନୀତି ପାଇଁ ଖବରକାଗଜକୁ ଅସ୍ତ୍ର କରି ନାହାନ୍ତି। କେବଳ ଖବର ପରିବେଷଣ କ୍ଷେତ୍ରରେ ନୁହେଁ ଆଜି ସମ୍ବାଦ ସାମ୍ବାଦିକ ତିଆରି କାରଖାନାରେ ପରିଣତ ହେଲାଣି। ବୈଦୁତିକ, ଛାପା ସବୁଠି ସମ୍ବାଦରୁ ସୃଷ୍ଟି ସାମ୍ବାଦିକ ଅଛନ୍ତି। ତାଙ୍କର ପ୍ରତିଭା, ସାଧନା ଏବଂ ଅଧ୍ୟବସାୟ ପରବର୍ତ୍ତୀ ପିଢ଼ିକୁ ପ୍ରଭାବିତ କରୁ ବୋଲି ପ୍ରଦୋଷ ପଟ୍ଟନାୟକ କହିଥିଲେ।

ସାମ୍ବାଦିକ ଜୟନ୍ତ ଦାସ କହିଲେ, ସୌମ୍ୟରଂଜନ ଏଭଳି ନିଆରା ବ୍ୟକ୍ତିତ୍ବ ସେହି ଖିଅ କେଉଁଠୁ ଆରମ୍ଭ ହୋଇଛି କୁହାଯାଇ ପାରିବ ନାହିଁ। ସର୍ବକନିଷ୍ଠ ଅଧ୍ୟାପକରୁ ରାଜନେତା, ସାମ୍ବାଦିକ। ତାଙ୍କ ଲିଖିତ ଆମ ଘରର ହାଲଚାଲ ଉତ୍କଣ୍ଠାର ସହିତ ଅପେକ୍ଷା କରାଯାଉଥିବା ସର୍ବାଧିକ ଚର୍ଚିତ ସ୍ତମ୍ଭ ବୋଲି ଶ୍ରୀ ଦାସ କହିଥିଲେ। ୧୯୮୪ ମସିହା ବେଳକୁ ଓଡ଼ିଶାରେ ବୃତ୍ତିଗତ ଗଣମାଧ୍ୟମ ନଥିଲା। ଏଥିଯୋଗୁଁ ଓଡ଼ିଆଙ୍କ ସ୍ବର ଦିଲ୍ଲୀ ଦରବାର ପର୍ଯ୍ୟନ୍ତ ପହଞ୍ଚି ପାରୁନଥିଲା। ସୌମ୍ୟରଂଜନ ସେହି ଶୂନ୍ୟସ୍ଥାନ ପୂରଣ କଲେ। ନୂତନ କିଛି କରିବାର ଆକାଂକ୍ଷା ତାଙ୍କ ଭିତରେ ସର୍ବଦା ରହିଥିବାରୁ ଅନେକ ଧାରାର ସ୍ରଷ୍ଟା ହେଲେ। ସେ ସମୟରେ ସମ୍ବାଦପତ୍ରରେ ପ୍ରାତଃ ସଂସ୍କରଣ ପ୍ରକାଶିତ ହେଉନଥିଲା। ସମ୍ବାଦ ଏହା ଆରମ୍ଭ କଲା। ଏଥିସହିତ ରକ୍ତଦାନ, ଭାଷା, ବୃକ୍ଷରୋପଣ ଆଦି ଅନେକ କାର୍ଯ୍ୟ ସେ କରୁଛନ୍ତି ବୋଲି ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ କହିଛନ୍ତି।

ସାହିତ୍ୟିକ ବୈଷ୍ଣବ ସାମଲ କହିଲେ, ସୌମ୍ୟରଂଜନ ବ୍ୟକ୍ତି ନୁହନ୍ତି ବରଂ ଏକ ଅନୁଷ୍ଠାନ। ଓଡ଼ିଆ ଅସ୍ମିତାର ଦୀପ୍ତିମନ୍ତ ପ୍ରତୀକ। ପାରମ୍ପରିକ ଶୈଳୀକୁ ପରିବର୍ତ୍ତନ କରିବାରେ ଅଗ୍ରଣୀ। ସାମ୍ବାଦିକ ସତ୍ୟ ରାୟ କାର୍ଯ୍ୟକ୍ରମରେ ଭାଗନେଇ ସୌମ୍ୟରଂଜନ ଅନ୍ୟାୟ, ଅନୀତି ଏବଂ ଦୁର୍ନୀତି ବିରୋଧରେ ଲଢ଼େଇ କରୁଥାନ୍ତୁ ବୋଲି କହିଥିଲେ। ସମ୍ବାଦରେ ପ୍ରକାଶିତ ତାଙ୍କ ସ୍ତମ୍ଭହିଁ ତାଙ୍କ ପ୍ରଜ୍ଞାର ପରିଚୟ। ସୌମ୍ୟରଂଜନ ବିଶିଷ୍ଟ ସାହିତ୍ୟିକଙ୍କୁ ନେଇ ସାରସ୍ବତ ଅଭିଯାନ ଆରମ୍ଭ କରିଛନ୍ତି। ଓଡ଼ିଆରେ ପଞ୍ଜିକା ପ୍ରକାଶନ ମଧ୍ୟ ତାଙ୍କର ନିଆରା କାର୍ଯ୍ୟକଳାପ ମଧ୍ୟରୁ ଅନ୍ୟତମ ବୋଲି ପ୍ରଦୁମ୍ନ ଶତପଥୀ କହିଥିଲେ। ଯୁଧିଷ୍ଠିର ଖଟୁଆ, ସୌମ୍ୟରଂଜନଙ୍କୁ ଜ୍ଞାନଯୋଗୀ ଏବଂ କର୍ମଯୋଗୀ ବୋଲି ଅଭିହିତ କରିଥିଲେ। କେଶବ ଦାଶ, ଉମାଶଙ୍କର ସାହୁ ଶ୍ରୀ ପଟ୍ଟନାୟକଙ୍କୁ ଅନେକ ଅନୁଷ୍ଠାନର ସଫଳ ପ୍ରବନ୍ଧକ ଭାବେ ବର୍ଣ୍ଣନା କରିଥିଲେ। ଭାବଗ୍ରାହୀ ରାଉତ ସ୍ବାଗତ ଭାଷଣ ଦେଇଥିବା ବେଳେ ବିକାଶ ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

The post ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନର ସୂତ୍ରଧର ସୌମ୍ୟ first appeared on Sambad.

from ବିଶେଷ | Sambad https://ift.tt/2Xv3LVw

Post a Comment

0 Comments