ସମ୍ବାଦ ପ୍ରଭାବ: ସ୍ୱର୍ଗତ ଗୋପୀନାଥଙ୍କ ଘର ସ୍ଥିତି ଅନୁଧ୍ୟାନ କଲେ ଇନଟାକ ଟିମ

କୋରାପୁଟ: ‘ସମ୍ବାଦ’ରେ ଖବର ପ୍ରକାଶ ପରେ ଚେଇଁ କରି ଉଠିଛି ସଂସ୍କୃତି ବିଭାଗ। ଆଜି ସାହିତ୍ୟିକ ସ୍ୱର୍ଗତ ଗୋପୀନାଥ ମହାନ୍ତିଙ୍କ ବାସଭବନର ସ୍ଥିତି ଅନୁଧ୍ୟାନ କରିବା ସହ ମାପ ଚୁପ କରିଛନ୍ତି ଭୂବନେଶ୍ୱର ଇନଟାକରୁ ଆସିଥିବା ବୈଷୟିକ ଟିମ । କୋଠାର ସ୍ଥିତି ଅନୁଧ୍ୟାନ କରିବା ସହ ପୁଙ୍ଖାନପୁଙ୍ଖ ମାପଚୁପ କରାଯାଇଛି । କୋଠାର ଉଭୟ ପାର୍ଶ୍ବର ସ୍ଥିତିକୁ ଅନୁଧ୍ୟାନ କରାଯାଇଛି। ଏହାର ଡିପିଆର ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ଜଣାପଡିଛି। ପରେ ରାଜ୍ୟ ସରକାରଙ୍କ ବୈଷୟିକ ଜ୍ଞାନକୌଶଳ ଦ୍ୱାରା ଡିପିଆର ଅନୁମୋଦିତ ହେଲେ ଆରମ୍ଭ କରାଯିବ ସ୍ମାରକୀ ଭବନ ନିର୍ମାଣ କାର୍ଯ୍ୟ।

ଏହି ସ୍ଥିତି ଅନୁଧ୍ୟାନ ସମୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ଦାସ ଓ ଇନଟାକ୍‌ର ଯନ୍ତ୍ରୀ ଅନୁରୂପା ତରାଇ ଉପସ୍ଥିତ ଥିଲେ। ଇଂଟାକର ଟେକେନିକାଲ ଟିମ ପାଇଁ ଆଜି ଖୋଲିଥିଲା ବିଏସଏନଏଲର ସେହି ଗୋଦାମ ଗୃହ । ତେବେ ସଂସ୍କୃତି ଅଧିକାରୀଙ୍କ କହିବା ଅନୁଯାୟୀ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସଂସ୍କୃତି ବିଭାଗଙ୍କ ସମନ୍ୱୟରେ ଖୁବ ଶୀଘ୍ର ବିଏସଏନଏଲର କର୍ତ୍ତୃପକ୍ଷଙ୍କ ନିକଟରୁ ଏନଓସି ଅଣାଯିବା ପାଇଁ ଚିଠି କରାଯାଇଛି। । ଏନଓସି ଆସିଲା ପରେ ସରକାରୀ ନିର୍ଦ୍ଦେଶ ମୁତାବକ ଓ ଡିପିଆରର ମୁତାବକ କାର୍ଯ୍ୟ ଆରମ୍ଭ କରାଯିବ ।

ସୂଚନାଥାଉକି, ୧୯୧୪ ମସିହାରେ କଟକଠାରେ ଜନ୍ମଗ୍ରହଣ କରିଥିବା ଶ୍ରୀ ମହାନ୍ତି କୋରାପୁଟରେ ଚାକିରି କରିବା ସମୟରେ ସେହି ଘରେ ରହି ଜିଲ୍ଲାରେ ରହୁଥିବା ପରଜା ଏବଂ ଆଦିବାସୀଙ୍କୁ ଆଧାର କରି ଦାଦିବୁଢା, ଅମୃତର ସନ୍ତାନ ଭଳି ଉପନ୍ୟାସ ଲେଖିଥିଲେ। ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ମହାନ୍ତି ତାଙ୍କ ଉପନ୍ୟାସ ‘ଅମୃତ ସନ୍ତାନ’ ପାଇଁ ୧୯୫୫ ମସିହାରେ ଜାତୀୟ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ୧୯୪୩ ମସିହାରେ ସେ ପରଜା ଉପନ୍ୟାସ ଲେଖିଥିବା ବେଳେ ଅମୃତର ସନ୍ତାନ ପାଇଁ ସର୍ବଭାରତରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଏହି ଘରେ ଏକ ଅଡିଟୋରିୟମ୍, ଲାଇବ୍ରେରୀ ଏବଂ ଲେଖକଙ୍କ ସହ ଜଡିତ ଅନୁଭୂତିକୁ ନେଇ ଗ୍ୟାଲେରୀ ଏବଂ ଆଦିବାସୀ ପ୍ରାଧାନ୍ୟ ଜିଲ୍ଲାର ଆଦିବାସୀଙ୍କ ସହ ଜଡିତ ଥିବା ତତକାଳୀନ ଫଟୋଗୁଡ଼ିକର ପ୍ରଦର୍ଶନୀ କେନ୍ଦ୍ର ହେବ।

ଦୀର୍ଘ ୨୫ ବର୍ଷ ହେଲା ବିଏସଏନଏଲ ପକ୍ଷରୁ ଏହାକୁ ଗୋଦାମ ଭାବେ ବ୍ୟବହାର କରାଯାଉଛି। ୨୦୧୯ ପୂର୍ବରୁ ଏହି ଘରକୁ ରାଜସ୍ବ ବିଭାଗ ପକ୍ଷରୁ ବିଏସଏନଏଲକୁ ପ୍ରଦାନ କରାଯାଇଥିଲା। ସେବେଠାରୁ ଏହାକୁ ମୁଖ୍ୟ ହବ୍‌ ଭାବେ ବ୍ୟବହାର କରାଯାଉଛି। ଏଠାରୁ କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡାକୁ ଟେଲିକମ୍‌ର ବିଭିନ୍ନ ଜିନିଷପତ୍ର ପ୍ରଦାନ କରାଯାଇଥାଏ।

The post ସମ୍ବାଦ ପ୍ରଭାବ: ସ୍ୱର୍ଗତ ଗୋପୀନାଥଙ୍କ ଘର ସ୍ଥିତି ଅନୁଧ୍ୟାନ କଲେ ଇନଟାକ ଟିମ first appeared on Sambad.

from ବିଶେଷ | Sambad https://ift.tt/3rlq9vp

Post a Comment

0 Comments