୪୦ବର୍ଷ ପରେ ଘରକୁ ଫେରି ପତ୍ନୀ ଓ ଝିଅର ମୃତ୍ୟୁ ହୋଇସାରିଥିବା ଜାଣି ଭୋଭୋ ହୋଇ କାନ୍ଦିଲେ ବୃଦ୍ଧ

ନୂଆଦିଲ୍ଲୀ /ଗଞ୍ଜାମ : ୧୯୭୦ ମସିହାରୁ କାମ ଖୋଜି ଗାଁ ଛାଡି ମୁମ୍ବାଇ ଅଭିମୁଖେ ଯାଇଥିବା ବ୍ୟକ୍ତି ୪୦ବର୍ଷ ପରେ ଘରକୁ ଫେରିଛନ୍ତି। ଉକ୍ତ ବ୍ୟକ୍ତିଙ୍କ ନାମ ସୀମାଞ୍ଚଳ ମହାପାତ୍ର ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, କାମ ‌ଖୋଜିବାକୁ ସୀମାଞ୍ଚଳ ମହାପାତ୍ର ମୁମ୍ବାଇରେ ଯାଇଥିଲେ। ସେଠାରେ ସେ ସିଭିଲ କଣ୍ଟ୍ରାକ୍ଟର ଭାବେ କାମ କରିଥି‌ଲେ । ଅନେକଦିନ ଧରି କାମ କରିବା ସତ୍ତ୍ବେ ତାଙ୍କୁ ମାଲିକ ପାରିଶ୍ରମିକ ଦେଇ ନଥିଲେ। ଏଥିରେ ସେ ନିରାଶ ହୋଇ ଘରକୁ ଫେରି ଆସିବେ ବୋଲି ନିଷ୍ପତ୍ତି ନେଇଥିଲେ।

ଏହାପରେ ସେ ସାଥୀରେ ନେଇଥିବା ସମସ୍ତ ଜିନିଷପତ୍ର ଧରି ଷ୍ଟେସନରେ ପହଞ୍ଚିଥିଲେ। ଷ୍ଟେସନରେ ଥିବା ଏକ ଟ୍ରେନଟି ବ୍ରହ୍ମପୁର ଯିବ ବୋଲି ଭାବି ସୀମାଞ୍ଚଳ ସେଥିରେ ଚଢ଼ି ଯାଇଥି‌ଲେ। ତେବେ ଏହି ଟ୍ରେନଟି ବ୍ରହ୍ମପୁର ବଦଳରେ ମଧ୍ୟପ୍ରଦେଶର ବୁରହାନପୁରରେ ଯାଇ ପହଞ୍ଚିଥିଲା । ଷ୍ଟେସନରେ ଓହ୍ଲାଇବା ପରେ ଟିଟି ତାଙ୍କ ଟିକେଟ ଯାଞ୍ଚ କରିଥିଲା। ସୀମାଞ୍ଚଳଙ୍କ ପାଖରେ ଟିକେଟ ନଥିବାରୁ ସେ ଗିରଫ ହୋଇଥିଲେ। ପରେ ପଚରାଉଚରା ପରେ ପୁଲିସ ତାଙ୍କୁ ଛାଡି ଦେଇଥିଲା।

ପାଖରେ ଯେତିକି ଟଙ୍କା ଥିଲା ତାହା ସରିଯିବା‌ ପରେ ସୀମାଞ୍ଚଳ ଭୋକିଲା ରହିଥିଲେ। ତା’ପରେ କାମ ଖୋଜିବା ଆରମ୍ଭ କରିଥିଲେ। ଧୀରେଧୀରେ ବୟସ ବଢ଼ିବା ସହିତ ସେ କାମ ବି କରି ପାରିଲେ ନାହିଁ। ତେଣୁ ତାଙ୍କୁ କେହି କାମରେ ରଖିବାକୁ ରାଜି ହେଲେ ନାହିଁ। ଏହାପରେ ସେ ରାସ୍ତାକଡ଼ରେ, ପୋଲ ତଳେ ରହି ଦିନ କାଟୁଥିଲେ। ଏହି ସମୟରେ ତାଙ୍କୁ ଏକ ପରିବାର ଖାଇବାକୁ ଦେଉଥିଲେ।

କିଛିଦିନ ତଳେ ରୋଟେ ବ୍ୟାଙ୍କ ଚଳାଉଥିବା ସଞ୍ଜୟ ସିନ୍ଦେଙ୍କ ସହିତ ସୀମାଞ୍ଚଳଙ୍କ ଭେଟ ହୋଇଥିଲା। ସେ କେବଳ ଗୋଟିଏ କଥା କହିଥିଲେ ତାଙ୍କୁ। ମରିବା ପୂର୍ବରୁ ସେ ଘରକୁ ଫେରିବାକୁ ଚାହୁଁଛନ୍ତି। ଏହାପରେ ସିନ୍ଦେ ସୀମାଞ୍ଚଳ କେଉଁଠି ରହୁଥିଲେ ସେ ସମ୍ପର୍କରେ ପଚରାଉଚରା ପରେ ଘରକୁ ପଠାଇବାରେ ସଫଳ ହୋଇଥିଲେ କିନ୍ତୁ ଦୁଃଖର ବିଷୟ ଘରେ ପହଞ୍ଚିଲା ବେଳକୁ ସୀମାଞ୍ଚଳଙ୍କ  ସ୍ତ୍ରୀ ଓ ଝିଅର ମୃତ୍ୟୁ ହୋଇସାରିଥିଲା।

 

The post ୪୦ବର୍ଷ ପରେ ଘରକୁ ଫେରି ପତ୍ନୀ ଓ ଝିଅର ମୃତ୍ୟୁ ହୋଇସାରିଥିବା ଜାଣି ଭୋଭୋ ହୋଇ କାନ୍ଦିଲେ ବୃଦ୍ଧ first appeared on Sambad.

from ବିଶେଷ | Sambad https://ift.tt/3euSg6e

Post a Comment

0 Comments