
ରାଜସ୍ଥାନ ଅନ୍ତର୍ଗତ ଜୋଧପୁର ପୌର ନିଗମରେ ମହିଳା ମେହେନ୍ତର ଭାବେ କାମ କରି ଆସୁଥିବା ୪୦ ବର୍ଷୀୟା ଆଶା କଣ୍ଡରା ଏଣିକି ରାଜସ୍ଥାନ ପ୍ରଶାସନ ସେବାର ଜଣେ ଉପଜିଲ୍ଲାପାଳ ଭାବେ ପରିଚିତ ହେବେ। ଏହା କୌଣସି ଭାଗ୍ୟବଳରେ ନୁହେଁ, ବରଂ ନିଜ ଅଧ୍ୟବସାୟ ଫଳରେ ସମ୍ଭବ ହୋଇପାରିଛି।
ଆଶାଙ୍କୁ ଯେତେବେଳେ ୧୭ ବର୍ଷ, ପରିବାର ଲୋକେ ତାଙ୍କ ବିବାହ କରିଥିଲେ। ତାଙ୍କର ଦୁଇଟି ସନ୍ତାନ ଜନ୍ମ ନେଇଥିଲା ବେଳେ ତାଙ୍କ ଦାମ୍ପତ୍ୟ ଜୀବନ ବେଶୀ ଦିନ ତିଷ୍ଠିନଥିଲା। ୨୦୧୩ରେ ବିବାହ ବିଚ୍ଛେଦ ପରେ ଦୁଇ ସନ୍ତାନଙ୍କୁ ସାଙ୍ଗରେ ଧରି ସେ ପିତ୍ରାଳୟକୁ ଫେରିଥିଲେ। ନିଜ ସନ୍ତାନଦ୍ବୟଙ୍କ ଉଜ୍ବଳ ଭବିଷ୍ୟତ ହିଁ ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା। ସେଥିପାଇଁ ଶିକ୍ଷା ହିଁ ଭରସା ବୋଲି ଅନୁଭବ କରି ସେ ୨୦୧୪ ମସିହାରେ ପଢ଼ାପଢ଼ି ଆରମ୍ଭ କରି ୨୦୧୬ରେ ସ୍ନାତକ ଡିଗ୍ରି ହାସଲ କରିଥିଲେ। ତେବେ ଜୀବିକା ନିର୍ବାହ ପାଇଁ ସେ ଯୋଧପୁର ପୌରନିଗମରେ ମେହେନ୍ତର ଚାକିରି କରିଥିଲେ। ସ୍ବାମୀ ପରିତ୍ୟକ୍ତା ତଥା ଜଣେ ସଫେଇ କର୍ମୀ ଭାବରେ ତାଙ୍କୁ ନାନା ସାମାଜିକ ପରିହାସ ସାମନା କରିବାକୁ ପଡ଼ିଥିଲା। ମାତ୍ର ନିଜ ଲକ୍ଷ୍ୟପଥରୁ ସେ ବିଚ୍ୟୁତ ନହୋଇ ନିଜେ କିଛି କରି ସମାଜକୁ ଉଚିତ ଜବାବ ଦେବାକୁ ଦୃଢ଼ମନା ହୋଇ ବିଭିନ୍ନ ଚାକିରି ପାଇଁ ପ୍ରତିଯୋଗିତାମୂଳକ ପରୀକ୍ଷା ଦେବାକୁ ପ୍ରସ୍ତୁତି ଚଳାଇଲେ।
ଏହି ଅବସରରେ ୨୦୧୮ ମସିହାରେ ରାଜସ୍ଥାନ ପ୍ରାଶାସନିକ ସେବାର ପ୍ରାଥମିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆଶା ଅକ୍ଟୋବରରେ ଚୂଡ଼ାନ୍ତ ପରୀକ୍ଷା ଦେଇଥିଲେ। ତେବେ ମହାମାରୀ ଯୋଗୁଁ ପରୀକ୍ଷା ଫଳ ବାହାରିବାରେ ଘୋର ବିଳମ୍ବ ହୋଇଥିଲା। ଶେଷରେ ଦୀର୍ଘ ତିନି ବର୍ଷକାଳ ଧୈର୍ଯ୍ୟର ସହ ପ୍ରତୀକ୍ଷା କରି ଗତ ମାସ ୧୩ ତାରିଖରେ ପ୍ରକାଶିତ ପରୀକ୍ଷା ଫଳରେ ସେ କୃତକାର୍ଯ୍ୟ ହୋଇଥିବା ଜାଣି ତାଙ୍କ ଆନନ୍ଦର ସୀମା ରହିଲାନି। ନିଜର ସାମାଜିକ ସ୍ଥିତି ପାଇଁ ଲୋକଙ୍କ ଥଟ୍ଟା ପରିହାସ ହିଁ ତାଙ୍କ ମନୋବଳ ବଢ଼ାଇବା ସହ ଏହି ସଫଳତା ଆଣିଦେଇଛି ବୋଲି ଆଶା ସ୍ବୀକାର କରିବା ସହ ଏଣିକି ସମାଜର ଦଳିତ, ନିସ୍ପେଷିତ ଏବଂ ନ୍ୟାୟରୁ ବଞ୍ଚିତମାନଙ୍କ ପାଇଁ କିଛି କରିବା ଲାଗି ତାଙ୍କୁ ସୁଯୋଗ ମିଳିଛି ବୋଲି ଆଶ୍ବସ୍ତି ପ୍ରକାଶ କରିଛନ୍ତି।
The post ସଫେଇ କର୍ମୀରୁ ଉପଜିଲ୍ଲାପାଳ first appeared on Sambad.from ବିଶେଷ | Sambad https://ift.tt/3lkek7Z
0 Comments