ଏମ୍‌କେସିଜିରେ ୨୦% ନୂଆ ମାନସିକ ରୋଗୀ

କରୋନା ପାଇଁ ବିଭିନ୍ନ ସମୟରେ କିଛି ନା କିଛି କାରୁଣ୍ୟ ଦେଖିବାକୁ ମିଳୁଛି। କିଏ ନିଜର ଆତ୍ମୀୟଙ୍କୁ ହରାଉଛି ତ ଆଉ କିଏ ବାପା-ମାଆ, ଭାଇ-ଭଉଣୀଙ୍କୁ ହରାଉଛି। ଏହି ଦୁଃଖ ଉପରେ ଆଉ ଏକ ବୋଝ ହୋଇଛି ଆର୍ଥିକ ଦୁରବସ୍ଥା। କରୋନା ପାଇଁ ଜାରି ହୋଇଥିବା ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ପାଇଁ ଦେଶର ଅର୍ଥନୈତିକ କାରବାର ବିଶେଷ ଭାବେ ପ୍ରଭାବିତ ହୋଇଛି। କାହାର ବେପାର ବୁଡ଼ି ଯାଇଥିବା ବେଳେ କିଏ ରୋଜଗାର ହରାଇଛି। ଏହି ସମସ୍ତ କାରଣ ଯୋଗୁଁ ବହୁ ଲୋକ ଏବେ ମାନସିକ ଅବସାଦରେ ରହିଛନ୍ତି। ଏଥିରୁ ମୁକ୍ତି ପାଇବାକୁ ହେଲେ ମନରେ ସକାରାତ୍ମକ ଚିନ୍ତାଧାରା ବଜାୟ ରଖିବାକୁ ବିଶେଷଜ୍ଞମାନେ କହୁଛନ୍ତି। କରୋନା ଯୋଗୁଁ ମାନସିକ ରୋଗୀଙ୍କ ସଂଖ୍ୟା ବଢ଼ିଛି। ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ ମାନସିକ ରୋଗ ବିଭାଗର ଆଉଟ୍‌ଡୋର୍‌କୁ ଆସୁଥିବା ରୋଗୀଙ୍କ ମଧ୍ୟରେ ୨୦ପ୍ରତିଶତ ନୂଆ ରୋଗୀ ରହିଛନ୍ତି, ଯେଉଁମାନେ କି କରୋନା ଯୋଗୁଁ ମାନସିକ ରୋଗର ଶିକାର ହୋଇଥିବା ସୂଚନା ମିଳିଛି।

ମାନସିକ ରୋଗର କାରଣ
କରୋନା ପାଇଁ ଲୋକେ ଚିନ୍ତାରେ ରହିଛନ୍ତି। କିଛି ଲୋକ ନିଜର ଆତ୍ମୀୟସ୍ବଜନଙ୍କୁ ହରାଇଛନ୍ତି। ଏଭଳି ଦୁଃଖଦ ଘଟଣାକୁ ଅନେକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଫଳରେ ସେମାନଙ୍କ ମାନସିକ ବିଷାଦ ବୃଦ୍ଧି ପାଉଛି। ଆଉ କିଛି ଲୋକ ଭୟରେ ଚିନ୍ତାଗ୍ରସ୍ତ ହୋଇପଡ଼ିବା ଦ୍ବାରା ତାଙ୍କର ମାନସିକ ବ୍ୟଗ୍ରତା ବଢ଼ୁଛି। ବର୍ତ୍ତମାନ ଏହି ଦୁଇ ପ୍ରକାର ମାନସିକ ରୋଗ ଅଧିକ ଦେଖିବାକୁ ମିଳୁଛି। ସେହିପରି କିଛି ଲୋକ ପାଗଳାମିର ଶିକାର ମଧ୍ୟ ହେଉଛନ୍ତି।

