
ବରଗଡ଼ : ବରଗଡ଼ ଜିଲ୍ଲାରେ ଦ୍ବିତୀୟ ରେଳଲାଇନ୍ କେବଳ ଆଶାରେ ଝୁଲୁଛି। ଏଥିସହିତ, ବିଭିନ୍ନ ପ୍ରକଳ୍ପକୁ ନେଇ ଦାବି ହୋଇଆସୁଛି।
ପୂର୍ବରୁ ବରଗଡ଼-ନୂଆପଡ଼ା ଏବଂ ବରଗଡ଼-ବାଗବହରା, କିମ୍ବା ଏହି ଦୁଇ ପ୍ରକଳ୍ପରୁ ଗୋଟିଏ ନେଇ ଦାବି ଉଠୁଥିଲା। ଏଥିରେ ପୁଣି ଯୋଡ଼ି ହୋଇଯାଇଛି ବରଗଡ଼-ଛତିଶଗଡ଼ (ଭାୟା ଭଟଲି, ଅମ୍ବାଭୋନା)। କିଛିଦିନ ତଳେ ନୂଆ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଦିଲ୍ଲୀଠାରେ ସାଂସଦ ସୁରେଶ ପୂଜାରୀଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଭେଟିଥିଲେ। ସେଠାରେ ବରଗଡ଼-ରାୟଗଡ଼(୮୦କିମି) ନୂତନ ରେଳ ଲାଇନ ଭାୟା ଭଟଲି, ଅମ୍ବାଭୋନା, ସରିଆ ଓ ପ୍ରସିଦ୍ଧ ଚନ୍ଦ୍ରହାସିନୀ ପୀଠର ସର୍ଭେ କାର୍ଯ୍ୟ ଆରମ୍ଭ କରିବା ସହ ଏହାକୁ ପୂର୍ଣ୍ଣାଙ୍ଗ ରୂପ ଦେବାକୁ ଦାବି ହୋଇଥିଲା। ଅର୍ଥାତ ନୂଆ ରେଳମନ୍ତ୍ରୀଙ୍କ ପାଖରେ ବରଗଡ଼ରୁ ହିଁ ଗଦା ଗଦା ଦାବି ପଡ଼ିଛି। ତେବେ, କେଉଁ ପ୍ରକଳ୍ପ ବାସ୍ତବରେ ରେଳ ବିଭାଗକୁ ଲାଭ ପ୍ରଦାନ କରିବ ଏହାକୁ ନେଇ ବିତର୍କ ଆରମ୍ଭ ହୋଇଥିବା ଜଣାପଡ଼ିଛି।
ବହୁବର୍ଷ ତଳେ ପ୍ରଥମେ ପଦ୍ମପୁର ଅଂଚଳକୁ ରେଳ ସଂଯୋଗ କରିବା ପାଇଁ ବରଗଡ଼-ନୂଆପଡ଼ା ରେଳଲାଇନର ଯୋଜନା କରାଯାଇଥିଲା । ଏହାଠାରୁ ଯଥେଷ୍ଟ କମ୍ ଦୂରତା ଥିବା ବରଗଡ଼-ବାଗବହରା ପ୍ରକଳ୍ପ ପାଇଁ ମଧ୍ୟ ବିଭିନ୍ନ ସମୟରେ ଦାବି ଉଠିଆସିଛି । ବରଗଡ଼ରୁ ଛତିଶଗଡ଼ର ରାଜଧାନୀ ରାୟପୁରକୁ ସଡ଼କ ପଥରେ ୨୨୦ କିଲୋମିଟର ଦୂରତା। ରେଳପଥରେ ଏହାର ଦୂରତା ୩୪୩ କିଲୋମିଟର। କାରଣ ରେଳରେ ସେଠାକୁ ଟିଟିଲାଗଡ଼ ଦେଇ ଘୂରିକି ଯିବାକୁ ହୁଏ। ତେଣୁ ଉପରୋକ୍ତ କୌଣସି ମଧ୍ୟ ଲାଇନ୍ ହେଲେ ଏହି ଦୂରତା ପ୍ରାୟ ଶହେ କିଲୋମିଟର ହ୍ରାସ ପାଇବ। ତେବେ ବରଗଡ଼-ନୂଆପଡ଼ା ଅପେକ୍ଷା ବରଗଡ଼-ବାଗବହରା ପ୍ରକଳ୍ପରେ ଦୂରତା ଅଧିକ ହ୍ରାସ ପାଇବ । ମାତ୍ର ପଦ୍ମପୁରକୁ ରେଳ ସଂଯୋଗ ହେବନାହିଁ। କିନ୍ତୁ ପଦ୍ମପୁର ଉପଖଣ୍ଡକୁ ରେଳସଂଯୋଗ ପାଇଁ ଦୃଢ଼ ଦାବି ହୋଇଆସୁଛି।
The post ବରଗଡ଼ରୁ ଦ୍ବିତୀୟ ରେଳଲାଇନ୍ ଆଶାରେ ଝୁଲୁଛି first appeared on Sambad.from ବିଶେଷ | Sambad https://ift.tt/3z4rEBm
0 Comments