
କୋଲକାତା: ପଶ୍ଚିମବଙ୍ଗ ନଦିଆ ଜିଲ୍ଲାର ଭାରତ-ବାଂଲାଦେଶ ସୀମାରୁ ଜଣେ ଭାରତୀୟ ଯୁବକ ଏବଂ ଜଣେ ବାଂଲାଦେଶୀ ଯୁବତୀଙ୍କୁ ବିଏସଏଫ ଯବାନ ଗିରଫ କରିଛନ୍ତି | ଉଭୟ ବାଂଲାଦେଶରେ ବିବାହ କରିବା ପରେ ଅନ୍ତର୍ଜାତୀୟ ସୀମା ପାର ହୋଇ ବେଆଇନ ଭାବେ ଫେରୁଥିବା ବେଳେ ସୀମା ସୁରକ୍ଷା ବଳଙ୍କ (ବିଏସଏଫ) ଦ୍ୱାରା ଧରାପଡ଼ିଛନ୍ତି । ଦୁହେଁ ଧରାପଡ଼ିବା ପରେ ଫେସବୁକ୍ ମାଧ୍ୟମରେ ସେମାନଙ୍କର ବନ୍ଧୁତ୍ୱର ଏକ ରୋଚକ କାହାଣୀ କିଭଳି ପ୍ରେମରେ ପରିଣତ ହୋଇଥିଲା ଏବଂ ବିବାହରେ ସରିଥିଲା ସେ କଥା ସାମ୍ନାକୁ ଆସିଛି। ଯୁବକଙ୍କର ନାମ ଜୟକାନ୍ତ ଚନ୍ଦ୍ର ରାୟ (୨୪) ଏବଂ ଯୁବତୀଙ୍କର ନାମ ପରିନିତି (୧୮) ହୋଇଥିବାବେଳେ ଯୁବକ ଜଣକ ନଦିଆ ଜିଲ୍ଲାର ଶାନ୍ତିପୁର ପୁଲିସ ଷ୍ଟେସନ ଅନ୍ତର୍ଗତ ବଲଭପୁର ଗାଁର ବୋଲି ଜଣାପଡିଛି |
ସେହିପରି ପରିନିତି ବାଂଲାଦେଶର ନରେଲ ଜିଲ୍ଲାର ହୋଇଥିବାବେଳେ ବିଏସଏଫର କହିବା ଅନୁଯାୟୀ, ପଚରାଉଚରା ବେଳେ ସେମାନେ କହିଥିଲେ ଯେ ସେମାନେ ସ୍ୱାମୀ ଏବଂ ସ୍ତ୍ରୀ। ସେମାନେ ଫେସବୁକ୍ ମାଧ୍ୟମରେ ପ୍ରଥମେ ବନ୍ଧୁ ହୋଇଥିଲେ | ପରେ, ଏହି ବନ୍ଧୁତା ପ୍ରେମରେ ପରିଣତ ହୋଇ ପରେ ବିବାହରେ ପରିଣତ ହେଲା | ପରିନିତିଙ୍କୁ ବିବାହ କରିବା ପାଇଁ ଜୟକାନ୍ତ ବାଂଲାଦେଶ ଯାଇ ତାଙ୍କୁ ବିବାହ କରିବାକୁ ସ୍ଥିର କଲେ | ତା’ପରେ ଆପୁ ନାମକ ଜଣେ ଦଲାଲଙ୍କ ସାହାଯ୍ୟରେ ଜୟକାନ୍ତ ବେଆଇନ ଭାବେ ସୀମା ପାର ହୋଇ ମାର୍ଚ୍ଚ ୮ ରେ ବାଂଲାଦେଶରେ ପହଞ୍ଚିଥିଲେ।
ସେଠାରେ ସେ ମାର୍ଚ୍ଚ ୧୦ରେ ପରିନିତିଙ୍କୁ ବିବାହ କରିଥିଲେ | ଜୁନ୍ ୨୫ ପର୍ଯ୍ୟନ୍ତ ସେ ବାଂଲାଦେଶରେ ପରିନିତିଙ୍କ ଘରେ ରହିଥିଲେ | ସେହିପରି ପରିନିତି କହିଛନ୍ତି ଯେ ସୀମା ପାର ହେବା ପାଇଁ ସେ ରାଜୁ ମଣ୍ଡଳ ନାମକ ବାଂଲାଦେଶୀ ଦଲାଲକୁ ୧୦ ହଜାର ବାଂଲାଦେଶୀ ଟାକା ଦେଇଛନ୍ତି। ଆଉ ବିଏସଏଫର କମାଣ୍ଡିଂ ଅଧିକାରୀ ସଞ୍ଜୟ ପ୍ରସାଦ ସିଂ କହିଛନ୍ତି ଯେ ଅବୈଧ ଭାବେ ସୀମା ପାର ହୋଇ ଆସୁଥିବାବେଳେ ଉଭୟଙ୍କୁ ଗିରଫ କରାଯାଇଥିଲା | ପୁଙ୍ଖାନୁପୁଙ୍ଖ ପଚରାଉଚରା ପରେ ପ୍ରେମ ସମ୍ପର୍କ ସାମ୍ନାକୁ ଆସିଥିଲା। ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ବିଏସଏଫ ଉଭୟଙ୍କୁ ଭୀମପୁର ପୁଲିସ ଷ୍ଟେସନକୁ ହସ୍ତାନ୍ତର କରିଛି।
The post ପ୍ରେମ ବିବାହ ପରେ ସୀମା ପାର ହୋଇ ବେଆଇନ ଅନୁପ୍ରବେଶ କରୁଥିବା ନବଦମ୍ପତ୍ତିଙ୍କୁ ଗିରଫ କଲା ବିଏସଏଫ first appeared on Sambad.from ବିଶେଷ | Sambad https://ift.tt/3hfhVk0
0 Comments