ମାନସିକ ରୋଗର ଲକ୍ଷଣ
ମାନସିକ ରୋଗର ଶିକାର ହେଉଥିବା ରୋଗୀଙ୍କଠାରେ ଛୋଟଛୋଟ କଥାକୁ ନେଇ ବ୍ୟସ୍ତ ହୋଇ ପଡ଼ିବା, କାହା ସହିତ ଭଲଭାବେ କଥା ନ ହେବା, ଏକୁଟିଆ ସମୟ ବିତାଇବା, କୌଣସି କଥା ବୁଝିବାକୁ ଚେଷ୍ଟା ନ କରିବା, ରାତିରେ ନିଦ ନ ହେବା, ମନରେ ସବୁବେଳେ ଖରାପ ଚିନ୍ତା ଆସିବା, ଗୋଟିଏ କଥାକୁ ବାରମ୍ବାର ମନେ ପକାଇବା ଇତ୍ୟାଦି ଲକ୍ଷଣ ଦେଖା ଦେଇଥାଏ। କରୋନା ସମୟରେ ମାନସିକ ରୋଗର ଶିକାର ହେଉଥିବା କେତେକ ରୋଗୀଙ୍କ କ୍ଷେତ୍ରରେ ଏଭଳି ଲକ୍ଷଣ ଦେଖା ଦେଉଛି। ଏପରିକି କିଛି ଲୋକଙ୍କ କ୍ଷେତ୍ରରେ ଆତ୍ମହତ୍ୟା-ପ୍ରବଣତା ମଧ୍ୟ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ଏଣୁ ସେମାନଙ୍କୁ ତୁରନ୍ତ ଚିକିତ୍ସାର ଅବଶ୍ୟକତା ରହିଛି। ନ ହେଲେ ସେମାନେ ‌ଯେ କୌଣସି ମୁହୂର୍ତ୍ତରେ ନିଜକୁ କ୍ଷତି ପହଞ୍ଚାଇ ପାରନ୍ତି।

ପ୍ରତିକାର ବ୍ୟବସ୍ଥା
ମାନସିକ ରୋଗୀ ଡାକ୍ତରଙ୍କ ପରାମର୍ଶରେ ଉପଯୁକ୍ତ ଔଷଧ ସେବନ କରିବା ସହ ଘରେ ମଧ୍ୟ ସେମାନଙ୍କ ଚିକିତ୍ସା ସମ୍ଭବ। ପରିବାରରେ ସ୍ନେହ ଓ ସମ୍ପର୍କ ରକ୍ଷା କରନ୍ତୁ, ମନ ଭିତରେ ଥିବା ଭାବନାକୁ ପରିପ୍ରକାଶ କରି ନିଜକୁ ହାଲ୍‌କା କରନ୍ତୁ, ପୁରୁଣା କଥାକୁ ଅଧିକ ଭାବନ୍ତୁ ନାହିଁ, ଛୋଟ ପିଲାଙ୍କ ସହିତ ସମୟ ବିତାନ୍ତୁ, ଯୋଗ ଓ ବ୍ୟାୟାମ କରନ୍ତୁ, ମନକୁ ଶାନ୍ତ ରଖନ୍ତୁ, ବିଗତ ଦିନର ଭଲ କଥାଗୁଡ଼ିକ ଚିନ୍ତା କରନ୍ତୁ। ମାନସିକ ସନ୍ତୁଳନ ରକ୍ଷା ପାଇଁ ଭଲ ନିଦ୍ରା ମଧ୍ୟ ଆବଶ୍ୟକ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଆବଶ୍ୟକ ନ ପଡ଼ିଲେ ବାହାରକୁ ଯାଆନ୍ତୁ ନାହିଁ, ଘର ପରିବେଶ ସଫାସୁତରା ରଖି କୋଭିଡ୍‌ ନିୟମ ପାଳନ କରନ୍ତୁ।

ଆସୋସିଏଟ୍‌ ପ୍ରଫେସର, ମାନସିକ ରୋଗ ବିଭାଗ
ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍‌, ବ୍ରହ୍ମପୁର

The post ଏମ୍‌କେସିଜିରେ ୨୦% ନୂଆ ମାନସିକ ରୋଗୀ first appeared on Sambad.

from ବିଶେଷ | Sambad https://ift.tt/3zMAapx

Post a Comment

0 Comments