ଆଜି ପରସ୍ପରର ନିକଟତର ହେବେ ଶନି ଓ ପୃଥିବୀ

ନୂଆଦିଲ୍ଲୀ: ବର୍ଷକ ମଧ୍ୟରେ ଆଜି ଗ୍ରହ ଶନି ଓ ପୃଥିବୀ ପରସ୍ପରର ନିକଟବର୍ତ୍ତୀ ହେବେ ଏବଂ ରାତ୍ରୀ ସମୟରେ ସମ୍ପୃକ୍ତ ଅଞ୍ଚଳବାସୀମାନେ ବଳୟ-ଶୋଭିତ ଗ୍ରହ ଶନିକୁ ଦେଖିପାରିବେ। ସୋମବାର ପ୍ରତ୍ୟୁଷ ହେଉଛି ଏହି ଦୃଶ୍ୟ ଦେଖିବାର ପ୍ରକୃଷ୍ଟ ସମୟ ବୋଲି ‘ନାସା’ କହିଛି। ‘ନାସା’ କହିବା ଅନୁସାରେ, ଆଜି ଦିନରେ ପୃଥିବୀ ଠାରୁ ଶନି ସିଧାସଳଖ ସୂର୍ଯ୍ୟର ସମ୍ମୁଖରେ ରହିବ। ଏଥିପାଇଁ ରାତି ତମାମ ଶନି ଗ୍ରହ ଦୃଶ୍ୟମାନ ହେବ। ମଧ୍ୟରାତ୍ର ବେଳକୁ ଏହି ଦୃଶ୍ୟ ସୁସ୍ପଷ୍ଟ ହେବ।

ପଠାଣି ସାମନ୍ତ ପ୍ଲାନେ‌ଟରିୟମ୍‌ର ଉପନିର୍ଦେଶକ ଡକ୍ଟର୍ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ଯେ, ଭାରତୀୟ ସମୟ ଅନୁସାରେ ଦିନ ୧୧.୩୦ରେ ଶନି ଓ ପୃଥିବୀ ପରସ୍ପରର ନିକଟତର ହେବେ। ଭାରତରେ ସେତେବେଳେ ଦିନ ହୋଇଥିବ। କିନ୍ତୁ, ଏ ସମୟରେ ଯେଉଁଠି ରାତି ହୋଇଥିବ ସେଠାକାର ଲୋକେ ଉଜ୍ଜ୍ବଳ ଦିଶୁଥିବା ଶନିଗ୍ରହ ଦେଖିପାରିବେ।

Image Courtesy of News Bytes

ସେ ଆହୁରି ମଧ୍ୟ କହିଛନ୍ତି, ଖାଲି ଆଖିକୁ ମଧ୍ୟ ଶନି ଉଜ୍ଜ୍ବଳ ଦିଶିବ ଏବଂ ଅଗଷ୍ଟ ମାସ ସାରା ଲୋକେ ଏହାକୁ ଦେଖିପାରିବେ। ଛୋଟିଆ ଦୂରବୀକ୍ଷଣ ଯନ୍ତ୍ରରେ ଦେଖିଲେ ଶନିର ଅଳ୍ପ କେତୋଟି ଉପଗ୍ରହ ବା ଚନ୍ଦ୍ର ମଧ୍ୟ ଦେଖିହେବ।

ସୂର୍ଯ୍ୟଙ୍କୁ ପ୍ରଦକ୍ଷିଣ କରିବା ଲାଗି ପୃଥିବୀକୁ ପ୍ରାୟ ୩୬୫ଦିନ ଲାଗେ କିନ୍ତୁ, ଶନିକୁ ଲାଗେ ୨୯.୫ ବର୍ଷ। ୨୦୨୦, ଜୁଲାଇ ୨୦ ତାରିଖରେ ମଧ୍ୟ ଶନି ଓ ପୃଥିବୀ ପରସ୍ପରର ନିକଟତର ହୋଇଥିଲେ। ଆସନ୍ତା ବର୍ଷ ଅଗଷ୍ଟ ୧୪ ତାରିଖରେ ମଧ୍ୟ ଏ ଦୁଇ ଗ୍ରହ ପରସ୍ପରର ନିକଟତର ହେବେ।

ପରସ୍ପରର ଅତି ନିକଟତର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ହାରାହାରି ଦୂରତ୍ବ ଥିବ ୧୨୦ କୋଟି କିଲୋମିଟର। ଏହି ଦୂରତ୍ବ ହେଉଛି ଉଭୟ ଗ୍ରହର ସର୍ବାଧିକ ଦୂରତ୍ବ ଠାରୁ ପ୍ରାୟ ୫୦ କୋଟି କିଲୋମିଟର୍‌ କମ୍। ୬ ମାସ ପରେ ଶନି ପୃଥିବୀ ଠାରୁ ପୁନଶ୍ଚ ଦୂରକୁ ଚାଲିଯିବ। ସେତେବେଳକୁ ଶନି ପୃଥିବୀର ଅପରପାର୍ଶ୍ବକୁ ଚାଲି ଯାଇଥିବ।

The post ଆଜି ପରସ୍ପରର ନିକଟତର ହେବେ ଶନି ଓ ପୃଥିବୀ first appeared on Sambad.

from ବିଶେଷ | Sambad https://ift.tt/2WBSVwu

Post a Comment

0 Comments