
ଗୁଣପୁର : ରାୟଗଡ଼ା ଜିଲ୍ଲାର ଗୁଣପୁର ଠାରୁ ଥେରୁବାଲି ପର୍ଯ୍ୟନ୍ତ ୮୦କିମି ରେଳପଥ ସଂଯୋଗୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦାବି ତେଜିଛି। ସେହିପରି ଗୁଣପୁର ରେଳ ଷ୍ଟେସନର ଆଧୁନିକୀକରଣ ସହ ଅନ୍ୟ ଦାବି ନେଇ ଆଜି ଗୁଣପୁର ରେଳ ବିକାଶ ମଞ୍ଚ ପକ୍ଷରୁ ୧୧ଜଣିଆ ଦଳ ସାଇକେଲରେ ରାୟଗଡ଼ା ଅଭିମୁଖେ ଯାତ୍ରା କରିଛନ୍ତି।
ଗୁଣପୁରର ସମାଜସେବୀ ଅକ୍ଷୟ ଦାଶ ଓ ଅବସରପ୍ରାପ୍ତ ସୁବେଦାର ମନୋରଂଜନ ରଥ ଗୁଣପୁର କୋର୍ଟ ଛକ ତ୍ରିନାଥ ମନ୍ଦିର ସମ୍ମୁଖରେ ସବୁଜ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ସାଇକେଲ ଯାତ୍ରୀ ଦଳ ଆଜି ମୁକୁନ୍ଦପୁର ଠାରେ ରାତ୍ରିଯାପନ କରିବେ। ଆସନ୍ତାକାଲି ସକାଳୁ ମୁକୁନ୍ଦପୁରରୁ ବାହାରି ରାୟଗଡ଼ା ଗସ୍ତରେ ଆସୁଥିବା କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସହ ରେଳପଥର ବିକାଶ ନେଇ ଆଲୋଚନା କରିବେ। ଏହି ସାଇକେଲ ଯାତ୍ରାରେ ଅବସରପ୍ରାପ୍ତ ଶିକ୍ଷକ ଜଗଦୀଶ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ରାଧାକୃଷ୍ଣ ପ୍ରଧାନ, ମନୋରଂଜନ ଗୌଡ଼, କେ. କିରଣ କୁମାର, ପ୍ରଦୀପ କୁମାର ନାୟକ, ବୃନ୍ଦାବନ ଶବର, ଉମା ଶଙ୍କର ପ୍ରଧାନ, ଶ୍ରୀତମ ଶବର, ସତ୍ୟ ନାରାୟଣ ମିଶ୍ର, ଭାସ୍କର ଶବର ଏବଂ ଏପଲ ଶବର ସାମିଲ ହୋଇଛନ୍ତି।
ସୂଚନାଯୋଗ୍ୟ, ପାରଳା ମହାରାଜଙ୍କ ସନ୍ତକ ତଥା ସର୍ବପୁରାତନ ଗୁଣପୁର-ନୌପଡ଼ା ରେଳପଥର ଉନ୍ନତୀକରଣ କରାଯିବା ପରେ ବ୍ରଡ୍ ଗଜ୍ରେ ରେଳ ଚଳାଚଳ ହେଉଛି। କିନ୍ତୁ ଏହି ରେଳପଥରେ ଥିବା ଷ୍ଟେସନ ଗୁଡିକରେ ପ୍ଲାଟଫର୍ମର ଉଚ୍ଚତା ବୃଦ୍ଧି କରାଯାଉ ନଥିବା ସହ ସଂରକ୍ଷଣ ଟିକେଟ୍ ବିକ୍ରି ନ ହେବା ଓ ଷ୍ଟେସନ ଗୁଡ଼ିକରେ ଆନୁଷଙ୍ଗିକ ବ୍ୟବସ୍ଥା ହୋଇପାରୁନି। ଏଥିଯୋଗୁ ଯାତ୍ରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ବରିଷ୍ଠ ନାଗରିକମାନେ ରେଳରେ ଯାତାୟାତ କରିବାକୁ ଭୟ କରୁଛନ୍ତି। ଏ ନେଇ ବହୁବାର ରେଳ ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନି। ତେବେ ଆସନ୍ତାକାଲି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଠବ ପ୍ରଥମ କରି ରାୟଗଡ଼ା ଗସ୍ତରେ ଆସୁଥିବାରୁ ଏହି ୧୧ଜଣିଆ ଦଳ ମନ୍ତ୍ରୀଙ୍କୁ ସାକ୍ଷାତ କରି ବିଭିନ୍ନ ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିବାକୁ ରାୟଗଡ଼ା ଅଭିମୁଖେ ସାଇକେଲରେ ଯାତ୍ରା କରିଛନ୍ତି।
The post ଗୁଣପୁର-ଥେରୁବାଲି ରେଳପଥ ସଂଯୋଗୀକରଣ ପ୍ରସଙ୍ଗ: ଅଶ୍ବିନୀଙ୍କୁ ଭେଟିବାକୁ ସାଇକେଲ୍ ଯାତ୍ରା first appeared on Sambad.from ବିଶେଷ | Sambad https://ift.tt/3j288jd
0 Comments