
ଭୁବନେଶ୍ବର: ‘ଦି ହେଲ୍ଥ୍ ଆଣ୍ଡ୍ ୱେଲ୍ନେସ୍ ଗ୍ରୁପ୍ ଅଫ୍ ଦି ଓଡ଼ିଶା ସୋସାଇଟି ଅଫ୍ ଆମେରିକାନ୍ସ୍’ (ଓଏସ୍ଏ-ଏଚ୍ଡବ୍ଲୁଜି) ପକ୍ଷରୁ ଡାକ୍ତର ନୀତିନ ଦୋଷୀ ଏବଂ ତାଙ୍କ ପତ୍ନୀ ଡାକ୍ତର ଚାନ୍ଦିନୀ ଦୋଷୀ ସେମାନଙ୍କ ପିତାମାତା ଶ୍ରୀ କହ୍ନେୟାଲାଲ୍ ଓ ଶ୍ରୀମତୀ ଇଚ୍ଛାଗୌରୀ ଦୋଷୀଙ୍କ ସଶ୍ରଦ୍ଧ ସ୍ମୃତିରେ ଓଡ଼ିଶା ସରକାରଙ୍କୁ ଗୋଟାଏ ‘କୋଭିଡ୍ ଟେଷ୍ଟିଙ୍ଗ୍-କମ୍-ଭ୍ୟାକ୍ସିନେସନ୍ ଭ୍ୟାନ୍’ ପ୍ରଦାନ କରିଛନ୍ତି।
‘ଓଏସ୍ଏ-ଏଚ୍ଡବ୍ଲୁଜି’ର ‘ଗୁଡ୍ୱିଲ୍ ଆମ୍ବାସାଡର୍’ ଅଭିନେତା ସବ୍ୟସାଚୀ ମିଶ୍ର ଓଡ଼ିଶା ସରକାରଙ୍କ ଜନସ୍ବାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର, ଡାକ୍ତର ସଲିଳ ମହାନ୍ତି, ସୂର୍ଯ୍ୟନାରାୟଣ ଦାସ ଏବଂ ଅନ୍ୟ ସରକାରୀ ପ୍ରତିନିଧିମାନଙ୍କ ବର୍ତ୍ତମାନରେ ଉକ୍ତ ଭ୍ୟାନ୍ଟିକୁ ସ୍ବାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରିଛନ୍ତି।
ସବ୍ୟସାଚୀ କହିଛନ୍ତି, ଉନ୍ନତ ସୁବିଧା ଥିବାଏହି ଭ୍ୟାନ୍ଟିକୁ ଦିଲ୍ଲୀରେ ‘ଆସେମ୍ଲି’ (ପୃଥକ୍ ହୋଇ ଆସିଥିବା ଭ୍ୟାନ୍ର ଅଂଶବିଶେଷଗୁଡ଼ିକୁ ସଂଯୋଗ କରିବା) କରାଯାଇଛି। ଏହାକୁ ‘ଭ୍ରାମ୍ୟମାଣ କୋଭିଡ୍ ପରୀକ୍ଷା ତଥା ଟିକାକରଣ ବୁଥ୍’ ଭାବେ ବ୍ୟବହାର କରାଯିବ। ପୂର୍ବରୁ ଉକ୍ତ ସଙ୍ଗଠନ ପଠାଇଥିବା ଦୁଇଟି ଭ୍ୟାନ୍ ସମ୍ପ୍ରତି ଓଡ଼ିଶାର ଭିନ୍ନ ଭିନ୍ନ ଜିଲ୍ଲାରେ ବ୍ୟବହୃତ ହେଉଛି।
‘ଓଏସ୍ଏ-ଏଚ୍ଡବ୍ଲୁଜି’ର ସଦସ୍ୟ-ଉପଦେଷ୍ଟା ଡାକ୍ତର ନୀତିନ ଦୋଷୀ କହିଛନ୍ତି, ସମଗ୍ର ଓଡ଼ିଶାରେ ଶିକ୍ଷା ଓ ସ୍ବାସ୍ଥ୍ୟ ସେବା ଭିତ୍ତିକ ପ୍ରକଳ୍ପ ପ୍ରସାରଣରେ ସହାୟତା କରିବାକୁ ଆମର ସବୁବେଳେ ଆଗ୍ରହ ରହିଛି। ଏହି ସଂଗ୍ରାମରେ ଭୂମିକା ନେଇ ପାରିଥିବାରୁ ଆମେ ଗୌରବାନ୍ବିତ ମନେକରୁଛୁ। ଟିକା ନେବା ସହ ସଚେତନତା ପ୍ରଚାର କରିବା ପାଇଁ ସମସ୍ତଙ୍କୁ ଆମର ଅନୁରୋଧ।
