ସରକାରୀ ସହାୟତା ମିଳିବା ପୂର୍ବରୁ ଆରପାରିକୁ ଚାଲିଗଲେ ଡାଗି ସାୟା 

ରା.ଉଦୟଗିରି: ଦେଖିବାକୁ ବୁଢା, ହେଲେ କାଗଜରେ ଭେଣ୍ଡିଆ ଶୀର୍ଷକ ଖବର ‘ସମ୍ବାଦ’ରେ ପ୍ରକାଶନ ପରେ ନୂଆଗଡ ବ୍ଲକ୍‌ ଆତରସିଂ ପଞ୍ଚାୟତ ପକ୍ଷରୁ ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ତତ୍ପରତା ପ୍ରକାଶ ପାଇଥିଲା। ତେବେ ଦୁର୍ଭାଗ୍ୟର ବିଷୟ ୬୫ବର୍ଷରୁ ଉର୍ଦ୍ଧ୍ବ ବୟସ୍କା ଦାଗି ସାୟାକୁ ସରକାରୀ ସହାୟତା ମିଳିବା ପୂର୍ବରୁ ଆରପାରିକି ଚାଲିଯାଇଛନ୍ତି। ଜ୍ୱରରେ ପୀଡିତ ହୋଇ ଦାଗି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।

ତେବେ ପ୍ରକୃତ କଥା ହେଲା ଡାଗି ସାୟା ବଞ୍ଚିଥିଲେ ମଧ୍ୟ ତାକୁ ସରକାରୀ ସହାୟତା ମିଳିନଥାନ୍ତା। କଥା ହେଲା ଡାଗି ସାୟା ପାଖରେ ଥିବା ଭୋଟର କାର୍ଡରେ ତାକୁ ୬୫ବର୍ଷ ହୋଇଥିବା କଥା ଉଲ୍ଲେଖ ଥିଲା। ଆଉ ବିଡମ୍ବନାର କଥା ହେଲା ପଞ୍ଚାୟତ ପାଖରେ ଥିବା ଭୋଟର ତାଲିକାରେ ଡାଗି ସାୟାକୁ ୫୬ ହୋଇଥିବା ଉଲ୍ଲେଖ ଥିଲା। ଯେଉଁଥିପାଇଁ ଡାଗି ସାୟା ସରକାରୀ ସହାୟତା ପାଇବା ପାଇଁ ସମସ୍ତ ଯୋଗ୍ୟତା ଥିବା ସତ୍ତ୍ୱେ ଏଥିରୁ ବଞ୍ଚିତ ହେଲା। ଆଉ ସରକାରୀ ନିୟମରେ ବନ୍ଧା ପଞ୍ଚାୟତ ମଧ୍ୟ ନିଜ ପାଖରେ ଥିବା ଭୋଟର ତାଲିକାକୁ ଜାବୋଡି ଧରି ବସିଥିଲା। ସରକାରୀ ନିୟମ ଏମିତି ଯେ ବୃଦ୍ଧକୁ ବୃଦ୍ଧ ବୋଲି ମଧ୍ୟ ମାନିବାକୁ ନାରାଜ।

ଏନେଇ ସାରପଞ୍ଚ ତିମତି ଶବର କହନ୍ତି ଡାଗି ସାୟା କେମିତି ଅଧିକ ବୟସ ଲେଖାଯାଇଥିବା ଭୋଟର କାର୍ଡ ପାଇଲା ଆମେ ଜାଣିନୁ। ଆମକୁ ବ୍ଲକ ପକ୍ଷରୁ ଦିଆଯାଇଥିବା ତାଲିକାରେ ତାକୁ ୫୬ ହୋଇଥିବାରୁ ଆମେ କିଛି କରିପାରିଲୁ ନାହିଁ। ଅର୍ଥାତ ବୁଢ଼ୀ ଭଳି ସ୍ପଷ୍ଟ ଦେଖାଗଲେ ମଧ୍ୟ ସରକାରୀ ତାଲିକାରେ ତ୍ରୁଟି ଥିବା ହେତୁ ଡାଗିକୁ ଭତ୍ତା ମିଳିନଥାନ୍ତା। ମଲା ପରେ ପରିବାର ପକ୍ଷରୁ ଅନୁରୋଧ ମିଳିଲେ ହରିଶ୍ଚନ୍ଦ୍ର ସହାୟତା ମିଳିବ ବୋଲି କୁହାଯାଇଛି।

The post ସରକାରୀ ସହାୟତା ମିଳିବା ପୂର୍ବରୁ ଆରପାରିକୁ ଚାଲିଗଲେ ଡାଗି ସାୟା  first appeared on Sambad.

from ବିଶେଷ | Sambad https://ift.tt/3hL5QEz

Post a Comment

0 Comments