ମୃତ୍ୟୁ ଅବଶ୍ୟମ୍ଭାବୀ ଓ ବାର୍ଦ୍ଧକ୍ୟ ଦୁର୍ବାର; ଏହାକୁ ଏଡ଼ାଇବା ସମ୍ଭବ ନୁହେଁ:  ଅଧ୍ୟୟନ

ଅମରତ୍ବ ଏବଂ ଚିରଯୌବନ ପ୍ରାପ୍ତି ଯୁଗ ଯୁଗ ଧରି ମନୁଷ୍ୟର ଆକାଙ୍‌କ୍ଷା ହୋଇଥିବା ବେଳେ ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଜୈବିକ କଟକଣା କାରଣରୁ ମୃତ୍ୟୁ ଓ ବାର୍ଦ୍ଧକ୍ୟକୁ ଏଡ଼ାଇ ହେବନାହିଁ।

‘ନେଚର୍‌ କମ୍ୟୁନିକେସନ୍‌’ରେ ପ୍ରକାଶିତ ଏହି ଅଧ୍ୟୟନ ବୟସର ଗତି ମନ୍ଥର କରିବାର ସମ୍ଭାବନା ଅଛି ନା, ନାହିଁ; ଏଭଳି କରାଇବାରେ କୌଣସି ଜୈବିକ ବାଧକତା ରହିଛି କି, ନାହିଁ, ସେ ବିଷୟରେ ଅନୁସନ୍ଧାନ କରାଯାଇଥିଲା। ଦୀର୍ଘଜୀବୀ ସଂକ୍ରାନ୍ତ ଗବେଷଣାରେ ଏହି ନୂତନ ନୈରାଶ୍ୟଜନକ ଫଳଫଳା ମିଳିଥିଲେ ବି ଗୁଣସୂତ୍ରରେ ହସ୍ତକ୍ଷେପ କରି ଦୀର୍ଘଜୀବୀ ହେବା ପାଇଁ ଉପାୟ କରିବା ବା କୃତ୍ରିମ ପ୍ରଯୁକ୍ତି ବିଦ୍ୟା ବଳରେ ଦୀର୍ଘାୟୁ ହେବା ପାଇଁ ଔଷଧ କମ୍ପାନିମାନେ କୋଟି କୋଟି ଟଙ୍କା ବିନିଯୋଗ କରୁଛନ୍ତି।

Image Courtesy of The Telegraph

ସମଗ୍ର ବିଶ୍ବର ବୈଜ୍ଞାନିକମାନଙ୍କ ସହଯୋଗରେ ଏହି ଅଧ୍ୟୟନ କରାଯାଇଥିଲା। ପ୍ରାପ୍ତବୟସ୍କ ହେବା ପରେ ମାନବ ପ୍ରଜାତିମାନଙ୍କର ବୟସ ବଢ଼ିବାର ଗୋଟାଏ ନିର୍ଦ୍ଦିଷ୍ଟ ହାର ଅଛି ବୋଲି ଯାହା ‘ବୟସ ଅପରିବର୍ତ୍ତନୀୟ ହାର’ ନାମକ ତତ୍ତ୍ବରେ ଉଲ୍ଲେଖ ଅଛି, ତାହା ଉପରେ ବୈଜ୍ଞାନିକମାନେ ଗବେଷଣା ଚଳାଇଥିଲେ।

ସେମାନେ କହିଛନ୍ତି ଯେ, ସମ୍ପ୍ରତି ସ୍ବାସ୍ଥ୍ୟ ଏବଂ ଚଳିବା ଅବସ୍ଥା ଉନ୍ନତ ହୋଇଥିବାରୁ ଲୋକମାନଙ୍କ ଜୀବନ ଅବଧି ବଢ଼ିଯାଇଛି। ପୂର୍ବେ ସ୍ବଳ୍ପାୟୁ ମୃତ୍ୟୁ ଅଧିକ ଥିଲା। ଏବେ ତାହା ହ୍ରାସ ପାଇଥିବାରୁ ଅଧିକ ଲୋକ ଅଧିକ ବୟସ ପର୍ଯ୍ୟନ୍ତ ବଞ୍ଚିପାରୁଛନ୍ତି।

ଏହି ଗବେଷଣାର ମୁଖ୍ୟ ପ୍ରଫେସର୍‌ ଫର୍ଣ୍ଣାଣ୍ଡୋ କଲସେରୋ କହିଛନ୍ତି, ମାନବର ମୃତ୍ୟୁ ଅବସମ୍ଭାବୀ। ଯେତେ ଭିଟାମିନ ଖାଅ ପଛକେ, ଆମ ପରିବେଷ୍ଟନୀ ଯେତେ ସ୍ବାସ୍ଥ୍ୟକର ହେଉ ପଛକେ, ଆମେ ଯେତେ ବ୍ୟାୟାମ କରୁ ପଛକେ, ଶେଷରେ ଆମେ ବାର୍ଦ୍ଧକ୍ୟରେ ଉପନୀତ ହୋଇ ନିଶ୍ଚୟ ମରିବା।

The post ମୃତ୍ୟୁ ଅବଶ୍ୟମ୍ଭାବୀ ଓ ବାର୍ଦ୍ଧକ୍ୟ ଦୁର୍ବାର; ଏହାକୁ ଏଡ଼ାଇବା ସମ୍ଭବ ନୁହେଁ:  ଅଧ୍ୟୟନ first appeared on Sambad.

from ବିଶେଷ | Sambad https://ift.tt/3wIPFgg

Post a Comment

0 Comments