ପୁରୁଷ ପ୍ରଜନନ କ୍ଷମତା ଉପରେ ଟିକାର ପ୍ରଭାବ ନାହିଁ: ଅନୁଧ୍ୟାନ

ନୂଆଦିଲ୍ଲୀ : କୋଭିଡ୍‌ ଟିକାର କୌଣସି ପ୍ରକାର ପ୍ରତିକୂଳ ପ୍ରଭାବ ପୁରୁଷମାନଙ୍କ ପ୍ରଜନନ କ୍ଷମତା ଉପରେ ପଡ଼େନାହିଁ ବୋଲି ସଦ୍ୟ ଏକ ଅନୁଧ୍ୟାନରୁ ଜଣାଯାଇଛି। ଏପରିକି କୋଭିଡ୍‌ ଟିକାର ଦୁଇଟି ଯାକ ମାତ୍ରା ନେଲା ମରେ ମଧ୍ୟ କିଛି ସ୍ବେଚ୍ଛାସେବୀଙ୍କର ଶୁକ୍ରାଣୁ ସ୍ତର ଟିକା ନେବା ପୂର୍ବର ସ୍ତରଠାରୁ ଅଧିକ ରହିଥିବା ଏଥିରୁ ଜଣାଯାଇଛି।

ମିଆମି ବିଶ୍ବବିଦ୍ୟାଳୟର ଗବେଷକମାନଙ୍କ ଦ୍ବାରା ସଂଘଟିତ ଏହି ପରୀକ୍ଷା ନିରୀକ୍ଷାରେ ୪୫ ଜଣ ସ୍ବେଚ୍ଛାସେବୀ ସାମିଲ ହୋଇଥିଲେ। ସେମାନଙ୍କ ଭିତରୁ ୨୧ ଜଣଙ୍କୁ ଫାଇଜର ଟିକା ଓ ୨୪ ଜଣଙ୍କୁ ମଡର୍ଣ୍ଣା ଟିକା ଦିଆଯାଇଥିଲା। ଟିକା ନେବା ପୂର୍ବରୁ ସେମାନଙ୍କର ଆଧାରଭୂତ(ବେସ୍‌ଲାଇନ୍‌) ହାରାହାରି ଶୁକ୍ରାଣୁ ସାନ୍ଦ୍ରତା ମି.ଲି. ପିଛା ୨୬ ନିୟୁତ ଏବଂ ଗତିଶୀଳ ଶୁକ୍ରାଣୁ ସଂଖ୍ୟା ୩୬ ନିୟୁତ ରହିଥିବା ବେଳେ ଟିକାର ଦ୍ବିତୀୟ ମାତ୍ରା ନେଲା ପରେ ଏହି ଦୁଇଟି ରାଶି ଯଥାକ୍ରମେ ୩୦ ନିୟୁତ ଓ ୪୪ ନିୟୁତକୁ ବଢ଼ିଯାଇଥିବା ଜଣାଯାଇଛି। ଏପରିକି ସେମାନଙ୍କଠାରୁ କ୍ଷରିତ ଶୁକ୍ରରସ ପରିମାଣ ମଧ୍ୟ ବଢ଼ିଥିବା ଜଣାଯାଇଛି। ସୁତରାଂ ଟିକା ନେବା ଦ୍ବାରା ପୁରୁଷ ପ୍ରଜନନ କ୍ଷମତାରେ ସକାରାତ୍ମକ ପ୍ରଭାବ ପକାଇଥିବା ଏଥିରୁ ସ୍ପଷ୍ଟ ହୋଇଛି।

ସୂଚନାଯୋଗ୍ୟ, ପୁରୁଷଙ୍କ ଏହି ସବୁଠୁ ଗୁରୁତ୍ବପୂର୍ଣ୍ଣ ଗୁଣ ଉପରେ କୋଭିଡ୍‌ ଟିକା ନିଷ୍ପ୍ରଭ ବୋଲି ଆଗରୁ ଅନୁମାନ କରାଯାଉଥିବା ବେଳେ ଏହି ଅନୁଧ୍ୟାନ ତାହା ପ୍ରମାଣିତ କରିଛି। ଅପରପକ୍ଷେ, ଟିକାକରଣ ଦ୍ବାରା ବନ୍ଧ୍ୟାତ୍ବ ଆଶଙ୍କା ରହିଛି ବୋଲି ଅନ୍ଧବିଶ୍ବାସକୁ ଡରି ଟିକା ନେବାକୁ ବିମୁଖ ହେଉଥିବା ପୁରୁଷମାନେ ଏଣିକି ଟିକା ପ୍ରତି ମନ ବଳାଇବେ ବୋଲି ଆଶା କରାଯାଉଛି।

The post ପୁରୁଷ ପ୍ରଜନନ କ୍ଷମତା ଉପରେ ଟିକାର ପ୍ରଭାବ ନାହିଁ: ଅନୁଧ୍ୟାନ first appeared on Sambad.

from ବିଶେଷ | Sambad https://ift.tt/3q8hkVf

Post a Comment

0 Comments