
୧୯୯୨ ପ୍ରତ୍ୟକ୍ଷ ପୌରାଧ୍ୟକ୍ଷ ନିର୍ବାଚନରେ ବର୍ତ୍ତମାନର ବରଗଡ଼ ସାଂସଦ ସୁରେଶ ପୂଜାରୀ ସମ୍ବଲପୁର ପୌରପାଳିକାର ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ। ଶ୍ରୀ ପୂଜାରୀ ସ୍ବାଧୀନ ପ୍ରାର୍ଥୀ ଭାବେ ଛିଡ଼ା ହୋଇ ବିପୁଳ ଭୋଟ ବ୍ୟବଧାନରେ ଅନ୍ୟ ଦଳୀୟ ପ୍ରାର୍ଥୀ ମାନଙ୍କୁ ପରାଜିତ କରିଥିଲେ।
କଂଗ୍ରେସ୍ରୁ ସତ୍ୟେନ୍ଦ୍ର ବହିଦାର, ଜନତା ପାର୍ଟିରୁ ଅଧ୍ୟାପିକା ଗୀତାଞ୍ଜଳି ବହିଦାର, ବିଜେପିରୁ ବେନିଭୁଜ ସାହୁ, ସିପିଏମ୍ରୁ ବର୍ତ୍ତମାନର ବିଜେଡି ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସ ତଥା ସ୍ବାଧୀନରେ ପୂର୍ବତନ ପୌରାଧ୍ୟକ୍ଷ ସଂଗ୍ରାମ ସାହାଣୀ, ଡ. ମହାଦେବ ପ୍ରଧାନ ଏବଂ ମହାଦେବ ମିଶ୍ର ଛିଡ଼ା ହୋଇଥିଲେ। ସେତେବେଳେ ସୁରେଶ ପୂଜାରୀଙ୍କୁ ଜିତାଇବା ପାଇଁ ସମ୍ବଲପୁର ସହରରେ ଗୋଟିଏ ସ୍ବତନ୍ତ୍ର ମାହୋଲ ସୃଷ୍ଟି ହୋଇଥିଲା। ଏପରିକି ଅନ୍ୟ ଦଳର କାଉନ୍ସିଲର୍ ପ୍ରାର୍ଥୀମାନେ ସଭ୍ୟ ପଦ ପାଇଁ ତାଙ୍କ ନିଜ ଚିହ୍ନରେ ଓ ଅଧ୍ୟକ୍ଷ ପଦ ପାଇଁ ସୁରେଶଙ୍କ କୁରାଢ଼ି ଚିହ୍ନରେ ଭୋଟ ମାଗିବା ନଜିର ରହିଥିଲା। ବିଶେଷକରି କଂଗ୍ରେସ୍ ଓ ଜନତା ଦଳରେ ପ୍ରାର୍ଥୀଙ୍କୁ ନେଇ ଅନ୍ୟ ଆଶାୟୀ ଓ ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲା। ଉକ୍ତ ନିର୍ବାଚନକୁ ନେଇ ସମ୍ବଲପୁର ସହରରେ ସେତେବେଳେ ନାହିଁ ନଥିବା ଉଷ୍ମତା ଓ ଉତ୍ସାହ ଦେଖିବାକୁ ମିଳିଥିଲା। ସହରର ପ୍ରତିଟି ପରିବାରେ ଉକ୍ତ ନିର୍ବାଚନକୁ ନେଇ ଚର୍ଚ୍ଚା ହେଉଥିଲା।
ସୂଚନାଯୋଗ୍ୟ, ଅଶୀ ଦଶକର ଆରମ୍ଭରେ ରାଜ୍ୟରେ ଛାତ୍ର ଆନ୍ଦୋଳନର ନେତୃତ୍ବ ନେଇ ଚର୍ଚ୍ଚାକୁ ଆସିଥିଲେ ସୁରେଶ। ଗଙ୍ଗାଧର ମେହେର ଛାତ୍ର ସଂସଦର ପୂର୍ବତନ ସଭାପତି ତଥା ପଦାର୍ଥ ବିଜ୍ଞାନର ଜଣେ ମେଧାବୀ ଛାତ୍ର ଶ୍ରୀ ପୂଜାରୀ ରାଜ୍ୟ ଛାତ୍ର କ୍ରିୟାନୁଷ୍ଠାନ କମିଟିର ସଭାପତି ହେବା ସେତେବେଳେ ଚର୍ଚ୍ଚାର ବିଷୟ ଥିଲା।
The post ସମ୍ବଲପୁର ପୌରପାଳିକା: ସ୍ବାଧୀନ ପ୍ରାର୍ଥୀ ଭାବେ ବିପୁଳ ଭୋଟରେ ଜିତିଥିଲେ ସୁରେଶ first appeared on Sambad.from ବିଶେଷ | Sambad https://ift.tt/3jwvHRI
0 Comments