‘ଓଏସ୍ଏ-ଏଚ୍ଡବ୍ଲୁଜି’ର ସଭାପତି ଡାକ୍ତର ଦେବାଶିଷ ରାୟ କହିଛନ୍ତି, କୋଭିଡ୍ ସଙ୍କଟ ସମୟରେ ଓଡ଼ିଶାକୁ ସାହାଯ୍ୟ କରିବା ଲାଗି ସବ୍ୟସାଚୀ ଏବଂ ‘ସ୍ମାଇଲ୍ ପ୍ଲିଜ୍ ଟିମ୍’ ସହଯୋଗରେ ‘ଓଏସ୍ଏ-ଏଚ୍ଡବ୍ଲୁଜି’ର ଅନେକ କାର୍ଯ୍ୟକଳାପ କରିବା ପାଇଁ ଯୋଜନା କରୁଛି। ଆମର ମେଗା କୋଭିଡ୍ ରିଲିଫ୍ ପ୍ରୋଜେକ୍ଟ୍ ‘ହିଲ୍ ଓଡ଼ିଶା, ବିଲଡ୍ ଓଡ଼ିଶା’ ମାଧ୍ୟମରେ ଆମେ ଅକ୍ସିଜେନ୍ ସେଲଟର୍, ଜରୁରୀକାଳୀନ ଡାକ୍ତରୀ ସହାୟତା, ଖାଦ୍ୟ ସହଯୋଗିତା, ସଉଦାପତ୍ର ଯୋଗାଣ, ପ୍ରବାସୀ ସହଯୋଗ, କୋଭିଡ୍ ଏବଂ ଟିକା ସମ୍ବନ୍ଧୀୟ ସଚେତନତା ଦେଉଛୁ।
ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ବ୍ୟାପକ ଟିକାକରଣ ଅଭିଯାନ ହେଉଛି ମହାମାରୀ ପଥରୋଧ କରିବାର ସର୍ବୋତ୍ତମ ଉପାୟ। ଦୂରଦୂରାନ୍ତ ଅଞ୍ଚଳରେ ପହଞ୍ଚିବା ଲାଗି ଏହି ଭ୍ୟାନ୍ଟି ସ୍ବାସ୍ଥ୍ୟ ବିଭାଗକୁ ସାହାଯ୍ୟ କରିବ।
‘ଓଏସ୍ଏ’ର ବରିଷ୍ଠ ପୃଷ୍ଠପୋଷକ ସୀତାକାନ୍ତ ଦାଶ କହିଛନ୍ତି, ସମନ୍ବୟ ରକ୍ଷା ନିମନ୍ତେ ଆମ ଟିମ୍ ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛି। ମହାମାରୀ ଦମନ କରିବାରେ ଓଡ଼ିଶାକୁ ସହାୟତା କରିବା ଲାଗି ଆମେ ପାରୁପର୍ଯ୍ୟନ୍ତ ଯଥାସମ୍ଭବ ଉପାୟ କରୁଛୁ।
The post ରାଜ୍ୟ ସରକାରଙ୍କୁ ‘କୋଭିଡ୍ ଟେଷ୍ଟିଙ୍ଗ୍-କମ୍-ଭ୍ୟାକ୍ସିନେସନ୍ ଭ୍ୟାନ୍’ ପ୍ରଦାନ କଲା ‘ଓଏସ୍ଏ-ଏଚ୍ଡବ୍ଲୁଜି’ first appeared on Sambad.from ବିଶେଷ | Sambad https://ift.tt/3w0PgnY
0 Comments