ସବୁ ବାଧାବିଘ୍ନ ମୁକାବିଲା କରି ପୁଲିସ ସବ୍‌-ଇନ୍‌ସ୍‌ପେକ୍ଟର୍‌ ହେଲେ ୧୮ ବର୍ଷ ବୟସରେ ପିଲା ସହ ସ୍ବାମୀ ବାହାର କରି ଦେଇଥିବା କେରଳୀ ମହିଳା

ତିରୁବନନ୍ତପୁରମ୍‌: ୧୮ ବର୍ଷ ବୟସରେ ପିଲା ସହ ସ୍ବାମୀ ଠାରୁ ତଡ଼ାଖାଇ ଥିବା ଆଜି ଶିବ ନାମ୍ନୀ ଜଣେ ମହିଳା ଜୀବନଯାତ୍ରାରେ ସବୁ ବାଧାବିଘ୍ନ ମୁକାବିଲା କରି ସମ୍ପ୍ରତି ବରକଲାର ପୁଲିସ ସବ୍-ଇନ୍‌ପେକ୍ଟର ହୋଇ ପାରିଛନ୍ତି। କାଞ୍ଜିରାକୁଳମସ୍ଥିତ ‘କେଏନ୍‌ଏମ୍‌ ସରକାରୀ କଲେଜ’ରେ ପ୍ରଥମ ବର୍ଷ ଡିଗ୍ରି ପଢୁଥିବା ବେଳେ ସେ ପରିବାରର ଅମତରେ ଉକ୍ତ ଯୁବକଙ୍କୁ ବିବାହ କରିଥିଲେ। ପିଲା ଜନ୍ମ କରିବା ପରେ ସ୍ବାମୀ ତାଙ୍କୁ ଘରୁ ତଡ଼ି ଦେଇଥିଲେ।

ପରିବାର ଲୋକେ ବି ଘରେ ପୂରାଇ ଦେଲେ ନାହିଁ। ଅଗତ୍ୟା ସେ ଛୁଆପୁଅ ସୂର୍ଯ୍ୟକୁ ଧରି ତାଙ୍କ ଆଈବୁଢ଼ୀର କୁଡ଼ିଆରେ ରହିଲେ। ପରେ କାମ ସନ୍ଧାନରେ ବାହାରି ବିଭିନ୍ନ ସ୍ଥାନରେ ଅବସ୍ଥାନ କରୁଥିଲେ।

ସ୍ବାମୀ ବାହାର କରି ଦେବାରୁ ଆନି ଶିବ କେରଳର ବରକଳାରେ ପର୍ଯ୍ୟଟକମାନଙ୍କୁ ଲେମୋନେଡ୍‌ ଓ ଆଇସ୍‌କ୍ରିମ୍‌ ବିକ୍ରୟ କ‌ରୁଥିଲେ। ଅସୁବିଧା ସତ୍ତ୍ବେ ବଡ଼ ହେବାର ସ୍ବପ୍ନ ସେ ପରିହାର କରି ନ ଥିଲେ।

ଆନି ଶିବଙ୍କୁ ଅଭିନନ୍ଦନ ଜଣାଇ କେରଳ ପୁଲିସ ଟୁଇଟ୍‌ କରିଛି, ମନୋବଳ ଏବଂ ଆତ୍ମବିଶ୍ବାସର ବାସ୍ତବ ଆଦର୍ଶ। ଛଅ ମାସର ଛୁଆ ସହ ସ୍ବାମୀ ଓ ପରିବାର ଦାଣ୍ଡରେ ଠିଆ କରାଇ ଦେଇଥିବା ୧୮ ବର୍ଷୀୟ ତରୁଣୀ ବରକଳା ଥାନା‌ରେ ସବ୍‌-ଇନ୍‌ସ୍‌ପେକ୍ଟର୍‌ ହୋଇଛନ୍ତି।

Image Courtesy of One India

ସମସ୍ତ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇ ଏବେ ୩୧ ବର୍ଷୀୟ ଆନି ଶିବ ବରକଳା ଥାନାରେ ଜଣେ ପ୍ରୋବେସ୍‌ନେରି ସବ୍‌-ଇନ୍‌ପେକ୍ଟର୍‌ ଭାବେ ଯୋଗ ଦେଇଛନ୍ତି।

ଗଣମାଧ୍ୟମକୁ ଶିବ କହିଛନ୍ତି, ବରକଳା ଥାନାରେ ମୋର ନିଯୁକ୍ତି ହୋଇଥିବା କଥା ଅଳ୍ପ ଦିନ ତଳେ ଜାଣିଲି। ସାହାଭରସା ନ ଥାଇ ଛୁଆଟିକୁ ଧରି ସେହି ଜାଗାରେ ହିଁ ମୁଁ ଅନେକ କାନ୍ଦିଥିଲି।

ବରକଳା ଶିବଗିରି ଆଶ୍ରମ ଷ୍ଟଲ୍‌ରେ ଲେମୋନେଡ୍‌, ଆଇସ୍‌କ୍ରିମ୍‌ ଏବଂ ହସ୍ତକର୍ମ ଭଳି ବହୁ ଛୋଟମୋଟ ବେପାର କଲି। ସବୁଥିରେ ବିଫଳ ହେଲି। ତା’ପରେ ଜଣେ ବ୍ୟକ୍ତି ମତେ ପଢ଼ିବାକୁ ଟଙ୍କାପଇସା ଦେବା ସହ ସବ୍‌-ଇନ୍‌ସ୍‌ପେକ୍ଟର୍‌ ପରୀକ୍ଷା ଦେବା ପାଇଁ ପରାମର୍ଶ ଦେଲେ।

ଲୋକେ ପରସ୍ପରଙ୍କୁ ସହଯୋଗ କରିବା ଉଚିତ। ଆତ୍ମନିର୍ଭରଶୀଳ ହେବାକୁ ଇଚ୍ଛୁକ କୌଣସି ମହିଳାଙ୍କୁ ତାଙ୍କ ଜୀବନ କାହାଣୀ ପ୍ରେରିତ କରି ପାରିଲେ ଆନନ୍ଦିତ ହେବେ ବୋଲି ଆନି ଶିବ କହିଛନ୍ତି।

The post ସବୁ ବାଧାବିଘ୍ନ ମୁକାବିଲା କରି ପୁଲିସ ସବ୍‌-ଇନ୍‌ସ୍‌ପେକ୍ଟର୍‌ ହେଲେ ୧୮ ବର୍ଷ ବୟସରେ ପିଲା ସହ ସ୍ବାମୀ ବାହାର କରି ଦେଇଥିବା କେରଳୀ ମହିଳା first appeared on Sambad.

from ବିଶେଷ | Sambad https://ift.tt/3dgYk1y

Post a Comment

0 Comments